ହୀରାକୁଦର କେଜ୍ ଫିସ୍ କଲ୍ଚର ଏକ ସଫଳ ମୋଡେଲ୍: ମୁଖ୍ୟ ଶାସନ ସଚିବ
ହୀରାକୁଦ ଜଳଭଣ୍ଡାରରେ ଆବଦ୍ଧ ମାଛ ଚାଷ (କେଜ୍ ଫିସ୍ କଲ୍ଚର) ଏକ ସଫଳ ମୋଡେଲ୍ ଏବଂ ଏହା ଖୁବ୍ ଶିଘ୍ର ରାଜ୍ୟର ମଧୁର ପାଣି ମାଛ ଉତ୍ପାଦନକୁ ବହୁପରିମାଣରେ ବୃଦ୍ଧି କରିବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ।
ଭୁବନେଶ୍ୱର: ହୀରାକୁଦ ଜଳଭଣ୍ଡାରରେ ଆବଦ୍ଧ ମାଛ ଚାଷ (କେଜ୍ ଫିସ୍ କଲ୍ଚର) ଏକ ସଫଳ ମୋଡେଲ୍ ଏବଂ ଏହା ଖୁବ୍ ଶିଘ୍ର ରାଜ୍ୟର ମଧୁର ପାଣି ମାଛ ଉତ୍ପାଦନକୁ ବହୁପରିମାଣରେ ବୃଦ୍ଧି କରିବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ।
ଉଭୟ କ୍ଷେତ୍ର ପରିଦର୍ଶନ ଏବଂ ଉଚ୍ଚସ୍ତରୀୟ ସମୀକ୍ଷାପରେ ସେ ଏହା କହିଛନ୍ତି । ଇତିମଧ୍ୟରେ ମୁଖ୍ୟ ଶାସନ ସଚିବ ହୀରାକୁଦ ଜଳଭଣ୍ଡାରରେ ସ୍ଥାପିତ କେଜ୍ ଗୁଡିକରେ ମାଛ ଚାଷ ସ୍ଥିତି ପ୍ରତ୍ୟକ୍ଷ ଅନୁଧ୍ୟାନ କରିବା ସହ ମାଛଚାଷୀ, ଉଦ୍ୟୋଗୀ ଏବଂ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ ।

କ୍ଷେତ୍ରସ୍ତରୀୟ ମାଛଚାଷ କାର୍ଯ୍ୟର ଅଗ୍ରଗତି ବିଷୟରେ ସନ୍ତୋଷ ପ୍ରକାଶ କରି ସେ କମନ୍ ଫେସିଲିଟି ସେଣ୍ଟର, ପରୀକ୍ଷାଗାର ଏବଂ ମାଛ ପହୁଞ୍ଚାଣ ନିମନ୍ତେ ଭାସମାନ ଜେଟ୍ଟି ଆଦି ଭିତ୍ତିଭୂମିକୁ ଶିଘ୍ର କାର୍ଯ୍ୟକାରୀ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । କେଜ୍-ଫିସ୍-କଲ୍ଚର ବିକାଶ ନିମନ୍ତେ ସରକାର ଆବଶ୍ୟକୀୟ ଭିତ୍ତିଭୂମି ଓ ସହଯୋଗ ଯୋଗାଇଦେବେ ବୋଲି ସେ ଉଦ୍ୟୋଗୀମାନଙ୍କୁ ପ୍ରତିଶୃତି ଦେଇଥିଲେ ।
କମନ୍ ଫେସିଲିଟି ସେଣ୍ଟରରେ ଚାଷୀମାନେ କେଜରୁ ମାଛ ଧରି ବିପଣୀ ନିମନ୍ତେ ବର୍ଗୀକରଣ, ଓଜନ, ଓ ପ୍ରସ୍ତୁତ କରିପାରିବେ । ଏଠାରେ ଚାଷୀମାନଙ୍କ ପାଇଁ ପାଣି, ବିଦ୍ୟୁତ, ପରିଚ୍ଛନ୍ନତା ଓ ଶୌଚାଳୟ ଆଦିର ବ୍ୟବସ୍ଥା ରହିବ । ସେହିପରି ମତ୍ସ୍ୟଚାଷ ଗବେଷଣା ପରୀକ୍ଷାଗାର ଜଳ-ଜୀବ ସ୍ୱାସ୍ଥ୍ୟ ନିରୀକ୍ଷଣ ଏବଂ ପରିବେଶ ସନ୍ତୁଳନ ଅନୁଧ୍ୟାନ ଆଦିରେ ସହାୟକ ହେବ । ମାଛଚାଷୀମାନେ କେଜ୍ର ରେ ବଢ଼ୁଥିବା ମାଛଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରି ଗୁଣାତ୍ମାକମାନର ଉତ୍ପାଦନ ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ନେଇପାରିବେ ।
ଜଳଭଣ୍ଡାର ଉପରିଭାଗର ୧ ପ୍ରତିଶତ ଅଂଚଳରେ ଏହି କେଜ୍-କଲ୍ଚର ସିମୀତ ରଖିବା ଲାଗି ମୁଖ୍ୟ ଶାସନ ସଚିବ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ହୀରାକୁଦର ମତ୍ସ୍ୟ ଓ ପଶୁସଂପଦ ବିକାଶ ଉପ ନିର୍ଦ୍ଦେଶକ ଜଣାଇଥିଲେ ଯେ ଜାତୀୟ ନୀୟମାବଳୀ ଦ୍ୱାରା ନିର୍ଦ୍ଧାରିତ ସୀମାଠାରୁ ବହୁ କମ୍ ଅଂଚଳରେ ବର୍ତ୍ତମାନ ପର୍ଯ୍ୟନ୍ତ ୩୨ ଟି କେଜ୍ ମାଛଚାଷ ଜୋନ୍ ଏବଂ ୬୨୫ ଟି ସବ୍- ଜୋନ ଚିହ୍ନଟ କରାଯାଇଛି । ଏହା ମଧ୍ୟରୁ ୧୦୧ ଟି ସବ୍- ଜୋନ କୁ ପୁଞ୍ଜିନିବେଶ ଆଗ୍ରହ ଭିତ୍ତିରେ ଚୟନ ହୋଇଥିବା ଉଦ୍ୟୋଗୀମାନଙ୍କୁ ଲିଜ୍ ଦିଆଯାଇଛି ।

