କେବଳ ପ୍ରଶ୍ନପତ୍ର ନୁହେଁ, ଦିନେ ଦେଶର ବଜେଟ୍ ପେପର ହୋଇଥିଲା ଲିକ
ନୂଆଦିଲ୍ଲୀ: ସାରା ଦେଶରେ ଏବେ ନିଟ ପେପର ଲିକ୍ କୁ ନେଇ ଚର୍ଚ୍ଚା ଜୋର ଧରିଛି । ନିଟ୍ ପେର୍ପ ଲିକ୍ ନେଇ ସାରା ଦେଶ ଉଠୁଛି ପଡୁଛି । ଜାତୀୟ ରାଜନୀତି, ସୁପ୍ରିମକୋର୍ଟ ଓ ସଂସଦରେ ଏହାକୁ ନେଇ ବିବାଦ ତେଜିବାରେ ଲାଗିଛି । ପରୀକ୍ଷାରେ ବ୍ୟାପକ ଅନିୟମିତତା ସହ ପ୍ରଶ୍ନପତ୍ର ଲିକ ପ୍ରସଙ୍କ ଚାରିଆଡେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।
ତେବେ ଦେଶରେ କେବଳ ପ୍ରଶ୍ନ ପତ୍ର ନୁହେଁ ଦେଶର ବଜେଟ୍ ବି ଲିକ୍ ହୋଇଛି । ଏକ ରିପୋର୍ଟ ଅନୁସାରେ ୧୯୫୦ ମସିହାରେ ସଂସଦରେ ଉପସ୍ଥାପନ ପୂର୍ବରୁ ଦେଶର ବଜେଟ ଲିକ୍ ହୋଇଯାଇଥିଲା ଓ ସେତେବେଳେ ଏହି ଘଟଣାକୁ ନେଇ ସାରା ଦେଶରେ ହଙ୍ଗାମା ହୋଇଥିଲା । ଏହି କାରଣରୁ ତତ୍କାଳୀନ ଅର୍ଥମନ୍ତ୍ରୀ ଜନ ମଥାଇଙ୍କୁ ହଟାଇ ଦିଆଯାଇଥିଲା । ଏହି ଘଟଣା ପରେ ବଜେଟର ମୁଦ୍ରଣ ସ୍ଥାନ ମଧ୍ୟ ବଦଳାଇ ଦିଆଯାଇଥିଲା ।
ସେତେବେଳେ ୧୯୫୦ ମସିହା ପର୍ଯ୍ୟନ୍ତ ରାଷ୍ଟ୍ରୀୟ ଭବନରେ ବଜେଟ୍ ମୁଦ୍ରିତ ହୋଇ ଆସୁଥିଲା । କିନ୍ତୁ ବଜେଟ୍ ପେପର୍ ଲିକ୍ ହେବା ପରେ ବର୍ତ୍ତମାନର ନୂଆଦିଲ୍ଲୀର ମିଣ୍ଟୋ ରୋଡରେ ଅବସ୍ଥିତ ପ୍ରେସରେ ବଜେଟ୍ ଛାପିବାକୁ ନିଷ୍ପତ୍ତି ନିଆ ଯାଇଥିଲା । ଏଠାରେ ୧୯୭୯ ପର୍ଯ୍ୟନ୍ତ ମୁଦ୍ରଣ ହୋଇଥିଲା । ଏହା ପରେ, ୧୯୮୦ ମସିହାରୁ, ଉତ୍ତର ବ୍ଲକର ତଳ ମହଲାରେ ନିର୍ମିତ ପ୍ରିଣ୍ଟିଂ ପ୍ରେସରେ ବଜେଟ୍ ଛପା ହେବା ଆରମ୍ଭ ହେଲା । ଆଜି ବି ଏଠାରେ ବଜେଟ୍ ଛପା ହେଉଛି ।

ବଜେଟ ଉପସ୍ଥାପନା ପୂର୍ବରୁ ହାଲୱା ସମାରୋହ ଅନୁଷ୍ଠିତ ହୁଏ । ଏହି ସମାରୋହ ପରେ ଅର୍ଥ ମନ୍ତ୍ରଣାଳୟ ଏବଂ ବଜେଟ ସହିତ ଜଡିତ ପ୍ରାୟ ୧୦୦ କର୍ମଚାରୀ ନର୍ଥ ବ୍ଲକର ତଳ ମହଲାରେ ଥିବା ପ୍ରିଣ୍ଟିଂ ପ୍ରେସରେ କଡା ସୁରକ୍ଷାରେ କିଛିଦିନ ଯାଏଁ ରହିଥା'ନ୍ତି । ଯେତେବେଳେ ଅର୍ଥମନ୍ତ୍ରୀ ସଂସଦରେ ବଜେଟ ଉପସ୍ଥାପନ କରନ୍ତି,
ସେତେବେଳେ ଯାଇ ଏହି କର୍ମଚାରୀମାନଙ୍କୁ ସେମାନଙ୍କ ପରିବାର ସହିତ ଯୋଗାଯୋଗ କରିବାକୁ ଅନୁମତି ଦିଆଯାଏ । ତେବେ ଏପରି ନିୟମ ପୂର୍ବପରି ବଜେଟ ଲିକ୍ ନ ହେବା ପାଇଁ କରାଯାଇଛି । ବର୍ତ୍ତମାନ ବଜେଟ ବ୍ରିଫକେସ୍କୁ ଏକ ଲାଲ ବ୍ୟାଗରେ ପରିବର୍ତ୍ତନ କରାଯାଇଛି । ବଜେଟ ବର୍ତ୍ତମାନ କାଗଜ ବଦଳରେ ମେଡ ଇନ ଇଣ୍ଡିଆ ଟାବଲେଟରୁ ପଢାଯାଉଛି ।












Click it and Unblock the Notifications