ରାଜଧାନୀରେ ବିବାହ ଉତ୍ସବରେ ଶହେରୁ ଅଧିକ ଲୋକଙ୍କୁ ମନା, ଦୀପାବଳି ପାଇଁ ଗଞ୍ଜାମରେ ଯାଞ୍ଚ ହେବ ମିଠା ଦୋକାନ
ବିବାହ ଋତୁ ପୂର୍ବରୁ ନୂଆ ଗାଇଡଲାଇନ୍ ଆଣିଲା ଭୁବନେଶ୍ୱର ମୁନିସପାଲ୍ କର୍ପୋରେସନ । ସେପଟେ ଦୀପାବଳି ପାଇଁ କଡା ଆଭିମୁଖ୍ୟ ଗ୍ରହଣ କଲା ଗଞ୍ଜାମ ଜିଲ୍ଲା ପ୍ରଶାସନ ।
ଭୁବନେଶ୍ୱର : ଶୀତ ବଢିବା ସହ କରୋନାର ଦ୍ୱିତୀୟ ପର୍ଯାୟ ସଂକ୍ରମଣ ଆଶଙ୍କା କରାଯାଉଛି । ଏହାକୁ ନେଇ ବିଏମସି ରାଜଧାନୀବାସୀଙ୍କ ପାଇଁ ନୂଆ ଗାଇଡଲାଇନ୍ ଜାରି କରିଛି । ଏହି ନୂଆ ନିର୍ଦ୍ଦେଶନାମା ଅନୁସାରେ ବିବାହ କାର୍ଯ୍ୟକ୍ରମରେ 100ରୁ ଅଧିକ ଲୋକ ଏକାଠି ହୋଇ ପାରିବେନି ବୋଲି କୁହାଯାଇଛି । ଏଥିସହ ଅନ୍ତେଷ୍ଟି କ୍ରିୟା ପାଇଁ ବିଏମସି ପକ୍ଷରୁ କେବଳ 50 ଜଣ ଲୋକଙ୍କୁ ଅନୁମତି ପ୍ରଦାନ କରାଯିବ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି ।
ସେପଟେ କୋଭିଡ ମହାମାରୀକୁ ଆଖି ଆଗରେ ରଖି ଗଞ୍ଜାମ ଜିଲ୍ଲାରେ ନଭେମ୍ବର 30 ତାରିଖ ଯାଏଁ ବାଣ ନିଷେଧ କରାଯାଇଛି । ଦୀପ ଜାଳି ଚଳିତ ବର୍ଷ ଦୀପାବଳି ପାଳନ କରିବାକୁ ଅନୁରୋଧ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ।

ଏଥିସହ ଦୀପାବଳି ପାଇଁ ମିଠା ଦୋକାନରେ ବିକ୍ରି ହେଉଥିବା ମିଠାର ମାନ ଯାଞ୍ଚ କରାଯିବ ବୋଲି ସେ କହିଛନ୍ତି । ଖାଦ୍ୟ ନିରୀକ୍ଷକଙ୍କ ଜରିଆରେ ମିଠାର ସାମ୍ପଲ ସଂଗ୍ରହ କରି ପରୀକ୍ଷା କରିବା ନିମନ୍ତେ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । କେବଳ ସେତିକି ନୁହେଁ ମିଠା ଦୋକାନର ଯାଞ୍ଚ ସମୟରେ ଏହାର ଭିଡିଓ ଉତ୍ତୋଳନ କରିବାକୁ ସମସ୍ତ ବିଡିଓ ଓ ତଦସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।












Click it and Unblock the Notifications