ଦେଶର ୯୫% ଗାଁରେ ପହଞ୍ଚିଲା ଇଣ୍ଟରନେଟ୍ ସୁବିଧା
Internet Connections in India: 'ଡିଜିଟାଲ୍ ଇଣ୍ଡିଆ' ଜରିଆରେ ଦେଶର 95 ପ୍ରତିଶତ ଗାଁରେ 3G ଏବଂ 4G ଇଣ୍ଟରନେଟ୍ ସୁବିଧା ପହଞ୍ଚିପାରିଛି । ଶୁକ୍ରବାର ଦିନ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ସୂଚନା ଜାରି କରାଯାଇଛି । ଯୋଗାଯୋଗ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ, ଭାରତରେ ସମୁଦାୟ ୯୫.୪୪ କୋଟି ଇଣ୍ଟରନେଟ୍ ଗ୍ରାହକ ଅଛନ୍ତି। ଏଥିମଧ୍ୟରୁ ୩୯.୮୩ କୋଟି ଉପଭୋକ୍ତା କେବଳ ଭାରତର ଗ୍ରାମାଞ୍ଚଳର ।
ମନ୍ତ୍ରଣାଳୟ ଆହୁରି ମଧ୍ୟ ସୂଚନା ଦେଇଛି ଯେ, ଦେଶର ମୋଟ ୬,୪୪,୧୩୧ ଟି ଗାଁ ମଧ୍ୟରୁ ୬,୧୨,୯୫୨ ଗାଁରେ (ଏପ୍ରିଲ୍ 2024) 3G / 4G ମୋବାଇଲ୍ ଇଣ୍ଟରନେଟ୍ ସୁବିଧା ପହଞ୍ଚିଛି । ଏପରିସ୍ଥିତିରେ ଦେଶର ୯୫.୧୫ ପ୍ରତିଶତ ଗାଁରେ ଇଣ୍ଟରନେଟ୍ ସୁବିଧା ରହିଛି। 'ଡିଜିଟାଲ୍ ଇଣ୍ଡିଆ' ପଦକ୍ଷେପ ଅନୁଯାୟୀ ସରକାର ମେଟ୍ରୋ, ଟାୟାର୍-୨ ସହର ତଥା ଗ୍ରାମାଞ୍ଚଳ ଅଞ୍ଚଳକୁ ସଂଯୋଗ କରିବା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି।

ଗତ ଦଶନ୍ଧିରେ ଦେଶରେ ମୋଟ ମୋବାଇଲ୍ ଗ୍ରାହକଙ୍କ ସଂଖ୍ୟା ୨୫.୧୫ କୋଟିରୁ ୯୫.୪୪ କୋଟିକୁ ବୃଦ୍ଧି ପାଇଛି। ବାର୍ଷିକ ଭିତ୍ତିରେ ୧୪.୨୬ ପ୍ରତିଶତ CAGR ବୃଦ୍ଧି ହୋଇଛି । ସରକାର କହିଛନ୍ତି ଯେ ଗତ ୧୦ ବର୍ଷ ମଧ୍ୟରେ ଦେଶର ସମସ୍ତ କୋଣ ଅନୁକୋଣରେ ଟେଲିକମ୍ ନେଟୱାର୍କ ବିସ୍ତାର କରାଯାଇଛି। ଗ୍ରାମାଞ୍ଚଳରେ ଇଣ୍ଟରନେଟ୍ ବ୍ରଡବ୍ୟାଣ୍ଡ ସୁବିଧା ଯୋଗାଇବା ପାଇଁ ସରକାର 'ଭାରତନେଟ' ପ୍ରକଳ୍ପ ଆରମ୍ଭ କରିଥିଲେ।
ଏହାର ଉଦ୍ଦେଶ୍ୟ ଥିଲା ଅପ୍ଟିକାଲ ଫାଇବର କେବୁଲ ମାଧ୍ୟମରେ ଦେଶର ସମସ୍ତ ଗ୍ରାମ ପଞ୍ଚାୟତକୁ ସଂଯୋଗ କରିବା। ସରକାର କହିଛନ୍ତି ଯେ ୨.୨ ଲକ୍ଷ ଗ୍ରାମ ପଞ୍ଚାୟତ ମଧ୍ୟରୁ ୨.୨୩ ଲକ୍ଷ ଗ୍ରାମ ପଞ୍ଚାୟତ ଭରତନେଟ ସହିତ ସଂଯୁକ୍ତ ହୋଇଛି। ଅଗଷ୍ଟ ୨୦୨୨ରେ, ସୀମା ଅଞ୍ଚଳରେ ମୋବାଇଲ୍ ଟାୱାର ସ୍ଥାପନ ପାଇଁ ସରକାର ନିୟମ ପରିବର୍ତ୍ତନ କରିଥିଲେ, ଯାହା ଦ୍ୱାରା ମୋବାଇଲ୍ ଇଣ୍ଟରନେଟ୍ ସୁବିଧା ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚି ପାରିବ ।












Click it and Unblock the Notifications