ଲୋକସଭା ପରେ ରାଜ୍ୟସଭାରେ ପାରିତ ହେଲା ମହିଳା ସଂରକ୍ଷଣ ବିଲ୍
ରାଜ୍ୟସଭାରେ ପାରିତ ହେଲା ମହିଳା ସଂରକ୍ଷଣ ବିଲ୍ । ବିଲ୍ ସମର୍ଥନରେ ୨୧୫ଟି ଭୋଟ୍ ପଡିଥିବା ବେଳେ ବିପକ୍ଷରେ ଗୋଟିଏ ବି ଭୋଟ୍ ପଡ଼ିନଥିଲା । ଫଳରେ ସଂସଦର ଉଭୟ ଗୃହରେ ବହୁମତରେ ପାସ୍ ହୋଇଛି ମହିଳା ସଂରକ୍ଷଣ ବିଲ୍ ।
ବିଲ୍ ଆଇନରେ ପରିଣତ ହେବା ପରେ ୫୪୩ ସଦସ୍ୟ ବିଶିଷ୍ଟ ଲୋକସଭାରେ ମହିଳା ସାଂସଦଙ୍କ ସଂଖ୍ୟା ବୃଦ୍ଧି ପାଇ ୧୮୧ ହୋଇଯିବ । ଏବେ ମହିଳା ସାସଂଦଙ୍କ ସଂଖ୍ୟା ୮୨ ରହିଛି । ଦୀର୍ଘ ୭ ଘଣ୍ଟା ଧରି ଏହା ଉପରେ ବିତର୍କ ଜାରି ରହିଥିଲା । ବିଜେପିର ୧୪ ମହିଳା ସାଂସଦ ବିତର୍କରେ ଭାଗ ନେଇଥିଲେ ।
ସଂସଦର ଉଭୟ ଗୃହରେ ବିଲ ପାସ ହେବା ପରେ ମହିଳାଙ୍କ ଆତ୍ମବିଶ୍ବାସ ବଢ଼ାଇବାକୁ ଏହି ବିଲ୍ ବାଟ କଢାଇବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ଦେଖିବାକୁ ମିଳିଥିଲା। ବିରୋଧୀଙ୍କ ଦାବି ଥିଲା ଯେ, ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଥିବା ଏହି ବିଲରେ ଓବିସି ଓ ଏସସି-ଏସଟି ବର୍ଗଙ୍କୁ ବି ସାମିଲ କରାଯାଉ ।
ଉଭୟ ଲୋକସଭା ଓ ରାଜ୍ୟସଭାରେ ଗୃହୀତ ହେବା ପରେ, ଏହି ବିଲକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯିବ । ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ବିଲଟି ଆଇନରେ ପରିଣତ ହେବ । ମହିଳା ସଂରକ୍ଷଣ ବିଲକୁ ରାଜ୍ୟସଭାରେ ବିଜେଡି ସମର୍ଥନ କରିଥିଲା।

ପୂର୍ବରୁ ଏହି ବିଲ୍ ମହିଳା ସଂରକ୍ଷଣ ବିଲ୍ ନାମରେ ଥିଲା । ହେଲେ ବର୍ତ୍ତମାନର ମୋଦି ସରକାର ଏହାର ନାମ ଦେଇଛନ୍ତି ନାରୀ ଶକ୍ତି ବନ୍ଦନ ଅଧିନିୟମ ।
ମହିଳା ସଂରକ୍ଷଣ ବିଲ ବା ନାରୀ ଶକ୍ତି ବନ୍ଦନ ଅଧିନିୟମର କାର୍ଯ୍ୟକାରିତା ନେଇ ରାଜ୍ୟସଭାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଓ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ମଧ୍ୟରେ ଡିବେଟ୍ ଦେଖିବାକୁ ମିଳିଥିଲା । ଲୋକସଭାରେ ବହୁମତରେ ବିଲ ପାରିତ ହେବା ପରେ ସଂସଦର ଉଚ୍ଚତମ କକ୍ଷରେ ଚର୍ଚ୍ଚା ହୋଇଥିଲା । ଏହି ଚର୍ଚ୍ଚା ଅବସରରେ ବିଜେପି ଓ ବିରୋଧୀ ଦଳର ନେତାଙ୍କ ମଧ୍ୟରେ ଯୁକ୍ତି ଦେଖିବାକୁ ମିଳିଥିଲା ।
ଏହି ନିୟମ ଲାଗୁ ହେଉ ହେଉ ୨୦୨୯ ହୋଇଯିବ ବୋଲି ଆକଳନ କରାଯାଉଛି । ତେବେ ଗତକାଲି ଲୋକସଭାରେ ବିଲ୍ ପାରିତ ହୋଇଥିଲା । ଲୋକସଭାରେ ବିଲ୍ ସପକ୍ଷରେ ୪୫୪ ଭୋଟ୍ ପଡ଼ିଥିବା ବେଳେ ବିରୋଧରେ ମାତ୍ର ୨ଟି ଭୋଟ୍ ପଡ଼ିଥିଲା। ଗତ ସୋମବାର କେନ୍ଦ୍ର କ୍ୟାବିନେଟ୍ ଏହି ବିଲ୍କୁ ଅନୁମୋଦନ କରିଥିବା ବେଳେ ଆଜି ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ବିଲ୍କୁ ରାଜ୍ୟସଭାରେ ଆଗତ କରିଥିଲେ ।












Click it and Unblock the Notifications