ଦେଶର ପ୍ରଥମ ୫୦ଟି ଏଲ୍ଏନ୍ଜି ଇନ୍ଧନ ଷ୍ଟେସନର ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ
ଭିଡ଼ିଓ କନଫରେନ୍ସିଂ ଜରିଆରେ ଦେଶରେ ପ୍ରଥମ ୫୦ଟି ଏଲ୍ଏନ୍ଜି ଇନ୍ଧନ ଷ୍ଟେସନ ସ୍ୱର୍ଣ୍ଣ ଚତୁର୍ଭୁଜ ଏବଂ ପ୍ରମୁଖ ଜାତୀୟ ରାଜପଥରେ ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ
ଭୁବନେଶ୍ୱର: ଦେଶରେ ସ୍ୱଚ୍ଛ ଇନ୍ଧନର ଉପଲବ୍ଧିକୁ ବଢ଼ାଇବା ଓ ପ୍ରାକୃତିକ ଗ୍ୟାସର ଭିତ୍ତିଭୂମିକୁ ମଜବୁତ କରିବା ପାଇଁ ଭାରତ ସରକାର ପ୍ରତିଶ୍ରୁତିବଦ୍ଧ। ଆଗାମୀ ୩ ବର୍ଷରେ ଦେଶର ପ୍ରମୁଖ ରାଜପଥ, ଶିଳ୍ପ କରିଡର ଓ ଖଣି ଅଞ୍ଚଳରେ ୧ ହଜାର ଏଲ୍ଏନ୍ଜି ଇନ୍ଧନ ଷ୍ଟେସନ ପ୍ରତିଷ୍ଠା କରାଯିବାର ଯୋଜନା କରାଯାଉଛି। ଗୁରୁବାର ନୂଆଦିଲ୍ଲୀରୁ ଭିଡ଼ିଓ କନଫରେନ୍ସିଂ ଜରିଆରେ ଦେଶରେ ପ୍ରଥମ ୫୦ଟି ଏଲ୍ଏନ୍ଜି ଇନ୍ଧନ ଷ୍ଟେସନ ସ୍ୱର୍ଣ୍ଣ ଚତୁର୍ଭୁଜ ଏବଂ ପ୍ରମୁଖ ଜାତୀୟ ରାଜପଥରେ ଶିଳାନ୍ୟାସ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଧର୍ମେନ୍ଦ୍ର କହିଛନ୍ତି-"ଭାରତ ସରକାର ଏଲ୍ଏନ୍ଜିକୁ ଅଧିକ ପ୍ରାଥମିକତା ଦେଉଛନ୍ତି। ପ୍ରଥମ ପର୍ଯ୍ୟାୟରେ ପ୍ରମୁଖ ରାଜପଥ ଗୁଡିକରେ ୫୦ଟି ଏଲଏନଜି ଇନ୍ଧନ ଷ୍ଟେସନର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବା ଭାରତକୁ ଗ୍ୟାସ୍ ଆଧାରିତ ଅର୍ଥନୀତି କରିବା ଦିଗରେ ଏହା ବଡ଼ ପଦକ୍ଷେପ ହେବ। ତୈଳ ଓ ଗ୍ୟାସ ଉଦ୍ୟୋଗ ସଂସ୍ଥା ଯଥା ଇଣ୍ଡିଆନ ଅଏଲ, ଏଚପିସିଏଲ, ଗେଲ୍ ଇଣ୍ଡିଆ, ପେଟ୍ରୋନେଟ୍ ଏଲଏନଜି ଓ ଗୁଜୁରାଟ ଗ୍ୟାସ, ଯୌଥ ଉଦ୍ୟୋଗ କମ୍ପାନୀ ତଥା ସହାୟକ କମ୍ପାନୀ ଗୁଡ଼ିକ ସହଯୋଗରେ ଏହି ସବୁ ଏଲଏନଜି ଷ୍ଟେସନ ପ୍ରତିଷ୍ଠା କରାଯିବ।"
ସେ ଆହୁରି କହିଛନ୍ତି-"ଏଲଏନଜିର ବ୍ୟବହାର ବଢ଼ିଲେ ଦେଶରେ ପ୍ରଦୂଷଣର ମାତ୍ରା ହ୍ରାସ ପାଇବ। ଏଲଏନଜି କ୍ଷେତ୍ରରେ ଦେଶରେ ଆମଦାନୀ କମିବା ସହ ଏହି ଇନ୍ଧନକୁ ବ୍ୟବହାର କରାଯାଇ ଜାହାଜ ଓ ଗାଡି ନିର୍ମାଣ କରୁଥିବା ସଂସ୍ଥା ତଥା ଗ୍ୟାସ କ୍ଷେତ୍ରରେ ବ୍ୟାପକ ଅର୍ଥ ସଞ୍ଚୟ କରାଯାଇପରିବ। ପରିବହନ କ୍ଷେତ୍ରରେ ଏଲଏନଜିର ଅଭିବୃଦ୍ଧି ଘଟିଲେ ଏହା ରୋଜଗାର, ଦକ୍ଷତା ବିକାଶ ଓ ଅର୍ଥନୈତିକ ଅଭିବୃଦ୍ଧି ଦିଗରେ ସହାୟକ ହୋଇପାରିବ। ପରିବହନ କ୍ଷେତ୍ରରେ ଏଲଏନଜି ଆଗାମୀ ଭବିଷ୍ୟତର ଇନ୍ଧନ।"












Click it and Unblock the Notifications