ଖୋଲୁଛି ୟୁଟ୍ୟୁବର ଜ୍ୟୋତିଙ୍କ ଗୁମର, ଆହୁରି ୪ ଦିନ ଘାଣ୍ଟିବ ହରିୟାଣା ପୋଲିସ
ପୁଣି ରିମାଣ୍ଡରେ ଗଲା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା । ଜ୍ୟୋତିଙ୍କୁ ହିସାର ଜିଲ୍ଲା କୋର୍ଟରେ ହଜାର କରାଯାଇଥିଲା । ହେଲେ ହରିଆଣାର ହିସାର ପୋଲିସ ଆଉ ୪ ଦିନ ପାଇଁ ରିମାଣ୍ଡରେ ନେଇଛି । ପୂର୍ବରୁ ୫ଦିନ ପାଇଁ ତାଙ୍କୁ ରିମାଣ୍ଡରେ ନେଇ ପୋଲିସ ଗୁଡ଼େଇତୁଡ଼େଇ ଜେରା କରିଥିଲା । ଆଜି ତାଙ୍କୁ ହିସାର ଜିଲ୍ଲା କୋର୍ଟରେ ହାଜର କରାଯିବା ପରେ ପୁଣି ୪ ଦିନ ରିମାଣ୍ଡ ପାଇଁ ପୋଲିସକୁ ଅନୁମତି ମିଳିଛି ।
ଗୁପ୍ତଚର ୟୁଟ୍ୟୁବର ଜ୍ୟୋତିଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଦୁବାଇରୁ ଟଙ୍କା ଆସିଥିବା ଜଣାପଡ଼ିଛି । ଜ୍ୟୋତିଙ୍କର ଅନେକ ବ୍ୟାଙ୍କ ଆକାଉଣ୍ଟ ରହିଛି । ଆର୍ଥିକ କାରବାରର ଖୋଳତାଡ଼ ଚଳାଇଛି ତଦନ୍ତକାରୀ ସଂସ୍ଥା । ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଦୁବାଇରୁ ଆସୁଥିବା ଟଙ୍କା ଦେଖି ତଦନ୍ତକାରୀ ତାଜୁବ ହୋଇଛନ୍ତି
ଏହାରି ଭିତରେ ହରିୟାଣା ପୋଲିସର ଏକ ବିବୃତି ପୁରା ଘଟଣାକୁ ଗୋଳମାଳିଆ କରିଦେଇଛି। ପାକିସ୍ତାନକୁ ଭାରତର ଗୁପ୍ତ ତଥ୍ୟ ପ୍ରଦାନ କରିବା ଅଭିଯୋଗରେ ଜ୍ୟୋତି ମାଲହୋତ୍ରାଙ୍କୁ ଗତ ୧୬ ତାରିଖରେ ଗିରଫ କରିଥିଲା ହିସାର ପୋଲିସ। କିନ୍ତୁ ଏଯାଏ ପୋଲିସ ପାଖରେ ଏହାର ପକ୍କା ପ୍ରମାଣ ନାହିଁ। ପୋଲିସ ନିଜ ବିବୃତିରେ କହିଛି ଯେ, ଜ୍ୟୋତି ମାଲହୋତ୍ରା କିଛି ପିଆଇଓଙ୍କ ସହ ଯୋଗାଯୋଗରେ ଥିଲେ। କିଛି ସୂଚନା ଆଦାନପ୍ରଦାନ ହୋଇଥିଲା।

କିନ୍ତୁ ଜ୍ୟୋତିଙ୍କ ପାଖରେ ସେମିତି କିଛି ସାମରିକ କିମ୍ଵା ଗୁଇନ୍ଦା ସୂଚନା ନାହିଁ, ଯାହା ସେ ପାକିସ୍ତାନୀ ଏଜେଣ୍ଟଙ୍କୁ ଦେଇଥିବେ। କୌଣସି ସାମରିକ ପ୍ରତିଷ୍ଠାନ ସହିତ ତାଙ୍କର ସଂପୃକ୍ତି ନାହିଁ। ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚରୁ ଟଙ୍କା କାରବାରର ମଧ୍ୟ ପକ୍କା ପ୍ରମାଣ ନାହିଁ। ତାଙ୍କ ଆକାଉଣ୍ଟକୁ ବଡ଼ ଆକାରର ଟଙ୍କା ଆସିନାହିଁ। କୌଣସି ଆତଙ୍କବାଦୀ ସଂଗଠନ ସହିତ ମଧ୍ୟ ଜ୍ୟୋତିଙ୍କର ସିଧାସଳଖ ସଂପୃକ୍ତିର କୌଣସି ପକ୍କା ପ୍ରମାଣ ଏଯାଏ ମିଳି ନାହିଁ।
ଏକଥା ସତ ଯେ, ସେ ପାକିସ୍ତାନ ଗସ୍ତ କରିଥିଲେ ଏବଂ ବଡ଼ ବଡ଼ ହୋଟେଲରେ ରହିଥିଲେ। କୁହାଯାଉଛି, ତାଙ୍କ ଟ୍ରିପ୍ କୁ ପାକିସ୍ତାନ ତରଫରୁ ସ୍ପୋନସର୍ କରାଯାଇଥିଲା। ଏପରିକି ସେ ଚୀନ ମଧ୍ୟ ଯାଇଥିଲେ। ଜଣେ ପାକିସ୍ତାନୀ ଯୁବକଙ୍କୁ ବାହା ହେବାର ପ୍ରମାଣ ବି ଏପର୍ଯ୍ୟନ୍ତ ମିଳି ନାହିଁ। ଗଣମାଧ୍ୟମରେ ପ୍ରଥମେ ଚର୍ଚ୍ଚା ହୋଇଥିଲା ଯେ, ଜଣେ ପାକିସ୍ତାନୀ ଯୁବକଙ୍କ ପ୍ରେମରେ ଉବୁଟୁବୁ ହୋଇ ତାଙ୍କୁ ବାହା ହେବାକୁ ଚାହୁଁଥିଲେ ଜ୍ୟୋତି। ଏହାର ପକ୍କା ପ୍ରମାଣ ଏ ପର୍ଯ୍ୟନ୍ତ ମିଳି ନାହିଁ।












Click it and Unblock the Notifications