ବର୍ତ୍ତମାନ ସୁଦ୍ଧା ସେମାନଙ୍କ ମଧ୍ୟରୁ ୭୧ ଜଣ ଉଦ୍ୟୋଗୀ ବିଭାଗସହ ବୁଝାମଣାପତ୍ର ସ୍ୱାକ୍ଷର କରି କ୍ଷେତ୍ରସ୍ତରୀୟ କାମ ଆରମ୍ଭ କରିଛନ୍ତି । ୩୦ ଟି ସବ୍- ଜୋନରେ କେଜ୍ ସ୍ଥାପନ କାର୍ଯ୍ୟ ସରିଛି । ଉଦ୍ୟୋଗୀମାନଙ୍କୁ ନିୟମିତ ଯୋଗାଯୋଗ ଓ ବୈଷୟିକ ଜ୍ଞାନ କୌଶଳ ସଂପ୍ରସାରଣ ମାଧ୍ୟମରେ ଉତ୍ସାହିତ କରି ଆଗାମୀ ୬ ମାସରେ ଅବଶିଷ୍ଟ ସବ୍- ଜୋନ ମାନଙ୍କରେ କେଜ୍ ସ୍ଥାପନ କାର୍ଯ୍ୟ ଶେଷ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ ।
ସୂଚନାଯୋଗ୍ୟ, ଗୋଟିଏ ସବ୍- ଜୋନରେ ୧୬ମି ବ୍ୟାସ ଏବଂ ୫ ମି ଗଭୀରତାର ୩ ଟି ଗୋଲାକାର କେଜ୍ କିମ୍ବା ୪ x ୬ x ୪ ମିଟରର ୨୪ ଟି ଆୟତଘନାକାର କେଜ୍ ସ୍ଥାପନ କରାଯାଇ ପାରିବ । ପ୍ରତି ଗୋଲାକାର କେଜ୍ ରୁ ଥରକେ ୨୫ ରୁ ୩୦ ଟନ୍ ମାଛ ଅମଳ କରାଯାଇ ପାରିବ । ଆବଣ୍ଟିତ ସବ୍- ଜୋନ ଗୁଡିକରେ ଉତ୍ପାଦନ ଆରମ୍ଭ ହେଲେ ଥରକେ ପ୍ରାୟ ୧୪୫୦୦ ଟନ୍ ରୁ ଅଧିକ ମାଛ ଅମଳ ହେବ ।
ହୀରାକୁଦ ଜଳଭଣ୍ଡାର ଉପରିଭାଗରେ ୧୮୭୫ ଟି ଗୋଲାକାର କେଜ୍ କିମ୍ବା ୧୫୦୦୦ ଆୟତଘନାକାର କେଜ୍ ପ୍ରତିଷ୍ଠା କରାଯାଇପାରିବ । ଏସବୁରୁ ଥରକେ ପ୍ରାୟ ୪୫୦୦୦ ଟନରୁ ଅଧିକ ମଧୁର ପାଣି ମାଛ ଅମଳ କରାଯାଇପାରିବ । ଉଦ୍ୟୋଗୀମାନଙ୍କୁ ଅମଳ ମାଛର ବିପଣୀ ନିମନ୍ତେ ବଜାର- ସଂଯୋଗ ପରାମର୍ଶ ଦେବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି ବୋଲି ମୁଖ୍ୟ ଶାସନ ସଚିବ କହିଥିଲେ ।
ବୈଷୟିକ କୌଶଳର ପ୍ରୟୋଗ, ଜନସାଧାରଣଙ୍କ ସହଭାଗିତା ଏବଂ ଘରୋଇ ପୁଞ୍ଜିନିବେଶ ମାଧ୍ୟମରେ ମଧୁର ପାଣି ମାଛ ଚାଷ ଆର୍ଥିକ ଅବିବୃଦ୍ଧିରେ ସହାୟକ ହେବ ବୋଲି ବିଶେଷଜ୍ଞ ଓ ବୁଦ୍ଧିଜିବୀମାନେ ଆଶା ପ୍ରକାଶ କରିଛନ୍ତି ।












Click it and Unblock the Notifications