ଭାରତ ବିରୋଧରେ ଖେଳିବାକୁ ୟୁ-ଟର୍ଣ୍ଣ କରିବ କି ପାକିସ୍ତାନ ? ପ୍ରଧାନମନ୍ତ୍ରୀ ଶେହବାଜଙ୍କ ବଡ଼ ବୟାନ
ଭାରତ ଏବଂ ଶ୍ରୀଲଙ୍କାର ମିଳିତ ଆୟୋଜନରେ 7 ଫେବୃଆରୀରୁ ଆରମ୍ଭ ହେବାକୁ ଥିବା ICC ଟି20 ୱର୍ଲ୍ଡ କପ୍ ପୂର୍ବରୁ ପାକିସ୍ତାନ ଦଳକୁ ନେଇ ନୂଆ ବିବାଦ ସୃଷ୍ଟି ହୋଇଛି। ପାକିସ୍ତାନ ସରକାର ତାଙ୍କ ଦଳକୁ 15 ଫେବୃଆରୀରେ ଭାରତ ବିରୋଧରେ ହେବାକୁ ଥିବା ଗ୍ରୁପ୍ ମ୍ୟାଚ୍ ବହିଷ୍କାର କରିବାକୁ ନିର୍ଦ୍ଦେଶ ଦେଇଥିବା ଖବର ଆସିଛି।
ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ତାଙ୍କ ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାରେ ଖେଳିବାକୁ ଥିବାବେଳେ, ଦଳ ପୂର୍ବରୁ ହିଁ ସେଠାରେ ପହଞ୍ଚିସାରିଛି। ସେପଟେ ଏହାକୁ ନେଇ PCB ଏପର୍ଯ୍ୟନ୍ତ ICCକୁ ଆନୁଷ୍ଠାନିକ ଭାବରେ କୌଣସି ସୂଚନା ଦେଇ ନାହିଁ ଏବଂ ବର୍ତ୍ତମାନ ପାକିସ୍ତାନ ପ୍ରଧାନମନ୍ତ୍ରୀ ତାଙ୍କ ସରକାରଙ୍କ ନିଷ୍ପତ୍ତି ସମ୍ପର୍କରେ ତାଙ୍କର ପ୍ରଥମ ବିବୃତ୍ତି ଜାରି କରିଛନ୍ତି।

ପିଏମ୍ ଶେହବାଜ୍ ଶରିଫଙ୍କ ପ୍ରଥମ ପ୍ରତିକ୍ରିୟା
ଇସ୍ଲାମାବାଦରେ କ୍ୟାବିନେଟ୍ ବୈଠକ ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ୍ ଶରିଫ ପ୍ରଥମଥର ପାଇଁ ଏହି ବିଷୟରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ, "କ୍ରିକେଟ୍ ମୈଦାନ କ୍ରିକେଟ୍ ପାଇଁ, ରାଜନୀତି ପାଇଁ ନୁହେଁ। ଭାରତ ଦୀର୍ଘ ସମୟ ଧରି କ୍ରିକେଟ୍ରେ ରାଜନୀତି ଭର୍ତ୍ତି କରୁଛି, ତେଣୁ ଆମେ ଆମ କଥାରେ ଅତୁଟ ରହିବୁ।"
ଏପର୍ଯ୍ୟନ୍ତ ପାକିସ୍ତାନ କ୍ରିକେଟ୍ ବୋର୍ଡ୍ (PCB) ଏହି ବିଷୟରେ ଆଇସିସିକୁ କୌଣସି ଆଧିକାରିକ ସୂଚନା ଦେଇନାହିଁ। କିନ୍ତୁ ଯଦି ପାକିସ୍ତାନ ଭାରତ ବିରୋଧୀ ମ୍ୟାଚ୍ ଖେଳିବାରୁ ଅସ୍ୱୀକାର କରେ, ତେବେ ଆଇସିସିର ନିୟମ ଅନୁସାରେ ପିସିବିକୁ ଭାରି ଜୋରିମାନା ସହ ପ୍ରତିବନ୍ଧର ସମ୍ମୁଖୀନ ହେବାକୁ ପଡ଼ିପାରେ।
ଆଇସିସି ନିୟମ ଅନୁଯାୟୀ, କୌଣସି ଦଳ ଗ୍ଲୋବାଲ୍ ଟୁର୍ଣ୍ଣାମେଣ୍ଟରେ ନିଜ ପସନ୍ଦ ମୁତାବକ ଭାଗ ନେଇ ପାରିବ ନାହିଁ। ଏଭଳି ପରିସ୍ଥିତିରେ ପାକିସ୍ତାନୀ ଖେଳାଳିଙ୍କ ଭବିଷ୍ୟତ ମଧ୍ୟ ଅନିଶ୍ଚିତତା ଘେରରେ ପଡ଼ିପାରେ।












Click it and Unblock the Notifications