Wrestlers Protest: ୨ ମହିଳା କୁସ୍ତିଯୋଦ୍ଧାଙ୍କୁ ପ୍ରମାଣ ମାଗିଲା ଦିଲ୍ଲୀ ପୋଲିସ
ନୂଆଦିଲ୍ଲୀ: ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆର ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିବା ମାମଲାରେ ଦିଲ୍ଲୀ ପୋଲିସ ଦୁଇ ମହିଳା କୁସ୍ତିଯୋଦ୍ଧାଙ୍କୁ ଫଟୋ, ଅଡିଓ ଏବଂ ଭିଡିଓ ପ୍ରମାଣ ଦେବାକୁ କହିଛି । ଯାହାକୁ ସେମାନଙ୍କର ଅଭିଯୋଗ ପ୍ରମାଣ ଭାବରେ ଉପସ୍ଥାପିତ କରାଯାଇ ପାରିବ ।
ଇଣ୍ଡିଆନ୍ ଏକ୍ସପ୍ରେସ ରିପୋର୍ଟ ଅନୁସାରେ, ସେମାନଙ୍କୁ ଆଲିଙ୍ଗନ କରୁଥିବା ଫଟୋକୁ ମଧ୍ୟ ପ୍ରମାଣ ଭାବରେ ଉପସ୍ଥାପନ କରିବାକୁ କୁହାଯାଇଛି । ଏହାପୂର୍ବରୁ, ଏପ୍ରିଲ 21ରେ, ଦୁଇଜଣ ବୟସ୍କ ମହିଳା କୁସ୍ତିଯୋଦ୍ଧା ବ୍ରିଜ ଭୂଷଣ ସିଂଙ୍କ ବିରୋଧରେ ନୂଆଦିଲ୍ଲୀର ସିପି ପୋଲିସ୍ ଷ୍ଟେସନରେ ଯୌନ ନିର୍ଯାତନା ତଥା ଅସଦାଚରଣ ଅଭିଯୋଗ ଆଣିଥିଲେ।

ସୂଚନା ଅନୁସାରେ, ଜୁନ୍ 5ରେ, CRPCର ଧାରା 91 ଅନୁଯାୟୀ ମହିଳା ରେସଲରମାନଙ୍କୁ ପୃଥକ ନୋଟିସ୍ ଜାରି କରାଯାଇଥିଲା ଏବଂ ଏହାର ଜବାବ ଦେବାକୁ ସେମାନଙ୍କୁ ଗୋଟିଏ ଦିନର ସମୟ ଦିଆଯାଇଥିଲା । ଏହା ସହିତ ଏହି ରିପୋର୍ଟରେ ଜଣେ କୁସ୍ତିଯୋଦ୍ଧାଙ୍କୁ ବ୍ରିଜ ଭୂଷଣ ସିଂଙ୍କ ବିରୋଧରେ ତାଙ୍କ ପାଖରେ ଯେକୌଣସି ପ୍ରମାଣ ଅଛି ସେ ସବୁକୁ ଯଥା ଶୀଘ୍ର ଦେବା ପାଇଁ କୁହାଯାଇଛି ।
ଏହା ବ୍ୟତୀତ ବ୍ରିଜ ଭୂଷଣ ସିଂଙ୍କ ବିରୋଧରେ ଧମକପୂର୍ଣ୍ଣ ଫୋନ୍ କଲ ସମ୍ପର୍କରେ ସବିଶେଷ ତଥ୍ୟ ମାଗିବା ପାଇଁ ପୋଲିସ ଜଣେ ରେସଲର ଏବଂ ତାଙ୍କ ସମ୍ପର୍କୀୟଙ୍କୁ ଭିନ୍ନ ଭିନ୍ନ ନୋଟିସ୍ ଜାରି କରିଛି । ଧମକ କଲ୍ ସହିତ ଜଡିତ କୌଣସି ଭିଡିଓ, ଫଟୋଗ୍ରାଫ୍, କଲ୍ ରେକର୍ଡିଂ କିମ୍ବା ହ୍ୱାଟସଆପ୍ ଚାଟ୍ ପ୍ରଦାନ କରିବାକୁ କୁହାଯାଇଛି ।
ଏହାସହିତ ବିରୋଧୀ କୁସ୍ତିଯୋଦ୍ଧାମାନେ ଶନିବାର ଅଭିଯୋଗ କରିଛନ୍ତି ଯେ, ବ୍ରିଜ ଭୂଷଣ ଯୌନ ଉତ୍ପୀଡ଼ନ ପୀଡିତାଙ୍କ ଉପରେ ଚାପ ପକାଇବା ପାଇଁ ଚେଷ୍ଟା କରୁଛନ୍ତି । ସେମାନଙ୍କ ଷ୍ଟେଟମେଣ୍ଟକୁ ପରିବର୍ତ୍ତନ କରିବା ପାଇଁ ବାଧ୍ୟ କରୁଛନ୍ତି । ଏହା ସହିତ କୁସ୍ତିଯୋଦ୍ଧାମାନେ ଏହା ମଧ୍ୟ କହିଛନ୍ତି ଯେ, ଯଦି ଜୁନ୍ ୧୫ ସୁଦ୍ଧା ତାଙ୍କ ବିରୋଧରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଏ ତେବେ ଆନ୍ଦୋଳନ ପୁଣି ଥରେ ଆରମ୍ଭ କରାଯିବ ।












Click it and Unblock the Notifications