ପୌର ନିର୍ବାଚନ ପ୍ରସ୍ତୁତି: ଆସନ୍ତା ୧୦ରେ ପ୍ରକାଶ ପାଇବ ପ୍ରାଥମିକ ଭୋଟର ତାଲିକା
ପୌର ନିର୍ବାଚନ ଲାଗି ରାଜ୍ୟ ନିର୍ବାଚନ କମିଶନ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି। ପୌରାଞ୍ଚଳ ପାଇଁ ଫେବୃଆରୀ ୧୦ରେ ପ୍ରାଥମିକ ଭୋଟର ତାଲିକା ପ୍ରକାଶ ପାଇବ। ଏହାପରେ ଦାବି ଓ ଆପତ୍ତି ଅଭିଯୋଗ ପାଇଁ ୬ ଦିନ ସମୟ ଦିଆଯିବ।
ଭୁବନେଶ୍ୱର: ପୌର ନିର୍ବାଚନ ଲାଗି ରାଜ୍ୟ ନିର୍ବାଚନ କମିଶନ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି। ପୌରାଞ୍ଚଳ ପାଇଁ ଫେବୃଆରୀ ୧୦ରେ ପ୍ରାଥମିକ ଭୋଟର ତାଲିକା ପ୍ରକାଶ ପାଇବ। ଏହାପରେ ଦାବି ଓ ଆପତ୍ତି ଅଭିଯୋଗ ପାଇଁ ୬ ଦିନ ସମୟ ଦିଆଯିବ। ତେବେ ତାଲିକାରେ ନୂଆ ଭୋଟରଙ୍କ ନାମ ଉଠିବ ନାହିଁ। କେବଳ ୱାର୍ଡ଼ ପରିବର୍ତ୍ତନ ହୋଇପାରିବ ବୋଲି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପାଢ଼ୀ କହିଛନ୍ତି।

ରାଜ୍ୟରେ ୪୮ ମ୍ୟୁନିସିପାଲିଟି ଓ ୫୯ ଏନଏସି ସୀମା ନିର୍ଦ୍ଧାରଣ ଓ ଆସନ ଆରକ୍ଷଣର ଚୂଡାନ୍ତ ତାଲିକା ଜିଲ୍ଲା ମାଜିଷ୍ଟ୍ରେଟ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ପ୍ରଦାନ କରିଛନ୍ତି । ସେହିପରି ରାଜ୍ୟର ୩ଟି ମ୍ୟୁନିସିପାଲିଟି କର୍ପୋରେସନର ସୀମା ନିର୍ଦ୍ଧାରଣ ଓ ଆସନ ଆରକ୍ଷଣ ଚୂଡାନ୍ତ ତାଲିକା ମଧ୍ୟ ନିର୍ବାଚନ ଆୟୋଗକୁ ପ୍ରଦାନ କରିଛନ୍ତି ସରକାର ।
ଫେବୃଆରୀ ୧୧ରୁ ୧୬ ତାରିଖ ପର୍ଯ୍ୟନ୍ତ ଲୋକମାନେ ଦାବି ଓ ଆପତ୍ତି ଅଭିଯୋଗ ଦାଖଲ କରିପାରିବେ। ୧୮ ତାରିଖ ସୁଦ୍ଧା ଏହା ଫଇସଲା ହେବ। ଏହାପରେ ଫେବୃଆରୀ ୨୪ରେ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ ହେବ ଓ ୨୮ରେ ନିର୍ବାଚନ କମିଶନଙ୍କୁ ଭୋଟର ତାଲିକା ପ୍ରଦାନ କରାଯିବ। ଏହାସହ ୨୮ ସୁଦ୍ଧା ଭୋଟର ତାଲିକା ପ୍ରସ୍ତୁତି କାର୍ଯ୍ୟ ସରିବ ବୋଲି ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପାଢ଼ୀ କହିଛନ୍ତି।
ଏହାବାଦ ରାଜ୍ୟର ୧୦୭ ପୌରାଞ୍ଚଳ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ମୋଟ ୧୭୫୬ ୱାର୍ଡରୁ ୬୬୮ ଅଣସଂରକ୍ଷିତ, ଅନୁସୂଚିତ ଜାତି ପାଇଁ ୧୨୨, ଅନୁସୂଚିତ ଜାତି ମହିଳାଙ୍କ ପାଇଁ ୧୭୧ ୱାର୍ଡ ସଂରକ୍ଷିତ । ସେହିପରି ଅନୁସୂଚିତ ଜନଜାତି ପୁରୁଷ ପାଇଁ ୪୯ ଓ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ୧୩୩ ୱାର୍ଡ ସଂରକ୍ଷିତ ରଖାଯାଇଛି । ତେବେ ମହିଳାମାନଙ୍କ ପାଇଁ ୬୧୩ ୱାର୍ଡ ସଂରକ୍ଷିତ ରହିଥିବା ସରକାର ଘୋଷଣା କରିଛନ୍ତି । ଏହା ପୂର୍ବରୁ ଅଧ୍ୟକ୍ଷ ସଂରକ୍ଷଣ ତାଲିକା ପ୍ରକାଶ କରିଥିଲେ ସରକାର।
ସୂଚନାଯୋଗ୍ୟ, ପଞ୍ଚାୟତ ନିର୍ବାଚନ ପରେ ପରେ ସମ୍ଭବତଃ ଏପ୍ରିଲ ମାସ ବେଳକୁ ହୋଇପାରେ ପୌର ନିର୍ବାଚନ। ପୌର ନିର୍ବାଚନ ପାଇଁ ଇଭିଏମ୍ରେ ଭୋଟ ଗ୍ରହଣ କରାଯିବ। ଏଥର ମେୟର ଓ ପୌରାଧ୍ୟକ୍ଷ ପଦ ପାଇଁ ଲୋକେ ଭୋଟ ଦେବେ। ସେଥିପାଇଁ ଗୋଟିଏ ବୁଥରେ ୨ଟି ଇଭିଏମ୍ ବ୍ୟବସ୍ଥା କରାଯାଇଛି।












Click it and Unblock the Notifications