ଟିଏମ୍ସି ନେତାଙ୍କୁ ମିଥୁନଙ୍କ ଖୋଲା ଧମକ,କହିଲେ- ଆମେ ସେମାନଙ୍କୁ କାଟି ଦେବୁ
ଉପ ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗର ରାଜନୀତିକ ବାତାବରଣ ଉଷ୍ଣ ହୋଇ ଉଠିଛି। କ୍ଷମତାସୀନ ଟିଏମସି ଓ ବିରୋଧୀ ବିଜେପି ମଧ୍ୟରେ ବାକଯୁଦ୍ଧ ତୀବ୍ର ହୋଇଛି। ଏହିକ୍ରମରେ ନିକଟରେ ଦାଦା ସାହେବ ଫାଲକେ ପୁରସ୍କାର ପାଇଥିବା ଅଭିନେତା ତଥା ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀ ଉତ୍ତେଜନା ସୃଷ୍ଟିକାରୀ ମନ୍ତବ୍ୟ ଦେଇଛନ୍ତି। କୋଲକାତାରେ ୭୪ ବର୍ଷୀୟ ମିଥୁନ ନିଜ ଦଳ ପାଇଁ ପ୍ରଚାର କରିବା ସମୟରେ ଟିଏମସିର କାର୍ଯ୍ୟକର୍ତ୍ତାଙ୍କୁ ଧମକ ଦେଇଛନ୍ତି।
ମିଥୁନ କହିଛନ୍ତି ,ଆମେ ତାଙ୍କୁ କାଟିକି ମାଟିରେ ପୋତି ଦେବୁ। ମୋତେ ଲାଗୁଥିଲା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କିଛି କହିବେ, କିନ୍ତୁ ସେ କିଛି କହିଲେନି।'ରବିବାର କୋଲକାତାରେ ବିଜେପି ସଦସ୍ୟତା ଅଭିଯାନର ଉଦଘାଟନୀ ଉତ୍ସବ ଥିବା ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ମିଥୁନ ଚକ୍ରବର୍ତ୍ତୀଙ୍କୁ ସମ୍ମାନିତ କରିଥିଲେ। ଏହା ପରେ ନଭେମ୍ବର ୩୦ପର୍ଯ୍ୟନ୍ତ ଚାଲିବାକୁ ଥିବା ସଦସ୍ୟତା ଅଭିଯାନରେ ୧କୋଟି ସଦସ୍ୟଙ୍କୁ ଯୋଡିବା ପାଇଁ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଆହ୍ବାନ ଦେଇଥିଲେ ମିଥୁନ। ଏହା ସହ ସେ ବିରୋଧୀ ଦଳ ଟିଏମସିର ନେତା ହୁମାୟୁନ କବୀରଙ୍କୁ ଟାର୍ଗେଟ କରିଥିଲେ।

ସେ କହିଥିଲେ, "ଚଳିତ ବର୍ଷ ମେ' ମାସରେ ଲୋକସଭା ନିର୍ବାଚନ ପାଇଁ ପ୍ରଚାର କରୁଥିବା ବେଳେ ହୁମାୟୁନ କବୀର କହିଥିଲେ, ସେ ଭାଗୀରଥୀ ନଦୀରେ ବିଜେପି ସମର୍ଥକଙ୍କୁ କାଟି ପକାଇଦେବେ। ମୁଁ ଭାବିଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ, କିନ୍ତୁ ସେ କଲେ ନାହିଁ। ହେଲେ ମୁଁ ମୁଖ୍ୟମନ୍ତ୍ରୀ ନହୋଇ ବି କହୁଛି ଯେ, ଆମେ ସେମାନଙ୍କୁ କାଟି ଶ୍ମଶାନରେ ପୋତି ଦେବୁ। ଭାଗୀରଥୀ ନଦୀ ଆମର ମା'। ତେଣୁ ନଦୀକୁ ଅପବିତ୍ର ନକରି ଆମେ ସେମାନଙ୍କୁ ପୋତି ଦେବୁ। ୨୦୨୬ରେ ଆମେ ଟିଏମସିକୁ ହଟାଇବା ପାଇଁ କିଛି ବି କରିବାକୁ ପ୍ରସ୍ତୁତ।"
ତେବେ ମିଥୁନଙ୍କ ଏଭଳି ବୟାନ ପାଇଁ ଏବେ ତାଙ୍କୁ ବିରୋଧୀ ଟାର୍ଗେଟ କରିବା ଆରମ୍ଭ କରିଛି।ଅନ୍ୟପକ୍ଷରେ ଟିଏମସିର ସାଧାରଣ ସମ୍ପାଦକ ଜୟ ପ୍ରକାଶ ମଜୁମଦାର ଏହା ଉପରେ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ "କେହି ବି ତାଙ୍କୁ ଜଣେ ଗୁରୁତ୍ୱପୂର୍ଣ୍ଣ ରାଜନେତା ଭାବେ ବିଚାରକୁ ନେଉ ନାହାନ୍ତି। ସେ ଯେଉଁ ଟିଏମସି ନେତାଙ୍କ ବୟାନ କଥା କହୁଛନ୍ତି, ତା'କୁ ନିର୍ବାଚନ କମିଶନ ହଟାଇ ଦେଇଛନ୍ତି। କିନ୍ତୁ ଏବେ ଅମିତ ଶାହଙ୍କ ଉପସ୍ଥିତିରେ ମିଥୁନ ସେକଥା କହୁଛନ୍ତି। କ'ଣ ଏବେ ଏହାକୁ ନିର୍ବାଚନ କମିଶନ ହଟାଇବେ?"












Click it and Unblock the Notifications