ୟୁନିଫର୍ମ ସିଭିଲ କୋଡ କଣ?
ୟୁନିଫର୍ମ ସିଭିଲ କୋଡ ବା ଏକକ ନାଗରିକ ସଂହିତା ଦେଶରେ ବିଭିନ୍ନ ଧର୍ମମତ ନିର୍ବିଶେଷରେ ଏକ ପ୍ରକାରର ଆଇନ କାନୁନ ଲାଗୁ କରିବା ପାଇଁ ଉଦ୍ଦିଷ୍ଟ । ବିବାହ, ଛାଡପତ୍ର, ଉତ୍ତରାଧିକାରୀ ଚୟନ ତଥା ପୋଷ୍ୟ ସନ୍ତାନ ଗ୍ରହଣ ଇତ୍ୟାଦି କ୍ଷେତ୍ରରେ ଏକକ ଆଇନ କାର୍ଯ୍ୟକାରୀ କରିବା ପାଇଁ ଏଥିରେ ବିଧି ବ୍ୟବସ୍ଥା ରହିବ ।

ଭାରତୀୟ ସମ୍ବିଧାନ ସାମାଜିକ ସମଭାବପନ୍ନ ଏବଂ ଧର୍ମନିରପେକ୍ଷତାରେ ବିଶ୍ବାସ ରଖୁଥିବା ବେଳେ ଏବେ ସୁଦ୍ଧା ଦେଶରେ ଭିନ୍ନ ଭିନ୍ନ ଧର୍ମାବଲମ୍ବିଙ୍କ ମଧ୍ୟରେ ରହିଛି ନିଜସ୍ଵ ସାମାଜିକ ପଦ୍ଧତି। ଯଦିଓ କୌଣସି ଧର୍ମର ବିରୁଦ୍ଧାଚରଣ କରିବା ନିମନ୍ତେ ପ୍ରସ୍ତାବିତ ସିଭିଲ କୋଡରେ ଉଲ୍ଲେଖ ନହିଁ, କିନ୍ତୁ ଧର୍ମ ମତ ନିର୍ବିଶେଷରେ ଏକତ୍ଵ ବା ସମାନତ୍ଵ ରହିବା ଉପରେ ଏଥିରେ ଗୁରୁତ୍ଵାରୋପ କରାଯାଇଛି । ଅର୍ଥାତ ନାଗରିକଙ୍କ ମୌଳିକ ଅଧିକାର ଏଥିରେ ଅଧିକ ସୁଦୃଢ ହେବ ନେଇ ଗୁରୁତ୍ଵାରୋପ କରାଯାଇଛି ।
କାହିଁକି ଚର୍ଚ୍ଚାରେ ଏହି ଆଇନ: ୟୁନିଫର୍ମ ସିଭିଲ କୋଡ ବା ଏକକ ନାଗରିକ ସଂହିତା କାର୍ଯ୍ୟକାରୀ ହେବା ଦ୍ଵାରା ହିନ୍ଦୁ, ମୁସଲିମ, ଖ୍ରୀଷ୍ଟିଆନ, ପାର୍ସି ତଥା ଅନ୍ଯାନ୍ଯ ଧର୍ମ ଓ ସଂପ୍ରଦାୟ ଗୁଡିକର ରହିଥିବା କେତେକ ଆଇନ ଗୁଡିକ ଅସିଦ୍ଧ ହୋଇଯିବା ସମ୍ଭାବନା ରହିଛି । ଏହାଦ୍ବାରା କେତେକ ଧର୍ମାବଲମ୍ବୀ ଏହି ଆଇନକୁ ସମର୍ଥନ କରୁଥିବା ବେଳେ କିଛି ଧାର୍ମିକ ନେତା ଏହାକୁ ବିରୋଧ କରୁଛନ୍ତି।
ହିନ୍ଦୁ ସକସେସନ ଆଇନ (୧୯୫୬), ମୁସଲିମ ପରସନାଲ ଲ' ଆପ୍ଲିକେସନ ବୋର୍ଡ (୧୯୩୭), ହିନ୍ଦୁ ବିବାହ ଆଇନ (୧୯୫୫) ଇତ୍ୟାଦି ଆଇନ ଏକକ ନାଗରିକ ସଂହିତା କାର୍ଯ୍ୟକାରୀ ହେଲେ ଅସିଦ୍ଧ ହୋଇଯିବ । ଏଥିଯୋଗୁ ଦେଶରେ ଏହି ପ୍ରସ୍ତାବିତ ଆଇନକୁ ନେଇ ଦୀର୍ଘ ବର୍ଷ ଧରି ବିବାଦ ଲାଗି ରହିଛି ।
ଏକକ ନାଗରିକ ସଂହିତାରେ ଫାଇଦା:
ଏକକ ନାଗରିକ ସଂହିତାର ସବୁଠାରୁ ବଡ ଫାଇଦା ହେଉଛି ବିଭିନ୍ନ ଧର୍ମରେ ରହିଥିବା ଭିନ୍ନ ଭିନ୍ନ ଆଚାର ସଂହିତାରେ ମାନବିକତା ଦୃଷ୍ଟିକୋଣରୁ ସଂଶୋଧନ। ସବୁ ଧର୍ମ ସମାନ ବୋଲି ସମ୍ବିଧାନରେ ରହିଥିବା ମୌଳିକ ନୀତିକୁ ଏହା ଅଧିକ ସୁଦୃଢ କରିବ । ଏହା ସମ୍ବିଧାନରେ ଉଲ୍ଲେଖ ଥିବା ସର୍ବ ଧର୍ମ ସମନ୍ଵୟ ନୀତିକୁ ଅଧିକ ପ୍ରାମାଣିକ ତଥା ବାସ୍ତବିକ ସ୍ୱରୂପ ଦେବା ନିମନ୍ତେ ଏକ ଅମୋଘ ଆଇନ ସାବ୍ୟସ୍ତ ହେବ । ମହିଳା ମାନଙ୍କୁ ବିବାହ, ଛାଡପତ୍ର, ଉତ୍ତରାଧିକାରୀ, ପୋଷ୍ୟ ସନ୍ତାନ ଗ୍ରହଣ ଇତ୍ୟାଦି କ୍ଷେତ୍ରରେ ଧାର୍ମିକ ଜଟିଳତା ଯୋଗୁଁ ରହିଥିବା ସମସ୍ୟାରୁ ମୁକ୍ତି ଦେବା ସହିତ ଅଧିକ ସାମାଜିକ ସୁରକ୍ଷା ପ୍ରଦାନ କରିବ ।
ନାଗରିକମାନେ ଦେଇପାରିବେ ନିଜର ମତାମତ: ଦେଶର ଲ' କମିଶନଦ୍ଵାରା ଏହି ପ୍ରସ୍ତାବିତ ବିଧେୟକ ଉପରେ ମତାମତ ଜଣାଇବା ପାଇଁ ଭାରତୀୟ ନାଗରିକଙ୍କୁ ଆହ୍ଵାନ କରାଯାଇଛି । ଚଳିତ ବର୍ଷ ଜୁଲାଇ ମାସ ୧୪ ତାରିଖ ପର୍ଯ୍ୟନ୍ତ ଏହା ଉପରେ ଲୋକମାନେ ମତାମତ ପ୍ରଦାନ କରିବା ପାଇଁ କମିଶନ ପକ୍ଷରୁ ସୁଯୋଗ ପ୍ରଦାନ କରାଯିବ । ନାଗରିକମାନେ ୩ହଜାର ଶବ୍ଦ ମଧ୍ୟରେ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରି ପାରିବେ ।












Click it and Unblock the Notifications