ଆନ୍ନାମଲାଇ ହେବେ କି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ?
ତାମିଲନାଡୁ ପ୍ରଦେଶ ଅଧ୍ୟକ୍ଷ ପଦବୀରୁ ରହସ୍ୟଜନକ ଭାବରେ ଆନ୍ନାମଲାଇଙ୍କ ଇସ୍ତଫା ଦକ୍ଷିଣ ଭାରତର ରାଜନୀତିରେ ହଟଚମଟ ସୃଷ୍ଟି କରିଛି। ଅମିତ୍ ଶାହଙ୍କ ତାମିଲନାଡ଼ୁ ଗସ୍ତ ପରେ ହଠାତ୍ ଆନ୍ନାମଲାଇଙ୍କ ଇସ୍ତଫା ନୂଆ ସମୀକରଣକୁ ଜନ୍ମ ଦେଇଛି।
ତାମିଲନାଡୁରେ ଷ୍ଟାଲିନ ସରକାରକୁ ଗାଦିଚ୍ୟୁତ କରିବା ପାଇଁ ବିଜେପି ସମସ୍ତ ରଣକୌଶଳ ଆପଣାଇଛି। ଶାସକ ଡିଏମ୍କେ ବିରୋଧରେ ବଳ ଗୋଟାଇବାକୁ ଏଆଇଏଡିଏମ୍କେ ସହିତ ପୁନର୍ବାର ମେଣ୍ଟ ଗଠନ କରିବାକୁ ନିଷ୍ପତ୍ତି ଆପାତତଃ ଚୁଡାନ୍ତ କରିଛି ଦଳ।
ଆନ୍ନାମଲାଇଙ୍କ ବିଶାଳ ପଦଯାତ୍ରା ତଥା ବଳିଷ୍ଠ ଛବି ଯୋଗୁ ବିଜେପି ତାମିଲନାଡୁରେଗଗତ ଲୋକସଭା ନିର୍ବାଚନରେ ୧୨ ପ୍ରତିଶତ ଭୋଟ ହାସଲ କରିବାରେ ସକ୍ଷମ ହୋଇଥିଲା। ତେବେ ଷ୍ଟାଲିନଙ୍କ ଡିଏମ୍କେକୁ ଆସନ୍ତା ବିଧାନସଭାରେ ହରାଇବାକୁ ହେଲେ ପ୍ରାୟ ୩୦ ପ୍ରତିଶତ ଭୋଟ ଆବଶ୍ୟକ।

ଭୋଟହାର ବଢିଇବା ପାଇଁ ଏଆଇଏଡିଏମ୍କେ ସହିତ ମେଣ୍ଟ କରିବାକୁ ନିଷ୍ପତ୍ତି ନେଇଛି ଦଳ। କିନ୍ତୁ, ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆନ୍ନାମଲାଇ ସର୍ବଦା ଏହି ମେଣ୍ଟର ବିରୋଧ କରି ଆସୁଛନ୍ତି। ଏପରିକି ଏଆଇଏଡିଏମ୍କେକୁ ଆନ୍ନାମଲାଇ ଅନେକ ଥର ଖୋଲା ବିରୋଧ ମଧ୍ୟ କରିଛନ୍ତି ରାଜନୈତିକ ସଭା ଗୁଡିକରେ।
ସମ୍ଭାବ୍ଯ ମେଣ୍ଟ ପୂର୍ବରୁ ଆନ୍ନାମଲାଇଙ୍କୁ ପ୍ରଦେଶ ଅଧ୍ୟକ୍ଷ ପଦବୀରୁ ହଟାଇବା ଲାଗି ଏଆଇଡିଏମକେ ପକ୍ଷରୁ ଚାପ ପକାଇଯାଇଛି ବୋଲି ଆଲୋଚନା ହେଉଛି।
ଆନ୍ନାମଲାଇ ଇସ୍ତଫା ପ୍ରଦାନ କରିବା ଅବସରରେ କିଛି ସମୟ ପାଇଁ ତାମିଲନାଡୁ ରାଜନୀତିରୁ ଦୂରେଇ ରହିବା କଥା ନିଜେ ଘୋଷଣା କରିଛନ୍ତି। ଏନେଇ ତାଙ୍କର ଦିଲ୍ଲୀରେ ଦାୟିତ୍ବ ବଢିପାରେ ବୋଲି ଚେନ୍ନାଇ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଆଲୋଚନା ହେଉଛି।
ଦକ୍ଷିଣ ରାଜ୍ଯରେ ପତିଆରା: ଆନ୍ନାମଲାଇଙ୍କ ରାଜନୈତିକ ପ୍ରଭାବ କେବଳ ତାମିଲନାଡୁରେ ସୀମିତ ନୁହେଁ। କର୍ଣ୍ଣାଟକରେ ଆନ୍ନାମଲାଇଙ୍କ ପ୍ରବଳ ଜନ ସମର୍ଥନ ରହିଛି। ଏପରିକି କେରଳରେ ମଧ୍ୟ ଆନ୍ନାମଲାଇଙ୍କ ପ୍ରତି ପ୍ରବଳ ଲୋକପ୍ରିୟତା ରହିଛି।
ଆଗାମୀ ଦିନରେ କର୍ଣ୍ଣାଟକ, କେରଳ ତଥା ତାମିଲନାଡୁରେ ବିଧାନସଭା ନିର୍ବାଚନ ରହିଛି। ଏଥିପାଇଁ, ଆନ୍ନାମଲାଇଙ୍କୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ କରିପାରେ ବୋଲି ଚର୍ଚ୍ଚା ଜୋର ଧରିଛି।
ଆର୍ଏସ୍ଏସ୍ର ସହମତି: ବିଜେପିର ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦବୀ ନିମନ୍ତେ ଗତ ତିନିମାସ ହେଲା ଚର୍ଚ୍ଚା ଜାରି ରହିଛି। ଦକ୍ଷିଣରୁ ଅଧ୍ୟକ୍ଷ ପଦବୀ ନିଯୁକ୍ତ କରାଯିବା ନେଇ ବାରମ୍ବାର ଆଲୋଚନା ହୋଇ ଆସୁଛି। ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ଏବଂ ବିଜେପି ମଧ୍ୟରେ ଅଧ୍ୟକ୍ଷ ପଦବୀକୁ ନେଇ ରଣନୀତି ପ୍ରସ୍ତୁତ ହୋଇଥିବା ସମ୍ବନ୍ଧରେ ଆଲୋଚନା ହେଉଛି। ଏହି ପରିସ୍ଥିତିରେ, ଆନ୍ନାମଲାଇଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦବୀରେ ଅବସ୍ଥାପିତ କଲେ ସଂଘର ସହମତି ନିର୍ଦ୍ବନ୍ଦରେ ମିଳିଯିବ ବୋଲି ଆକଳନ କରାଯାଉଛି।












Click it and Unblock the Notifications