କଲାମ ଜନ୍ମ ଜୟନ୍ତୀ : ଅନେକ ଯୁବପିଢିଙ୍କ ପ୍ରେରଣା ମିସାଇଲ ମ୍ୟାନ
ଆଜି ମିସାଇଲ ମ୍ୟାନ ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ଜନ୍ମ ଜୟନ୍ତୀ । ନିଜର ଭିନ୍ନ ବ୍ୟକ୍ତିତ୍ବ ଯୋଗୁଁ ସେ ବିଶ୍ବବାସୀଙ୍କ ମନରେ ଜାଗା ବନେଇ ପାରିଛନ୍ତି । ତାଙ୍କ ସୁବିଚାର ଆଜିବି ଅନେକ ଲୋକଙ୍କୁ ପ୍ରେରଣା ଯୋଗାଉଛି ।
ଆଜି ମିସାଇଲ ମ୍ୟାନ ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ଜନ୍ମ ଜୟନ୍ତୀ । ନିଜର ଭିନ୍ନ ବ୍ୟକ୍ତିତ୍ବ ଯୋଗୁଁ ସେ ବିଶ୍ବବାସୀଙ୍କ ମନରେ ଜାଗା ବନେଇ ପାରିଛନ୍ତି । ତାଙ୍କ ସୁବିଚାର ଆଜିବି ଅନେକ ଲୋକଙ୍କୁ ପ୍ରେରଣା ଯୋଗାଉଛି । ଆଜିକାର ଯୁବପିଢି ଏବଂ ଛାତ୍ରଛାତ୍ରୀ ତାଙ୍କ ପ୍ରେରଣାରେ ପ୍ରେରିତ ହେଉଛନ୍ତି ।

ସୂଚନା ଅନୁସାରେ, 1931 ମସିହା ଅକ୍ଟୋବର 15 ତାରିଖରେ ତାମିଲନାଡୁର ରାମେଶ୍ବରମର ଏକ ମୁସଲିମ ପରିବାରରେ ଜନ୍ମ ନେଇଥିଲେ କଲାମ । ତାଙ୍କର ପୂରା ନାଁ ହେଉଛି ଅବୁଲ ପକିର ଜୈନାଲୁଦ୍ଦିନ ଅବଦୁଲ କଲାମ । ପିଲାଟି ଦିନୁ ସେ ପାଠପଢାରେ ଆଗ୍ରହୀ ଥିଲେ । ସ୍କୁଲ ପାଠ ପରେ ତିରୁଚିରପଲ୍ଲୀର ସେଣ୍ଟ ଜୋସେଫ୍ କଲେଜରୁ ପଦାର୍ଥ ବିଜ୍ଞାନ ଓ ଚେନ୍ନାଇର ମାଦ୍ରାସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ଅନ୍ତରୀକ୍ଷ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିଲେ କଲାମ। ବାପା ଜୈନୁଲାବ୍ବ୍ଦୀନ ଜଣେ ଡଙ୍ଗା ଚାଳକ ଏବଂ ମାଆ ଅସିଅମ୍ମା ଜଣେ ଗୃହିଣୀ ଥିଲେ ।
ପିଲାଟି ଦିନରୁ କିଛି ଭିନ୍ନ କରିବାର ସ୍ବପ୍ନ କଲାମଙ୍କ ନିଦ ହଜାଇଦେଇଥିଲା। ପାଠ ପଢା ପାଇଁ ସେ ଖବରକାଗଜ ମଧ୍ୟ ବିକ୍ରି କରୁଥିଲେ । ତାଙ୍କର କଠିନ ପରିଶ୍ରମ ଓ ଦୃଢ ଇଚ୍ଛା ଶକ୍ତି ଯୋଗୁଁ ସେ ସଫଳତାର ଶୀର୍ଷରେ ପହଞ୍ଚି ପାରିଥିଲେ । ପଠା ସରିବା ପରେ ପ୍ରଥମେ ଡିଆରଡିଓ ଏବଂ ଇସ୍ରୋରେ ଅନ୍ତରୀକ୍ଷ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ । ବାଲାଷ୍ଟିକ ମିସାଇଲ ଲଞ୍ଚ କରିବାରେ ତାଙ୍କର ରହିଥିଲା ବଡ ଭୂମିକା । ଅଗ୍ନି ଓ ପୃଥିବୀ ଭଳି ମିସାଇଲ ତିଆରି କରିଛନ୍ତି କଲାମ । ଏହାପରେ ସାରା ଦେଶ ସମେତ ବିଶ୍ବରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି କଲାମ ।
କେବଳ ଏତିକିରେ ସାମିଲ ନାହିଁ ଏପିଜେ ଅବଦୁଲ କଲାମଙ୍କ ଅବଦାନ। ସେ 2002 ଜୁଲାଇ 25 ତାରିଖରୁ 2007 ଜୁଲାଇ 25 ପର୍ଯ୍ୟନ୍ତ ଭାରତର 11ତମ ରାଷ୍ଟ୍ରପତି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ମହାକାଶ ବିଜ୍ଞାନ ଏବଂ ପ୍ରତିରକ୍ଷା ବିଜ୍ଞାନରେ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ 1997 ମସିହାରେ ଭାରତର ସର୍ବୋଚ୍ଚ ବେସାମରିକ ପୁରସ୍କାର "ଭାରତ ରତ୍ନ"ରେ ସମ୍ମାନିତ କରାଯାଇଥିଲା। ରାଷ୍ଟ୍ରପତି ଭାବେ ତାଙ୍କର କାର୍ଯ୍ୟକାଳ ଶେଷ ହେବା ପରେ ସେ ଶିଲଙ୍ଗ, ଆଇଆଇଏମ-ଇନ୍ଦୋର ଏବଂ ଆଇଆଇଏମ-ଅହମ୍ମଦାବାଦର ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ (ଆଇଆଇଏମ)ରେ ପରିଦର୍ଶକ ଅଧ୍ୟାପକ ହୋଇଥିଲେ । ସେ ତାଙ୍କ ଜୀବନର ଶେଷ ଦିନ ପର୍ଯ୍ୟନ୍ତ ଛାତ୍ରମାନଙ୍କ ପାଇଁ କାମ କରିବାକୁ ଚେଷ୍ଟା କରିଥିଲେ । ଜୁଲାଇ 2015 ଜୁଲାଇ ମାସ 27ରେ, ସେ ଆଇଆଇଏମ ଶିଲଙ୍ଗରେ ଏକ ବକ୍ତୃତା ଦେଉଥିଲେ, ଯେତେବେଳେ ସେ ହୃଦଘାତର ଶିକାର ହେବାପରେ 83 ବର୍ଷ ବୟସରେ ପ୍ରାଣ ହରାଇଥିଲେ ।












Click it and Unblock the Notifications