କୋଟିଏ ଟଙ୍କାର ଧଳା ଜହର ଜବତ : ତିନି ଜଣଙ୍କୁ ଗିରଫ କଲା ଏସଟିଏଫ
କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ କଲା ଏସଚିଏଫ
ବାଲେଶ୍ୱର : ହଜାରରେ ନୁହେଁ କି ଲକ୍ଷେରେ ନୁହେଁ ସିଧା କୋଟିଏ ଟଙ୍କାର ଧଳା ଜହର । ବାଲେଶ୍ୱରର ସହଦେବଖୁଣ୍ଟା ଠାରେ ଏସଟିଏଫ୍ ଓ ବାଲେଶ୍ୱର ପୁଲିସ ଚଢଉ କରି ଆନୁମାନିକ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ କରିଛି । ଏଥିସହ ତିନି ଜଣ ବେପାରୀଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଏସକେ ଜାମିର ଓରଫ ଛୋଟୁ, ନୟାବଜାରର ପ୍ରଭାତ ସେଠୀ ଓ କାଶୀମିଲାର ଯଶୋବନ୍ତ ବାଗ୍ ।

ଏସଟିଏଫ ଠାରୁ ମିଳିଥିବା ସୂଚନା ଅନୁସାରେ ବାଲେଶ୍ୱରର ସହଦେବଖୁଣ୍ଟା ଠାରେ ଏକ ବଡଧରଣର ବ୍ରାଉନସୁଗାର ଡିଲ୍ ହେଉଥିଲା । ଏହାକୁ ଧରିବା ନେଇ ଏସଟିଏଫ୍ ଜାଲ ବିଛାଇଥିଲା । ଶେଷରେ ସହଦେବଖୁଣ୍ଟା ଅଧିନରେ ଥିବା ଜ୍ୟୋତି ସାଗର ନିକଟରେ ଉକ୍ତ ତିନି ଜଣ ଅଭିଯୁକ୍ତଙ୍କୁ କାବୁ କରିଥିଲା । ସେମାନଙ୍କ ଠାରୁ ଏକ କେଜି 105 ଗ୍ରାମର ବ୍ରାଉନସୁଗାର ସହ 85 ହଜାର 680 ଟଙ୍କା ଜବତ କରିଥିଲା । ସୂଚନାଥାଉକି, ଚଳିତ ବର୍ଷ ବ୍ରାଉନସୁଗାର ଧରିବାରେ ସବୁ ରେକର୍ଡ ଭାଙ୍ଗି ଦେଇଛି ଏସଟିଏଫ୍ । ଏବେ ସୁଦ୍ଧା 23 କେଜି 273 ଗ୍ରାମର ବ୍ରାଉନସୁଗାର ଜବତ କରିସାରିଲାଣି ଏସଟିଏଫ ।












Click it and Unblock the Notifications