ଭାରତ ରାଷ୍ଟ୍ରପତିଙ୍କ ଦରମା କେତେ ? କେଉଁ ସବୁ ସୁବିଧା ପାଇବେ ଦ୍ରୌପଦୀ ମୁର୍ମୁ ?
ଭାରତର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଦ୍ରୌପଦୀ ମୁର୍ମୁ । ଭାରତର ମହାମହିମ ରାଷ୍ଟ୍ରପତି ଭାବେ ଆସନ୍ତା ୨୫ ତାରିଖରେ ପଦ ଓ ଗୋପନୀୟତାର ଶପଥ ନେବେ ଦ୍ରୌପଦୀ ମୁର୍ମୁ ।
ଭୁବନେଶ୍ୱର: ଭାରତର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଦ୍ରୌପଦୀ ମୁର୍ମୁ । ଭାରତର ମହାମହିମ ରାଷ୍ଟ୍ରପତି ଭାବେ ଆସନ୍ତା ୨୫ ତାରିଖରେ ପଦ ଓ ଗୋପନୀୟତାର ଶପଥ ନେବେ ଦ୍ରୌପଦୀ ମୁର୍ମୁ । ପ୍ରଥମ ଆଦିବାସୀ ମହିଳା ଯିଏକି ଦେଶର ସର୍ବୋଚ୍ଚ ପଦ ପାଇଁ ନେବେ ଶପଥ। ତେବେ ଆସନ୍ତୁ ଜାଣିବା ରାଷ୍ଟ୍ରପତି ହେବା ପରେ ଦ୍ରୌପଦୀଙ୍କୁ କେଉଁ କେଉଁ ସୁବିଧା ମିଳିବ? ତାଙ୍କର କେତେ ଦରମା ହେବ ଏବଂ କି କି ସୁବିଧା ତାଙ୍କୁ ମିଳିବ ?

ରାଷ୍ଟ୍ରପତିଙ୍କ ଦରମା:
ଗତ ଅକ୍ଟୋବର ୨୦୧୮ରେ ଭାରତର ରାଷ୍ଟ୍ରପତିଙ୍କ ମାସିକ ବେତନ ୧.୫ଲକ୍ଷ ଟଙ୍କାରୁ ବଢି ୫ ଲକ୍ଷ ଟଙ୍କା ହୋଇଥିଲା। ସେବେଠାରୁ ରାଷ୍ଟ୍ରପତି ମାସିକ ୫ ଲକ୍ଷ ଟଙ୍କା ବେତନ ପାଇ ଆସୁଛନ୍ତି। ତେବେ ରାଷ୍ଟ୍ରପତିଙ୍କ ବେତନରେ କୌଣସି ଶୁଳ୍କ ଲାଗେନି କି ରାଷ୍ଟ୍ରପତିଙ୍କୁ ଆୟକର ଦେବାକୁ ପଡେନି। ଏହା ଛଡା ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ସମାପ୍ତିରେ ତାଙ୍କୁ ମାସିକ ୧.୫ ଲକ୍ଷ ଟଙ୍କା ପେନସନ ମିଳିଥାଏ।
ଦରମା ସହିତ ମାଗଣା ମେଡିକାଲ, ଟେଲିଫୋନ୍, ବିଜୁଳି ସମସ୍ତ ଭତା ବି ମିଳିବ । ରାଷ୍ଟ୍ରପତିଙ୍କୁ ମର୍ସିଡିଜ୍-ବେଞ୍ଜ ଏସ୍-୬୦୦ ପୁଲମ୍ୟାନ୍ ଗାର୍ଡ ଗାଡ଼ି ମିଳିଥାଏ । ରାଷ୍ଟ୍ରପତିଙ୍କ ପାଖରେ ୮୬ ଜଣିଆ ସ୍ୱତନ୍ତ୍ର ଗାର୍ଡ ଥାଏ, ଯାହାଙ୍କୁ ପ୍ରେସିଡେନ୍ସିଆଲ ବଡିଗାର୍ଡ କୁହାଯାଏ ।
