ମୋଦୀ କ୍ୟାବିନେଟର ବଡ଼ ନିଷ୍ପତ୍ତି ; ଏଣିକି ଛାତ୍ରଛାତ୍ରୀଙ୍କୁ ମିଳିବ ୧୦ଲକ୍ଷ ଟଙ୍କା ଯାଏଁ ଲୋନ୍
ମୋଦୀ କ୍ୟାବିନେଟର ବଡ଼ ନିଷ୍ପତ୍ତି । କେନ୍ଦ୍ର ସରକାର ମେଧାବୀ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ପିଏମ୍ ବିଦ୍ୟାଲକ୍ଷ୍ମୀ ଯୋଜନା ଆରମ୍ଭ କରିଛନ୍ତି । ବୁଧବାର କେନ୍ଦ୍ରୀୟ କ୍ୟାବିନେଟ୍ ପିଏମ୍-ବିଦ୍ୟାଲକ୍ଷ୍ମୀ ଯୋଜନାକୁ ମଞ୍ଜୁରି ଦେଇଛନ୍ତି । ଏହି ଯୋଜନା ମାଧ୍ୟମରେ ବର୍ଷକୁ ଦେଶରେ ପ୍ରାୟ ୨୨ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଏହି ଯୋଜନାର ଲାଭ ମିଳିବ ।
ଉଚ୍ଚ ଶିକ୍ଷା ପାଇଁ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଟଙ୍କା ଏବେ ବାଧକ ହେବ ନାହିଁ । ଯେଉଁ ଛାତ୍ରଛାତ୍ରୀ ଅର୍ଥ ଅଭାବରୁ ଅଧାରରେ ପାଠ ଛାଡ଼ିବା ପାଇଁ ବାଧ୍ୟ ହେଉଥିଲେ, ସେମାନଙ୍କୁ ଭଲ କଲେଜରେ ଆଡମିଶନ ପାଇଁ ଗ୍ୟାରେଣ୍ଟି ମିଳିବ । ପିଏମ୍ ବିଦ୍ୟାଲକ୍ଷ୍ମୀ ଯୋଜନା ଜରିଆରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ୧୦ ଲକ୍ଷ ଟଙ୍କା ଯାଏ ଲୋନ ସହଜରେ ଉପଲବ୍ଧ କରାଯିବ । ଛାତ୍ରଛାତ୍ରୀମାନଙ୍କୁ କୌଣସି ବନ୍ଧକ ଅବା ଗ୍ୟାରେଣ୍ଟି ବିନା ଋଣ ପ୍ରଦାନ କରାଯିବ ବୋଲି କ୍ୟାବିନେଟ ବୈଠକ ପରେ କେନ୍ଦ୍ର ସୂଚନା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଛନ୍ତି।

ପିଏମ୍ ବିଦ୍ୟାଲକ୍ଷ୍ମୀ ଯୋଜନା ଅନ୍ତର୍ଗତ ବାର୍ଷିକ ୧୦୦,୦୦୦ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଅଧ୍ୟୟନ ପାଇଁ ଶିକ୍ଷା ଋଣ ଯୋଗାଇ ଦିଆଯିବ। ବାର୍ଷିକ ଆୟ ୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଥିବା ପରିବାରର ପିଲାମାନେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ତିନି ପ୍ରତିଶତ ସୁଧ ସବସିଡି ପାଇବେ। ଏଥିସହ, ପରିବାରର ଆୟ ୪.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଥିବା ପିଲାମାନଙ୍କ ପାଇଁ ସମ୍ପୂର୍ଣ୍ଣ ସୁଧ ଛାଡ୍ ଉପଲବ୍ଧ ହେବ।
ଆର୍ଥିକ ସ୍ଥିତି ଯୋଗୁ କୌଣସି ଯୋଗ୍ୟ ଛାତ୍ରଛାତ୍ରୀଙ୍କ ଶିକ୍ଷାରେ ଯେପରି ବାଧା ସୃଷ୍ଟି ନ ହେବ ସେଥିପ୍ରତି ଦୃଷ୍ଟି ରଖି ସରକାର ଏହି ଯୋଜନା ଉପରେ ଗୁରୁତ୍ୱାରୋପ କରିଛନ୍ତି। ପ୍ରକ୍ରିୟାକୁ ଶୃଙ୍ଖଳିତ କରିବା ପାଇଁ ପିଏମ୍ ବିଦ୍ୟାଲକ୍ଷ୍ମୀ ପୋର୍ଟାଲ ମାଧ୍ୟମରେ ଋଣ ଆବେଦନ, ଅନୁମୋଦନ ଏବଂ ବିତରଣ ପରିଚାଳନା କରାଯିବ।
ପ୍ରତିବର୍ଷ ଉଚ୍ଚଶିକ୍ଷା ବିଭାଗ ଏହି ଯୋଜନା ଅନ୍ତର୍ଗତ ଯୋଗ୍ୟ ଉଚ୍ଚମାନର ଅନୁଷ୍ଠାନଗୁଡ଼ିକର ତାଲିକା ପ୍ରସ୍ତୁତ କରିବେ। ଏହି ତାଲିକାରେ ରାଷ୍ଟ୍ରୀୟ ଅନୁଷ୍ଠାନ ରାଙ୍କିଙ୍ଗ୍ ଫ୍ରେମୱାର୍କ (ଏନଆଇଆରଏଫ) ର ବିଭିନ୍ନ ବର୍ଗରେ ସ୍ଥାନିତ ଶ୍ରେଷ୍ଠ ୧୦୦ ଅନୁଷ୍ଠାନ, ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ଶ୍ରେଷ୍ଠ ୨୦୦ଅନୁଷ୍ଠାନ ଅନ୍ତର୍ଭୁକ୍ତ ହେବ।












Click it and Unblock the Notifications