ହେମା ମାଲିନୀଙ୍କ ପାଇଁ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ
ନୂଆଦିଲ୍ଲୀ: ନିର୍ବାଚନ ତାରିଖ ଘୋଷଣା ହେବା ପରଠାରୁ ଦେଶରେ ରାଜନୈତିକ ମାହୋଲ ରହିଛି ବେସ୍ ଉଷ୍ମ । ଶାସକ ବିରୋଧୀ କରୁଛନ୍ତି ଜୋରଦାର ପ୍ରଚାର । ଆଉ ଏହାରି ଭିତରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶରେ ପ୍ରଚାର ଜୋରସୋରରେ ଚଳାଇଛନ୍ତି । ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ମଥୁରା ଲୋକସଭା ଆସନରେ ପହଞ୍ଚି ବିଜେପି ପ୍ରାର୍ଥୀ ହେମା ମାଲିନୀଙ୍କ ସମର୍ଥନରେ ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ ।
ସେ କହିଥିଲେ ଯେ କାଶୀ ଏବଂ ଅଯୋଧ୍ୟା ପରେ ବର୍ତ୍ତମାନ ବ୍ରଜ ଭୁମିର ବିକାଶ କରିବାକୁ ହେବ । ଯୋଗୀ କହିଛନ୍ତି, କଂଗ୍ରେସ, ବିଏସପି, ଏସପି ଏହି ସ୍ଥାନର ଦାୟିତ୍ୱ ନେଇନଥିଲେ । ଯେତେବେଳେ ଏଠାରେ ସାଂସଦ ହେମା ମାଲିନୀ ଜିତିଲେ, ତାଙ୍କ ପରାମର୍ଶରେ ଆମେ ଏହାକୁ ଏକ ତୀର୍ଥସ୍ଥାନ ଘୋଷଣା କରି ଯୋଜନାଗୁଡିକୁ ଆଗକୁ ନେଇଥିଲୁ । କୃଷ୍ଣ ଜନ୍ମଭୂମି ଏବଂ ମସଜିଦ ବିବାଦ ଉପରେ କୋର୍ଟଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିବୁ ।
ଆମେ ଅଯୋଧ୍ୟାରେ ୫୦୦ ବର୍ଷ ଅପେକ୍ଷା କରିଥିଲୁ, କିନ୍ତୁ ସଂଗ୍ରାମରୁ ପଛଘୁଞ୍ଚା ଦେଇ ନଥିଲୁ । ସେମାନେ ରାମ ଭକ୍ତଙ୍କ ଉପରେ ଗୁଳି ଚଳାଇଥିଲେ । ଯଦି କେହି ଜୟ ଶ୍ରୀ ରାମଙ୍କ ସ୍ଲୋଗାନ ଦେଉଥିଲେ, ତେବେ ସେମାନଙ୍କୁ ମାଡ ଓ ଗୁଳି ବାଜିଥିଲା । କିନ୍ତୁ ଯଦି ଆପଣ ଆଜି ଅଯୋଧ୍ୟାକୁ ଯାଆନ୍ତି, ତେବେ ଆପଣଙ୍କୁ ତ୍ରେତୟା ଯୁଗ୍ ମନେ ପଡିବ ।
ଯୋଗୀ କହିଛନ୍ତି, ବର୍ତ୍ତମାନ ଆମର ସମ୍ପୂର୍ଣ୍ଣ ଧ୍ୟାନ ବ୍ରଜ ଭୁମି ଉପରେ ଅଛି । ସବୁକିଛି ଏଠାରେ ହେବ । ଏଠାରେ ଥିବା ଲୋକଙ୍କ ଭାବନା ଅନୁଯାୟୀ ଏଠାରେ ବିକାଶ ମଧ୍ୟ କରାଯିବ ବୋଲି କହିଛନ୍ତି ଯୋଗୀ ଆଦିତ୍ୟ ନାଥ । ଉତ୍ତରପ୍ରଦେଶର ମଥୁରା ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ହେମା ମାଳିନୀ ତାଙ୍କ ନାମାଙ୍କନ ଭରିବା ପୂର୍ବରୁ କଂଗ୍ରେସ ନେତା ରଣଦୀପଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ସେ କେବଳ ଲୋକପ୍ରିୟ ଲୋକଙ୍କୁ ଟାର୍ଗେଟ କରନ୍ତି କାରଣ ଅଲୋକପ୍ରିୟ ଲୋକଙ୍କୁ ଟାର୍ଗେଟ କଲେ ତାଙ୍କୁ କୌଣସି ଫାଇଦା ମିଳିବନି ବୋଲି ସେ ଜାଣିଛନ୍ତି ।

ହେମା ମାଳିନୀ କହିଛନ୍ତି ଯେ, ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ମହିଳାଙ୍କୁ ସମ୍ମାନ ଦେବା ଶିଖିବା ଉଚିତ୍ । ମୁଁ ମୋର ନାମାଙ୍କନ ଦାଖଲ କରିବାକୁ ଏଠାକୁ ଆସିଛି ଏବଂ ଏହି ଖୁସିର ଅବସରରେ, କିଏ କଣ କହିଲା ସେ ବିଷୟରେ ମୁଁ କୌଣସି କଥା କହିବାକୁ ଚାହୁଁନାହିଁ ।
ଏହାପୂର୍ବରୁ ବିଜେପି ସାଂସଦ ହେମା ମାଲିନୀ କହିଛନ୍ତି, "ତୃତୀୟ ଥର ପାଇଁ ମଥୁରାର ଲୋକଙ୍କ ସେବା କରିବାର ସୁଯୋଗ ପାଇ ମୁଁ ବହୁତ ଖୁସି । ଯେଉଁ କାର୍ଯ୍ୟ ମୋର ୨ଟି କାର୍ଯ୍ୟକାଳ ସମୟରେ ହୋଇପାରିନଥିଲା ତାହାକୁ ମୁଁ ଏଥର ପୁରା କରିବି । ଏଥର ମଥୁରାର ଲୋକଙ୍କ ପାଇଁ ବଡ ବିକାଶ ଯୋଜନାର କାର୍ଯ୍ୟକାରି ହେବ । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଥୁରା ପାଇଁ ସବୁ କ୍ଷେତ୍ରରେ ସହାୟତା ପ୍ରଦାନ କରିବେ । "












Click it and Unblock the Notifications