ଖାଉଟିଙ୍କ ଉପରେ ମହଙ୍ଗା ମାଡ଼: ବଢିଲା ରସୁଣ ଦର
ଭୁବନେଶ୍ୱର: ଆକାଶଛୁଆଁ ରସୁଣ ଦର !ଖାଉଟିଙ୍କ ଉପରେ ମହଙ୍ଗା ମାଡ଼, ପୁଣି ବଢିଲା ରସୁଣ ମୂଲ୍ୟ । ସବୁ ବ୍ୟଞ୍ଜନରେ ବ୍ୟବହାର ହେଉଥିବା ରସୁଣରେ ଏବେ ହାତ ମାରି ହେଉ ନାହିଁ । ମାର୍କେଟରେ ଏବେ କିଲୋଗ୍ରାମ ପିଛା ୫ ଶହ ଟଙ୍କାର ରହିଛି ରସୁଣ ମୂଲ୍ୟ । ସେହି ହିସାବରେ ୧୦୦ ଗ୍ରାମ ରସୁଣ କିଣିବା ପାଇଁ ହେଲେ ଗ୍ରାହକଙ୍କୁ ୫୦ଟଙ୍କା ଦେବାପାଇଁ ପଡୁଛି । ଯେଉଁଥି ପାଇଁ ଏବେ ଅନେକ ଲୋକ ରସୁଣି କିଣିବା ପାଇଁ ମଧ୍ୟ ପଛଘୁଞ୍ଚା ଦେଉଛନ୍ତି ।
ରିପୋର୍ଟ ଅନୁସାରେ ଦୁଇ ସପ୍ତାହ ପୂର୍ବରୁ ରସୁଣ ମୂଲ୍ୟ ୧୫୦ରୁ ୨୦୦ ଟଙ୍କା ଥିଲା । ତେବେ ବର୍ତ୍ତମାନ ଅମଳ ସମୟରେ ରସୁଣର ମୂଲ୍ୟ ବୃଦ୍ଧିକୁ ନେଇ ଏକ ବଡ଼ ପ୍ରଶ୍ନ ସୃଷ୍ଟି ହେଉଛି । ସେହିପରି ବ୍ୟବସାୟୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବଜାରରେ ରସୁଣର ଆବଶ୍ୟକତା ପୂରଣ କରିବା ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବା ପାଇଁ ପଡୁଛି । ତେବେ ଉତ୍ତରପ୍ରଦେଶ ଏବଂ ନାସିକରୁ ଓଡ଼ିଶାକୁ ରସୁଣ ଆମଦାନି ହେଉଛି ।

ଏପରି ସ୍ଥିତି ପ୍ରାୟ ଆହୁରି ୧୫ ରୁ ୨୦ ଦିନ ପର୍ଯ୍ୟନ୍ତ ଲାଗି ରହିବ । ଉଦ୍ୟାନ କୃଷି ବିଭାଗ ଉପନିର୍ଦ୍ଦେଶକଙ୍କ ସୂଚନା ଅନୁସାରେ ନୂଆ ରସୁଣ ଅମଳ ହୋଇ ମାର୍କେଟକୁ ଆସିବା ପର୍ଯ୍ୟନ୍ତ ଦାମରେ କୌଣସି ପରିବର୍ତ୍ତନ ହେବ ନାହିଁ । ଆଗକୁ ରସୁଣ ମୂଲ୍ୟ ଆହୁରି ବଢିବାର ସମ୍ଭାବନା ରହିଛି ।












Click it and Unblock the Notifications