କାହିଁକି ଏହି ବିଶେଷ ରଙ୍ଗର ପଗଡ଼ି ପିନ୍ଧୁଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ଜାଣନ୍ତୁ କାରଣ ?
ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ । ଗୁରୁବାର ବିଳମ୍ବିତ ରାତିରେ ତାଙ୍କର ହୋଇଛି ଦେହାନ୍ତ । ମନମୋହନ ସିଂ ଦିଲ୍ଲୀ AIIMSରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା । ଡ଼ଃ ମନମୋହନ ସିଂ ୧୦ ବର୍ଷ ଧରି ଦେଶର ପ୍ରଧାନମନ୍ତ୍ରୀ ଥିଲେ । ତାଙ୍କ ମୃତ୍ୟୁ ପରେ ସମଗ୍ର ଦେଶରେ ଖେଳିଯାଇଛି ଶୋକର ବାତାବରଣ ।

ମନମୋହନ ସିଂ ସବୁବେଳେ ସମାନ ରଙ୍ଗର ଅର୍ଥାତ୍ ନୀଳର ରଙ୍ଗର ପଗଡି ପିନ୍ଧିଥିବାର ନଜର ଆସୁଥିଲେ। ଏହାପଛର କାରଣ କ'ଣ ? ଥରେ ନୀଳ ପଗଡି ପିନ୍ଧିବାର କାରଣ କହିଥିଲେ ମନମୋହନ ସିଂ । ସେ କହିଥିଲେ ଯେ ନୀଳ ହେଉଛି ତାଙ୍କର ପ୍ରିୟ ରଙ୍ଗ। ୨୦୦୬ରେ ମନମୋହନ ସିଂଙ୍କୁ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରେ ଆଇନ୍ ବିଭାଗରେ ଡକ୍ଟରେଟ୍ ଉପାଧି ମିଳିଥିଲା ।
ଏହି ସମୟରେ ତତ୍କାଳୀନ ଡ୍ୟୁକ୍ ଅଫ୍ ଏଡିନବର୍ଗ ଏବଂ ବିଶ୍ୱବିଦ୍ୟାଳୟର କୁଳପତି ପ୍ରିନ୍ସ ଫିଲିପ୍ ମନମୋହନ ସିଂଙ୍କ ପଗଡି ଏବଂ ଏହାର ରଙ୍ଗ ପ୍ରତି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ନୀଳ ରଙ୍ଗ ମଧ୍ୟ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟର ରଙ୍ଗ । ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନୀଳ ପଗଡି ମଧ୍ୟ ସେଠାରେ ଅଧ୍ୟୟନ କରିବା ଏବଂ ତାଙ୍କର ବିଶ୍ୱବିଦ୍ୟାଳୟ ପ୍ରତି ଥିବା ଭଲପାଇବାକୁ ପ୍ରତିଫଳିତ କରିଥାଏ ।
ମନମୋହନ ସିଂ ଥରେ କହିଥିଲେ ଯେ ସେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ପଢୁଥିବା ସମୟରେ ମଧ୍ୟ ସେ ନୀଳ ପଗଡି ପିନ୍ଧୁଥିଲେ । ଏହି ସମୟ ମଧ୍ୟରେ ତାଙ୍କ ସାଙ୍ଗମାନେ ତାଙ୍କ ନାଁ 'ବ୍ଲୁ ପଗଡି' ରଖିଥିଲେ ।












Click it and Unblock the Notifications