'କ୍ଷମତାକୁ ଆସିଲେ ଅଗ୍ନିବୀର ଯୋଜନାକୁ ଉଚ୍ଛେଦ କରିବୁ'
ନୂଆଦିଲ୍ଲୀ: ଆଜି ଦେଶରେ ହୋଇଥିଲା ତୃତୀୟ ପର୍ଯ୍ୟାୟ ମତଦାନ । ଏପଟେ କଂଗ୍ରେସ ନେତା ରାହୁଲ ଗାନ୍ଧି ମଙ୍ଗଳବାର ଘୋଷଣା କରିଛନ୍ତି ଯେ ଯଦି ଦେଶରେ 'ଇଣ୍ଡିଆ' ମେଣ୍ଟ କ୍ଷମତାକୁ ଆସେ ତେବେ ଅଗ୍ନିବୀର ଯୋଜନାକୁ ଉଚ୍ଛେଦ କରାଯିବ । କାରଣ, ଏହା ସେନା ଦ୍ୱାରା ନୁହେଁ ବରଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ କରା ଯାଇଥିଲା ।
'ଅଗ୍ନିବୀର ଯୋଜନାକୁ 'ଇଣ୍ଡିଆ' ମେଣ୍ଟ ରଦ୍ଦ କରିବ, ଯାହା କି ମୋଦୀ ଆଣିଥିବା ଯୋଜନା, ସେନା ଦ୍ୱାରା ନୁହେଁ । ଆମେ ସହିଦଙ୍କ ମଧ୍ୟରେ ପାର୍ଥକ୍ୟ କରିବାକୁ ଚାହୁଁନାହୁଁ । ଦେଶ ପାଇଁ ବଳିଦାନ ଦେଉଥିବା ବ୍ୟକ୍ତିଙ୍କୁ ସହିଦ ମାନ୍ୟତା ଦିଆଯିବା ଉଚିତ, ତାଙ୍କୁ ପେନସନ ଦିଆଯିବା ଉଚିତ' ବୋଲି ସେ ଝାଡ଼ଖଣ୍ଡର ଗୁମଲାରେ ଆୟୋଜିତ ଏକ ନିର୍ବାଚନୀ ରାଲିରେ କହିଛନ୍ତି । ଏହି ସଭା ମଞ୍ଚରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି ।

ସେ ଅଭିଯୋଗ କରିଛନ୍ତି ଯେ, ମୋଦି ଆଦିବାସୀଙ୍କ ଜଳ, ଜଙ୍ଗଲ ଏବଂ ଜମି କୁ ଶିଳ୍ପପତିଙ୍କୁ ଦେଇଦବାକୁ ଚାହୁଁଛନ୍ତି । ୧୦ ବର୍ଷ ର ଶାସନକାଳ ଭିତରେ ମୋଦି ୨୨ ଜଣଙ୍କୁ ଅରବପତି କରିଛନ୍ତି । ତେଣୁ ଯଦି କଂଗ୍ରେସ କ୍ଷମତାକୁ ଆସେ ତେବେ ଦେଶର କୋଟି କୋଟି ଲୋକଙ୍କୁ ଲକ୍ଷପତି କରିବାକୁ ପ୍ରତିଶୃତି ଦେଇଛନ୍ତି ରାହୁଲ ।
ରାହୁଲ ଆହୁରି କହିଛନ୍ତି, କଂଗ୍ରେସ କ୍ଷମତାକୁ ଆସିବା ପରେ ପ୍ରଥମେ ଗରିବ ପରିବାରର ତାଲିକା ପ୍ରସ୍ତୁତ କରିବ । ସେ କହିଛନ୍ତି ଯେ ଏହି ଲୋକସଭା ନିର୍ବାଚନ ହେଉଛି ସମ୍ବିଧାନ ତଥା ଆଦିବାସୀ, ଗରିବ ଏବଂ ପଛୁଆ ଲୋକଙ୍କ ଅଧିକାର ବଞ୍ଚାଇବା । ଇଣ୍ଡିଆ ମେଣ୍ଟର ନେତା ସମ୍ବିଧାନକୁ ରକ୍ଷା କରିବା ପାଇଁ ନିଜ ଜୀବନର ବଳିଦାନ ଦେବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି ।
ରାହୁଲ ଗାନ୍ଧୀ ସମାବେଶକୁ ସମ୍ବିଧାନ ପୁସ୍ତକ ଦେଖାଇ କହିଥିଲେ ଯେ, ଏହା ହେଉଛି ଦେଶର ସ୍ୱର । ବିଜେପି ନେତାମାନେ ଏହାକୁ ଚିରି ଫିଙ୍ଗିଦେବାକୁ ଚାହୁଁଛନ୍ତି । ଆପଣମାନେ ଯାହା ପାଇଛନ୍ତି, ଏହି ପୁସ୍ତକ ଆପଣଙ୍କୁ ଦେଇଛି । ସମ୍ବିଧାନରୁ ହିଁ ଆପଣଙ୍କୁ ଆରକ୍ଷଣ ମିଳିଥାଏ ।












Click it and Unblock the Notifications