କିଏ ନେବେ ଏନ୍. ବୀରେନ୍ ସିଂହଙ୍କ ସ୍ଥାନ?
ମଣିପୁରରେ ଜାତିଗତ ହିଂସା ଘଟିବାର ପ୍ରାୟ ଦୁଇ ବର୍ଷ ପରେ, ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହ ରବିବାର (୯ ଫେବୃଆରୀ, ୨୦୨୫) ଇମ୍ଫାଲର ରାଜଭବନରେ ରାଜ୍ୟପାଳ ଅଜୟ କୁମାର ଭଲ୍ଲାଙ୍କୁ ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ଏବେ ପ୍ରଶ୍ନ ହେଉଛି ମଣିପୁରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବରେ ବୀରେନ ସିଂହଙ୍କ ସ୍ଥାନ କିଏ ନେବେ।
ଏନ୍. ବୀରେନ୍ ସିଂହ ରବିବାର ନିଜ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ଜରୁରିକାଳୀନ ସ୍ଥିତିର ମୁକାବିଲା ଲାଗି ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସିଂହଙ୍କ ଇସ୍ତଫା ପରେ ବିକ୍ଷୋଭ ଆଶଙ୍କା କରି ସମ୍ବେଦନଶୀଳ ଅଞ୍ଚଳରେ ବହୁ ସଂଖ୍ୟକ ପୁଲିସ କର୍ମୀ ଓ ଯବାନ ମୁତୟନ ହୋଇଛନ୍ତି ।

ବିଶେଷ କରି ରାଜନୈତିକ ଭାବେ ସମ୍ବେଦନଶୀଳ ଭ୍ୟାଲି ଅଞ୍ଚଳ ଉପରେ ଫୋକସ୍ କରାଯାଉଛି । କୌଣସି ପ୍ରକାର ବିଶୃଙ୍ଖଳାର ମୁକାବିଲା ଲାଗି ସେଠାରେ ମୁତୟନ ପୁଲିସ, ଯବାନମାନଙ୍କ ନିକଟରେ ଡ୍ରୋନ୍, ହ୍ୟାଣ୍ଡ ଜାମର ପ୍ରଭୃତି ରହିଛି । କିଛି ବୁଲେଟପ୍ରୁଫ୍ ଗାଡି଼ ମଧ୍ୟ ମଗାଯାଇଛି ।
ସେପଟେ ନୂଆ ମୁଖ୍ୟମନ୍ତ୍ରୀ ନିଯୁକ୍ତ ନ ହେବା ଯାଏ କାମଚଳା ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବେ ବୀରେନ୍ ସିଂହ । ଆଗାମୀ ଦୁଇ ଦିନ ମଧ୍ୟରେ ରାଜ୍ୟକୁ ନୂଆ ମୁଖ୍ୟମନ୍ତ୍ରୀ ମିଳିପାରନ୍ତି । ଏଥିଲାଗି ବିଜେପି ବିଧାୟକ ୱାଇ ଖେମଚାନ୍ଦ ସିଂହଙ୍କ ନାମ ଚର୍ଚ୍ଚାରେ ରହିଛି । ଖେମଚାନ୍ଦ ସିଂହ କହିଛନ୍ତି, ରାଜ୍ୟରେ ସାମାନ୍ୟ ସ୍ଥିତି ଫେରାଇ ଆଣିବା ବର୍ତ୍ତମାନ ମୁଖ୍ୟ ଚାଲେଞ୍ଜ ।
ଦଳର ବ୍ୟବସ୍ଥା ଅନୁସାରେ ହାଇକମାଣ୍ଡ ଯାହା ସ୍ଥିର କରିବେ ତାକୁ ଆମେ ଗ୍ରହଣ କରିବୁ । ମଣିପୁରରେ ୨୦୨୩ ମେ ମାସରୁ କୁକି ଓ ମୈତେଇ ସମୁଦାୟ ମଧ୍ୟରେ ହିଂସା ଲାଗି ରହିଛି । ସେଥିଯୋଗୁ ୨୦୦ରୁ ଅଧିକ ଲୋକେ ପ୍ରାଣ ହରାଇଛନ୍ତି । ଏହି ହିଂସା ଯୋଗୁ ବୀରେନ୍ ସିଂହଙ୍କ ଉପରେ ଚାପ ଥିଲା । ତାଙ୍କ ବିରୋଧରେ ଜନ ଅସନ୍ତୋଷ ବଢ଼ିବାରେ ଲାଗିଥିଲା ।












Click it and Unblock the Notifications