ମଙ୍କିପକ୍ସର ପ୍ରଥମ ଟିକାକୁ WHO ଅନୁମୋଦନ , ଜାଣନ୍ତୁ କେମିତି ନେବେ ଏହି ଠିକା
ପ୍ରଥମ ମଙ୍କିପକ୍ସ ଟିକାକୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ମଞ୍ଜୁରୀ । ଡେନମାର୍କ ବାୟୋକେଟ୍ କମ୍ପାନି ବାଭାରିଆନ୍ ନର୍ଡିକ୍ର ଏମ୍ଭିଏ-ବିଏନ୍ ଏମ୍ପକ୍ସ ଟିକାକୁ ମଞ୍ଜୁରୀ ମିଳିଛି । ଏହି ଟିକାକୁ ୪ ସପ୍ତାହ ବ୍ୟବଧାନରେ ୧୮ବର୍ଷା କିମ୍ବା ଉର୍ଦ୍ଧ୍ବ ରୋଗୀଙ୍କୁ ଦୁଇଟି ଡୋଜ୍ ଦିଆଯିବ ।

ଆଫ୍ରିକୀୟ ଦେଶଗୁଡ଼ିକରେ ବହୁଳ ଭାବେ ବ୍ୟାପିବାରେ ଲାଗିଛି ମାରାତ୍ମକ ମଙ୍କିପକ୍ସ । ଏହାକୁ ରୋକିବା ଲାଗି ଡବ୍ଲ୍ୟୁଏଚ୍ଓ ଡେନ୍ମାର୍କର ବାୟୋଟେକ୍ କମ୍ପାନୀ ବାଭାରିଆନ୍ ନର୍ଡିକ୍ର ଏମ୍ଭିଏ-ବିଏନ୍ ଏମ୍ପକ୍ସ ଟିକାକୁ ଶୁକ୍ରବାର ମଞ୍ଜୁରି ପ୍ରଦାନ କରିଛି । ଏହା ମଙ୍କିପକ୍ସ ନିରୋଧୀ ପ୍ରଥମ ଟିକା ଭାବେ ଡବ୍ଲ୍ୟୁଏଚ୍ଓର ତାଲିକାରେ ସାମିଲ ହୋଇଛି । ଏମ୍ପକ୍ସ ବିରୋଧରେ ଏହି ଟିକାର ପ୍ରିକ୍ୱାଲିଫିକେସନ ଆଫ୍ରିକା ଏବଂ ଅନ୍ୟ ଦେଶଗୁଡ଼ିକରେ ଥିବା ସଂକ୍ରମଣ ବିରୋଧରେ ଲଢ଼େଇକୁ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ଦେଖାଇବ ବୋଲି ଡବ୍ଲ୍ୟୁଏଚ୍ଓ ମହାନିର୍ଦ୍ଦେଶକ ଡ. ଟେଡ୍ରୋସ୍ ଅଧୋନମ୍ କହିଛନ୍ତି । ଏବେ ଟିକାର ବଡ଼ ମାତ୍ରାରେ ଉତ୍ପାଦନ ଏବଂ ସମାନ ଭାବେ ବଣ୍ଟନକୁ ସୁନିଶ୍ଚିତ କରିବାକୁ ପଡ଼ିବ । ବିଶେଷକରି ବହୁଳ ସଂକ୍ରମଣ ଥିବା ଦେଶଗୁଡ଼ିକୁ ଏହାକୁ ପ୍ରାଥମକିତା ଭିତ୍ତିରେ ପ୍ରଦାନ କରାଯିବା ଜରୁରି ବୋଲି ସେ ପ୍ରକାଶ କରିଛନ୍ତି ।
ଡବ୍ଲ୍ୟୁଏଚ୍ଓ ଅନୁସାରେ, ୧୮ ବର୍ଷ କିମ୍ବା ଅଧିକ ବୟସର ଲୋକଙ୍କୁ ଏହି ଟିକା ଦିଆଯାଇପାରିବ । ୪ ସପ୍ତାହ ବ୍ୟବଧାନରେ ଦୁଇଟି ଡୋଜ୍ ନେବାକୁ ପଡ଼ିବ । ଟିକାକୁ ୮ ସପ୍ତାହ ପାଇଁ ୨ରୁ ୮ ଡିଗ୍ରୀ ସେଲ୍ସିୟସ୍ ତାପମାତ୍ରାରେ ଗଚ୍ଛିତ ରଖାଯାଇପାରିବ । ୧୮ ବର୍ଷରୁ କମ୍ ବୟସର ଲୋକଙ୍କୁ ଟିକା ନେବାକୁ ଅନୁମତି ନ ଥିଲେ ହେଁ ଆବଶ୍ୟକ ସ୍ଥଳେ ଶିଶୁ ତଥା ପିଲାଙ୍କୁ ଦିଆଯାଇପାରିବ । ଏହାର ସିଙ୍ଗିଲ୍ ଡୋଜ୍ ୭୬% ପର୍ଯ୍ୟନ୍ତ ପ୍ରଭାବୀ । ଦୁଇଟି ଡୋଜ୍ର ପ୍ରଭାବ ୮୦% ରୁ ଉର୍ଦ୍ଧ୍ବ ରହିବ । ଆମେରିକାରେ ବାଭାରିଆନ୍ ନର୍ଡିକ୍ ଭାକ୍ସିନ୍ ଜିନେଓସ୍ ଭାବେ ମଧ୍ୟ ଜଣା, ଯାହା କି ପୂର୍ବରୁ ବସନ୍ତ ରୋଗ ଲାଗି ମଞ୍ଜୁରି ପାଇଥିଲା । ଏକମାତ୍ର ନନ୍-ରିପ୍ଲିକେଟିଂ ଏମ୍ପକ୍ସ ଭାକ୍ସିନ୍ ଭାବେ ଏହା ଆମେରିକା, ସୁଇଜରଲାଣ୍ଡ୍, ସିଙ୍ଗାପୁର ଏବଂ କାନାଡା, ୟୁଏ/ଇଏଏ, ବ୍ରିଟେନରେ ଅନୁମତି ପାଇଥିଲା ।












Click it and Unblock the Notifications