ଜମ୍ମୁ ଓ କାଶ୍ମୀର ପହଲଗାମ ଆତଙ୍କବାଦୀ ଆକ୍ରମଣ: କିଏ ସେହି ଟିଆରଏଫ? ଯାହାକୁ ଆଇଏସଆଇ କରୁଛି ସହାୟତା.....
ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ବେଳକୁ ବେଳ ଆସୁଛି ନୂଆ ନୂଆ ଅପଡେଟ୍ । ସୈତାନଙ୍କ ଏହି ରକ୍ତର ହୋଲିରେ ଯାଇଛି ୨୬ ଜଣ ନୀରିହ ପର୍ଯ୍ୟଟକଙ୍କ ଜୀବନ । ମଙ୍ଗଳବାର ଜମ୍ମୁକାଶ୍ମୀର ଅନନ୍ତନାଗ ଜିଲ୍ଲାର ପହଲଗାମ ବୈସରନ ଭ୍ୟାଲିରେ ଆତଙ୍କବାଦୀ ମାନେ ଏହି ବୀଭତ୍ସ ଖେଳ ଖେଳିଯାଇଛନ୍ତି । ତେବେ ସବୁଠାରୁ ବଡ କଥା ହେଉଛି ୨୬ ଜଣ ମୃତକଙ୍କ ମଧ୍ୟରେ ୨ ଜଣ ବିଦେଶୀ ପର୍ଯ୍ୟଟକ, ଦୁଇ ଜଣ ସ୍ଥାନୀୟ ବାସିନ୍ଦା ଏବଂ ବହୁ ଉଚ୍ଚପଦାଧିକାରୀ ବ୍ୟକ୍ତିବିଶେଷ ରହିଛନ୍ତି । ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ଭୟାନକ ଆକ୍ରମଣ କରିଥିବା ଆତଙ୍କବାଦୀ ଗୋଷ୍ଠୀ ଟିଆରଏଫ୍ (ଦି ରେସିଷ୍ଟାନ୍ସ ଫ୍ରଣ୍ଟ୍) ହେଉଛି ଏଲ୍ଇଟି (ଲସ୍କର ଏ ତୋଏବା)ର ଏକ ଶାଖା ସଂଗଠନ ଏହା ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍ଆଇରୁ ସିଧାସଳଖ ସହାୟତା ପାଉଥିବା ଜଣାପଡ଼ିଛି।

ଦକ୍ଷିଣ ଏସିଆ ଆତଙ୍କବାଦ ପୋର୍ଟାଲ ଅନୁଯାୟୀ ଟିଆର୍ଏଫ୍ ୨୦୧୯ ଅଗଷ୍ଟରେ ଜମ୍ମୁ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ହେବାପରେ ଆସିଥିଲା। ଟିଆର୍ଏଫ୍ର ନେତୃବୃନ୍ଦ ମଧ୍ୟରେ ସାଜିଦ ଜାଟ, ସାଜ୍ଜଦ ଗୁଲ୍ ଏବଂ ସଲିମ ରେହମାନି ଥିବା ଜଣାପଡ଼ିଛି। ସମସ୍ତେ ଏଲ୍ଇଟି ସହ ଜଡ଼ିତ। ଟିଆର୍ଏଫ୍ ପ୍ରଥମେ କରାଚିରେ ସୋସିଆଲ ମିଡିଆ ଗୋଷ୍ଠୀରୁ ଆରମ୍ଭ ହୋଇଥିଲା।
ଟିଆରଏଫ୍ ଟେଲିଗ୍ରାମ୍, ହ୍ବାଟ୍ସଆପ୍, ଟ୍ବିଟର, ଫେସବୁକ୍ ଆଦିରେ ଏହାର ଦୃଢ଼ ଉପସ୍ଥିତି ରହିଛି। ପ୍ରଚାର ପ୍ରସାର, ଧ୍ରୁବୀକରଣ ଏବଂ ନିଯୁକ୍ତି ଉଦ୍ଦେଶ୍ୟରେ ଟିଆର୍ଏଫ୍ ଏହି ସୋସିଆଲ ମିଡିଆ ମଞ୍ଚଗୁଡ଼ିକର ବ୍ୟବହାର କରେ। ଭିନ୍ନ ଭିନ୍ନ ଆତଙ୍କବାଦୀ ଗୋଷ୍ଠୀ ଏଲ୍ଇଟି, ତେହରିକ ଏ ମିଲ୍ଲତ ଇସଲାମିଆ ଏବଂ ଗଜନବୀ ହିନ୍ଦ୍ର ଏହା ଏକ ସମ୍ମିଶ୍ରଣ। ୨୦୨୩ ଜାନୁଆରିରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଟିଆର୍ଏଫ୍କୁ ନିଷିଦ୍ଧ କରିଥିଲେ। ଟିଆର୍ଏଫ୍ ଅନଲାଇନ୍ ମାଧ୍ୟମରେ ଯୁବକମାନଙ୍କୁ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ନିଯୁକ୍ତ କରୁଛି। ଟିଆର୍ଏଫ୍ ମଧ୍ୟ ଆଜି ଆକ୍ରମଣ ପରେ ଏକ ବିବୃତି ଜାରି କରି ନିଜକୁ ଦାୟୀ କରିଛି। ଟିଆର୍ଏଫ୍କୁ କଶ୍ମୀରରୁ ମୂଳପୋଛ କରିବା ପାଇଁ ମିଳିତ ସୁରକ୍ଷା ବାହିନୀର ଅଭିଯାନ ଆରମ୍ଭ ହୋଇଛି।












Click it and Unblock the Notifications