ରାଷ୍ଟ୍ରୀୟ ନବବର୍ଷର ଅନେକ ଶୁଭେଚ୍ଛା; ଜାଣନ୍ତୁ କାହିଁକି ପାଳନ ହୁଏ ଏହି ଦିବସ ?
ନୂଆ ସକାଳର ସୂର୍ଯୋଦୟ ସହ ଆରମ୍ଭ ହୋଇଛି ନୂତନ ବର୍ଷ । ଯାହାକୁ ହିନ୍ଦୁମାନଙ୍କର ରାଷ୍ଟ୍ରୀୟ ନବବର୍ଷ ଭାବେ ପାଳନ କରାଯାଏ । ଚୈତ୍ରଶୁକ୍ଳ ପ୍ରତିପଦାରୁ ଆରମ୍ଭ ହୁଏ ଏହି ନବବର୍ଷ । ଯାହା ସର୍ବାଧିକ ପ୍ରାଚୀନ ଓ ବୈଜ୍ଞାନିକଙ୍କ କାଳଗଣନା ଅନୁସାରେ ବାସ୍ତିବକ ଓ ବେଦ ସମ୍ମତ ମଧ୍ୟ । ଆଉ ଏହି ନବ ବର୍ଷକୁ ପ୍ରଥମେ ସ୍ବାଗତ ଜଣାଏ ସୂର୍ଯ୍ୟର ପହିଲି କିରଣ ।
ଭାରତୀୟ ଶାସ୍ତ୍ର ଅନୁସାରେ ଭଗବାନ ବ୍ରହ୍ମା ଯେଉଁ ଦିନ ସୃଷ୍ଟିର ସର୍ଜନା କରିଥିଲେ ସେବେଠାରୁ କାଳର ଗଣନା ଆରମ୍ଭ ହୋଇଥିଲା । ଆଉ ଆଜି ସେହି ପବିତ୍ର ଦିନ । ସୃଷ୍ଟି ଆରମ୍ଭର ପ୍ରଥମ ଦିନ ଥିଲା ଚୈତ୍ର ଶୁକ୍ଳ ପ୍ରତିପଦା। ଭାରତୀୟ ପରମ୍ପରାରେ ପ୍ରତିବର୍ଷ ଏହି ତିଥିକୁ ନୂଆ ବର୍ଷ ଭାବରେ ପାଳନ କରାଯାଇ ଆସୁଛି ।
ଏହି ଦିନରୁ ଚୈତ୍ର ନବରାତ୍ରିର ଶୁଭାରମ୍ଭ ହୋଇଥାଏ । ଘରେ ଘରେ ମାତୃ ଶକ୍ତିର ଉପାସନା ଆରମ୍ଭ ହୁଏ। ଖାଲି ସେତିକି ନୁହେଁ ଏହି ଦିନ ସହିତ ଇତିହାସ ଓ ପୁରାଣର ବହୁ ଗୁରୁତ୍ବପୂର୍ଣ୍ଣ ଘଟଣା ଯୋଡ଼ି ହୋଇରହିଛି । ଏହି ଚୈତ୍ର ଶୁକ୍ଳ ପ୍ରତିପଦାରେ ଭଗବାନ ଶ୍ରୀରାମଚନ୍ଦ୍ରଙ୍କର ରାଜ୍ୟାଭିଷେକ ହୋଇଥିଲା । ଦ୍ବାପରରେ ଚକ୍ରବର୍ତ୍ତୀ ସମ୍ରାଟ ଧର୍ମରାଜ ଯୁଧିଷ୍ଟିରଙ୍କର ମଧ୍ୟ ରାଜ୍ୟାଭିଷେକ ଏହି ପବିତ୍ର ଦିନରେ ହୋଇଥିଲା ।

ସମ୍ରାଟ ବିକ୍ରମାଦିତ୍ୟ ଏଦି ଦିନ ସିଂହାସନ ଆରୋହଣ କରିବା ସହ ବିକ୍ରମ ସମ୍ବତର ପ୍ରଚଳନ ଆରମ୍ଭ କରିଥିଲେ । ଇଂରାଜୀ କ୍ୟାଲେଣ୍ଡର ଆନୁଯାୟୀ ବର୍ତ୍ତମାନ ୨୦୨୪ ମସିହା । ତେବେ ଭାରତୀୟ କ୍ୟାଲେଣ୍ଡର ବା ପାଞ୍ଜି ଅନୁଯାୟୀ ଆଜିଠାରୁ ଯୁଗାଦ୍ଦ ୫୧୨୬ ର ଆରମ୍ଭ ଏବଂ ବିକ୍ରମ ସମ୍ବତ ୨୦୮୧ ର ଆରମ୍ଭ । ମହାନ ଭାରତୀୟ ସଂସ୍କୃତିର ପରିଚୟ ବିକ୍ରମ ସମ୍ବତ୍ସର ସହ ରହିଛି, ଇଂରାଜୀ ନୂଆ ବର୍ଷ ସହିତ ନୁହେଁ । ଚାଲନ୍ତୁ ସଂସ୍କୃତିର ପ୍ରତୀକ ଭାରତୀୟ ନୂଆ ବର୍ଷକୁ ଚୈତ୍ର ଶୁକ୍ଳ ପ୍ରତିପଦାରେ ପାଳନ କରିବା ।












Click it and Unblock the Notifications