ରାଷ୍ଟ୍ରପତିଙ୍କୁ ମାଗଣା ଘର, ଦୁଇଟି ମୋବାଇଲ ଫୋନ୍ ଓ ଆଜୀବନ ମାଗଣା ଚିକିତ୍ସା ସୁବିଧା ମିଳିବ। ପୂର୍ବତନ ରାଷ୍ଟ୍ରପତିମାନଙ୍କୁ ଜଣେ ସହଯୋଗୀଙ୍କ ସହ ଟ୍ରେନ୍ କିମ୍ବା ଆକାଶମାର୍ଗରେ ଯାତ୍ରା କରିବା ପାଇଁ ସୁବିଧା ମିଳିଥାଏ । ୩୪୦ ଏକର ରାଷ୍ଟ୍ରପତି ଭବନକୁ ବ୍ରିଟିଶ ଭାଇସରୟଙ୍କ ପାଇଁ ନିର୍ମାଣ କରାଯାଇଥିଲା । ଏଡୱର୍ଡ ଲୁଟିୟନ୍ସ ଓ ହରବର୍ଟ ବେକର ଏହାର ଡିଜାଇନ କରିଥିଲେ । ଏହାକୁ ନିର୍ମାଣ କରିବାକୁ ୧୭ ବର୍ଷ ଲାଗିଥିଲା । ରାଷ୍ଟ୍ରପତି ଭବନରେ ୩୪୦ ଟି କଠୋରୀ ରହିଛି । ସେତେବେଳେ ଏହି ବିରାଟ ଭବନକୁ ନିର୍ମାଣ ପାଇଁ ଲାଗିଥିଲା ୪୫ ଲକ୍ଷ ଇଟା ।
ରାଷ୍ଟ୍ରପତିଙ୍କ ଶକ୍ତି ସାମର୍ଥ୍ୟ:
ତିନି ସେନାର ମୁଖ୍ୟ ହେଉଛନ୍ତି ରାଷ୍ଟ୍ରପତି । ଧାରା ୭୨ ଆଧାରରେ ରାଷ୍ଟ୍ରପତି ଦୋଷୀଙ୍କ ଦଣ୍ଡକୁ କ୍ଷମା କରିପାରିବେ । ଫାଶୀ ଦଣ୍ଡାଦେଶ ପାଇଥିବା ଦୋଷୀଙ୍କ ଉପରେ ମଧ୍ୟ ନିଷ୍ପତି ନେଇପାରନ୍ତି । ଭାରତର ମୁଖ୍ୟ ବିଚାରପତି, ରାଜ୍ୟ ହାଇକୋର୍ଟଙ୍କ ଜଜ୍, ରାଜ୍ୟପାଳ, ନିର୍ବାଚନ କମିଶନର ଓ ରାଷ୍ଟ୍ରଦୂତଙ୍କ ନିଯୁକ୍ତି ମଧ୍ୟ ରାଷ୍ଟ୍ରପତି କରିଥାନ୍ତି ।
ଧାରା ୩୫୨ ଆଧାରରେ ରାଷ୍ଟ୍ରପତି ଯୁଦ୍ଧ କିମ୍ବା ବାହ୍ୟ ଆକ୍ରମଣ କିମ୍ବା ସଶସ୍ତ୍ର ବିଦ୍ରୋହ ସମୟରେ ଦେଶରେ ଜରୁରୀ ପରିସ୍ଥିତି ଘୋଷଣା କରିପାରନ୍ତି । ଯଦି କୌଣସି ରାଜ୍ୟରେ ସାମ୍ବିଧାନିକ ବ୍ୟବସ୍ଥା ବିଫଳ ହୁଏ, ତେବେ ରାଷ୍ଟ୍ରପତି ୩୫୬ର ବ୍ୟବହାର କରି ରାଷ୍ଟ୍ରପତି ଶାସନ ଲାଗୁ କରିପାରିବେ । ଯଦି ସଂସଦରେ ଦ୍ୱିତୀୟଥର କୌଣସି ବିଲ୍ ପାରିତ ହୁଏ, ତେବେ ରାଷ୍ଟ୍ରପତିଙ୍କୁ ସ୍ବାକ୍ଷର କରିବାକୁ ପଡ଼ିଥାଏ । ତେବେ ମୋଟ୍ ଉପରେ ଦ୍ରୌପଦୀ ମୁର୍ମୁ ଭାରତର ରାଷ୍ଟ୍ରପତି ହେବା ପରେ ଏହି ସବୁ କ୍ଷମତା ପାଇବେ।












Click it and Unblock the Notifications