ଶିବରାଜ ସିଂହ ଚୌହାନଙ୍କୁ ଏଭଳି କିଛି ପ୍ରଶ୍ନ କରିଦେଲେ ଉପରାଷ୍ଟ୍ରପତି ଜଗଦୀପ ଧନଖର
ନୂଆଦିଲ୍ଲୀ : କୃଷକ ଆନ୍ଦୋଳନ ଭିତରେ ଉପରାଷ୍ଟ୍ରପତି ଜଗଦୀପ ଧନଖର ଏପରି ବୟାନ ଦେଇଛନ୍ତି ଯାହାକୁ ନେଇ ରାଜନୈତିକ ପାରା ଶିଖର ଛୁଇଁଚି। ଧନଖର କୃଷକ ଆନ୍ଦୋଳନକୁ ନେଇ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ ଉଠାଇଛନ୍ତି। ଏଥିସହ କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ଟାର୍ଗେଟ କରିଛନ୍ତି।
ଦିଲ୍ଲୀ-ନୋଏଡା ସୀମାରେ ଚାଷୀମାନେ ପୁଣି ଥରେ ଆନ୍ଦୋଳନରେ ବସିଥିବା ବେଳେ ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ କହି ଉପରାଷ୍ଟ୍ରପତି ଶ୍ରୀ ଧନଖଡ଼ କୃଷି ମନ୍ତ୍ରୀଙ୍କୁ କହିଥିଲେ, ଆପଣଙ୍କ ପୂର୍ବରୁ ଯିଏ କୃଷି ମନ୍ତ୍ରୀ ଥିଲେ, ସେ ଚାଷୀମାନଙ୍କୁ କିଛି ଲିଖିତ ପ୍ରତିଶ୍ରୁତି ଦେଇଥିଲେ କି? ଯଦି ପ୍ରତିଶ୍ରୁତି ଦିଆଯାଇଥିଲା, ତା'ହେଲେ ଏଯାବତ କାହିଁକି ପାଳନ କରାଯାଇ ନାହିଁ।
ଚାଷୀଙ୍କ ଧୈର୍ଯ୍ୟ ପରୀକ୍ଷା ନ କରିବାକୁ ଚେତାବନୀ ଦେଇ ଉପରାଷ୍ଟ୍ରପତି କହିଥିଲେ ଯେ କୌଣସି ଶକ୍ତି ସେମାନଙ୍କ (ଚାଷୀଙ୍କ) ସ୍ୱରକୁ ଚପାଇ ପାରିବ ନାହିଁ। ଆମେ କ'ଣ ଚାଷୀ ଓ ସରକାରଙ୍କ ମଧ୍ୟରେ ଏକ ପାଚେରୀ ତିଆରି କରିପାରିବା? ମୁଁ ବୁଝିପାରୁନି କାହିଁକି ଏପର୍ଯ୍ୟନ୍ତ ଚାଷୀଙ୍କ ସହିତ ଆଲୋଚନା କରାଯାଇନାହିଁ। ଏହା ତାଙ୍କୁ ଚିନ୍ତିତ କରିଛି ବୋଲି ସେ କହିଥିଲେ।

ଏହି ଅବସରରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଉଦାହରଣ ଦେଇ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ କହିଥିଲେ, ଆପଣ (ଶିବରାଜ ସିଂହ ଚୌହାନ) ହେଉଛନ୍ତି ଦେଶର କୃଷି ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ। ମୋର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ କଥା ଓ ସେ କିପରି ପୂରା ଦେଶକୁ ଏକଜୁଟ କରିଥିଲେ, ସେ କଥା ମୋର ମନେ ପଡୁଛି।
ସ୍ୱାଧୀନତା ପରେ ଗଡ଼ଜାତ ଅଞ୍ଚଳ ଓ ସ୍ୱାଧୀନ ରାଜ୍ୟଗୁଡ଼ିକୁ ଦେଶରେ ମିଶାଇବା ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ ଥିଲା। ଆଉ ସେହି କାମକୁ ସେ ଅତି ସୁନ୍ଦର ଭାବେ ସମାପନ କରିଥିଲେ। ଆଜି ଆପଣ (ଶିବରାଜ ସିଂହ ଚୌହାନ)ଙ୍କ ସମ୍ମୁଖରେ ସେହି ଚ୍ୟାଲେଞ୍ଜ ଅଛି। କୃଷକଙ୍କ ସହିତ ଆଲୋଚନା କରି ସମସ୍ୟାର ସମାଧାନ କରିବା ମଧ୍ୟ ସେହିଭଳି ଗୁରୁତ୍ୱପୂର୍ଣ୍ଣ ଯେମିତି ଦେଶର ଏକତାକୁ ଅକ୍ଷୁର୍ଣ୍ଣ ରଖିବା।
ସେ ଆହୁରି କହିଥିଲ, ଯେତେବେଳେ ଏଭଳି ଘଟଣା ଘଟିବ, ବିଶ୍ୱରେ ଆମ ଭାବମୂର୍ତ୍ତି ଭଲ ରହିବ ନାହିଁ। କାହିଁକି ଚିନ୍ତାରେ ଅଛନ୍ତି ଚାଷୀ? ଏହାକୁ ହାଲକାରେ ନେବା ଅର୍ଥ ଆମେ ସେମାନଙ୍କ ସମସ୍ୟାକୁ ଅନୁଭବ କରିପାରୁନାହୁଁ। ଆମର ନୀତି ଓ ଯୋଜନା ଠିକ ନୁହେଁ। କୌଣସି ଶକ୍ତି କୃଷକମାନଙ୍କ ସ୍ବରକୁ ଚପାଇ ପାରିବ ନାହିଁ। ଯଦି ଚାଷୀଙ୍କ ର୍ଧଯ୍ୟ ପରୀକ୍ଷା କରିବାକୁ ପ୍ରୟାସ କରାଯିବ, ତା'ହେଲେ ଦେଶକୁ ଏହାର ବଡ଼ ମୂଲ୍ୟ ଦେବାକୁ ପଡିବ।
ଉତ୍ତର ପ୍ରଦେଶର ହଜାର ହଜାର ଚାଷୀ ଦିଲ୍ଲୀ-ନୋଏଡା ସୀମାରେ ଆନ୍ଦୋଳନ କରୁଛନ୍ତି। ସେମାନେ ଦିଲ୍ଲୀ ଚଲୋ ନାରା ଦେଇ ବାହାରିଥିଲେ। କିନ୍ତୁ ସେମାନଙ୍କୁ ଦିଲ୍ଲୀ-ନୋଏଡା ସୀମାରେ ଅଟକାଇ ଦେଇଥିଲା ପୋଲିସ। ତା'ପରେ ସେମାନେ ସେଠାରେ ଆନ୍ଦୋଳନରେ ବସିଛନ୍ତି। ସେହିପରି ଚାଷୀମାନଙ୍କ ଆଉ ଏକ ଗୋଷ୍ଠୀ ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି ନେଇ ଗତ ଫେବ୍ରୁଆରୀ ମାସରୁ ହରିୟାଣା-ପଞ୍ଜାବ ସୀମାରେ ଆନ୍ଦୋଳନ କରୁଛନ୍ତି। ସେମାନେ ଆନ୍ଦୋଳନକୁ ଆହୁରି ଜୋରଦାର କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଆସନ୍ତା ୬ ତାରିଖରେ ଦିଲ୍ଲୀ ଅଭିମୁଖେଯାତ୍ରା କରିବେ ବୋଲି କହିଛନ୍ତି।












Click it and Unblock the Notifications