ଛାଡ଼ପତ୍ର ପରେ ସ୍ଵାମୀଙ୍କୁ ଭରଣ ପୋଷଣ ଦାବି ଉପରେ ସୁପ୍ରିମ କୋର୍ଟଙ୍କ ଭତ୍ସନା, କହିଲେ ଆପଣ ନିଜେ......
ସୁପ୍ରିମକୋର୍ଟ ସୋମବାର ଏକ ମାମଲାର ଶୁଣାଣି କରି କହିଛନ୍ତି, ଯୋଗ୍ୟ ମହିଳାମାନେ ସେମାନଙ୍କ ଜୀବିକା ନିର୍ବାହ ପାଇଁ ରୋଜଗାର କରିବା ଉଚିତ। ଛାଡ଼ପତ୍ର ପରେ ଉଚ୍ଚ ଶିକ୍ଷିତା ମହିଳାମାନେ ସ୍ବାମୀଙ୍କଠାରୁ ଭରଣପୋଷଣ ଦାବି କରିବା ଉଚିତ ନୁହେଁ। ପ୍ରଧାନ ବିଚାରପତି ବି.ଆର୍. ଗବଇ ଭରଣପୋଷଣ ସମ୍ବନ୍ଧୀୟ ଏକ ମାମଲାର ଶୁଣାଣି କରି ଜଣେ ମହିଳାଙ୍କୁ ଭର୍ତ୍ସନା କରି କହିଛନ୍ତି, ଆପଣ ଏତେ ଉଚ୍ଚଶିକ୍ଷିତା। ଏମ୍ବିଏ କରିଛନ୍ତି। ଭରଣପୋଷଣ ଦାବି କରିବା ଅପେକ୍ଷା ନିଜେ ରୋଜଗାର କାହିଁକି କରୁନାହାନ୍ତି।
ବିବାହର ମାତ୍ର ୧୮ ମାସ ପରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କଠାରୁ ଛାଡ଼ପତ୍ର ନେଇଥିବାବେଳେ ଭରଣପୋଷଣ ବାବଦରେ ସ୍ୱାମୀଙ୍କଠାରୁ ମୁମ୍ବାଇରେ ଏକ ଫ୍ଲାଟ୍, ୧୨ କୋଟି ଟଙ୍କା ଓ ଏକ ବିଏମ୍ଡବ୍ଲ୍ୟୁ କାର୍ ମାଗିଥିଲେ । ସେହି ମାମଲାରେ ସିଜେଆଇ ବି.ଆର୍ ଗଭଇଙ୍କ ଖଣ୍ଡପୀଠ ଶୁଣାଣି କରି ମହିଳା ଜଣଙ୍କୁ ଏକ ପ୍ରସ୍ତାବ ଦେବା ସହ ମାମଲାକୁ ସଂରକ୍ଷିତ ରଖିଛନ୍ତି। କୋର୍ଟ କହିଛନ୍ତି, ମହିଳା ଜଣଙ୍କ ଗୋଟିଏ ଫ୍ଲାଟରେ ସନ୍ତୁଷ୍ଟ ହୁଅନ୍ତୁ କିମ୍ଵା ୪ କୋଟି ନେଇ ଭଲ ଚାକିରି ଖୋଜନ୍ତୁ।

ମହିଳା ନିଜର ଆବେଦନରେ ଦର୍ଶାଇଥିଲେ ଯେ, ତାଙ୍କ ସ୍ୱାମୀ ବହୁତ ଧନୀ । ସେ ସିଟି ବ୍ୟାଙ୍କ୍ରେ ମ୍ୟାନେଜର ଭାବେ କାମ କରନ୍ତି । ତାଙ୍କର ଆଉ ଦୁଇଟି ବ୍ୟବସାୟ ମଧ୍ୟ ରହିଛି । ସେ ସିଜୋଫ୍ରେନିୟା (ମାନସିକ ରୋଗରେ) ପୀଡ଼ିତ ଥିବା ଦର୍ଶାଇ ସ୍ୱାମୀ ତାଙ୍କ ନିକଟରୁ ଛାଡ଼ପତ୍ର ପାଇଁ ଦାବି କରିଛନ୍ତି । ପ୍ରକୃତରେ କିନ୍ତୁ ସେ ମାନସିକ ରୋଗୀ ନୁହନ୍ତି । ସେହିପରି ସ୍ୱାମୀ ତାଙ୍କୁ ପୂର୍ବ ଚାକିରି ଛାଡି଼ବା ଲାଗି ବାଧ୍ୟ କରିଥିଲେ । ସେ ଏକ ସନ୍ତାନ ଚାହୁଁଥିଲେ । କିନ୍ତୁ ସ୍ୱାମୀ ତାଙ୍କୁ ସନ୍ତାନ ଦେଲେ ନାହିଁ । ବରଂ ତାଙ୍କ ବିରୋଧରେ ମିଥ୍ୟା ଏତଲା ରୁଜୁ କରାଇଥିଲେ। ସେଥିଯୋଗୁ ତାଙ୍କୁ ଅନ୍ୟତ୍ର ଚାକିରି ମିଳୁନାହିଁ । ଏପରିକି ତାଙ୍କ ଓକିଲଙ୍କୁ ମଧ୍ୟ ସ୍ୱାମୀ ଉସ୍କାଇଥିବା ସେ ଦର୍ଶାଇଥିଲେ । ଏପରିସ୍ଥଳେ ଭରଣପୋଷଣ ବାବଦକୁ ମହିଳା ସ୍ୱାମୀଙ୍କଠାରୁ ମୁମ୍ବାଇର କଳ୍ପତରୁ କଂପ୍ଲେକ୍ସରେ ଏକ ଫ୍ଲାଟ୍, ୧୨ କୋଟି ଟଙ୍କା ଓ ଏକ ବିଏମ୍ଡବ୍ଲ୍ୟୁ କାର୍ ମାଗିଥିଲେ ।
ମାମଲାର ଶୁଣାଣି ସମୟରେ ସିଜେଆଇଙ୍କ ଖଣ୍ଡପୀଠ ମହିଳାଙ୍କ ଉଦ୍ଦେଶ୍ୟରେ କହିଥିଲେ, ଆପଣଙ୍କ ବିବାହ ମାତ୍ର ୧୮ ମାସ ତିଷ୍ଠିଛି । ଆପଣ ୧୨ କୋଟି, ବିଏମ୍ଡବ୍ଲ୍ୟୁ ମାଗୁଛନ୍ତି । କିନ୍ତୁ ଆପଣ ଶ୍ୱଶୁରଙ୍କ ସମ୍ପତ୍ତି ଉପରେ ଦାବି କରିପାରିବେନି । ଆପଣ ଉଚ୍ଚ ଶିକ୍ଷିତ । ଆଇଟି ବିଶେଷଜ୍ଞ । ଏମ୍ବିଏ କରିଛନ୍ତି । ଏହି ପେସାରେ ଲୋକଙ୍କର ବହୁତ ଡିମାଣ୍ଡ ରହିଛି ।
ହାଇଦ୍ରାବାଦ, ବେଙ୍ଗାଲୁରୁ ପରି ସହରରେ ଥିବା ଆଇଟି କ୍ଷେତ୍ରରେ ଆପଣଙ୍କ ପରି ଉଚ୍ଚଶିକ୍ଷିତା ମହିଳାଙ୍କ ଚାହିଦା ଅଧିକ। ଆପଣଙ୍କର ବିବାହ ମାତ୍ର ୧୮ ମାସ ତିଷ୍ଠିଛି। ଏହାସତ୍ତ୍ୱେ ବି ଆପଣଙ୍କୁ ବିଏମ୍ଡବ୍ଲ୍ୟୁ କାର୍ ଦରକାର ବୋଲି କହି ପ୍ରଧାନ ବିଚାରପତି ଜଷ୍ଟିସ୍ ଗବଇ ମହିଳାଙ୍କ ଉପରେ ଅସନ୍ତୋଷ ପ୍ରକାଶ କହିଛନ୍ତି।












Click it and Unblock the Notifications