ଅନାସ୍ଥା ପ୍ରସ୍ତାବ କ’ଣ ? ଅଡ଼ୁଆରେ ପଡ଼ିବେ କି ମୋଦି ସରକାର ? ଜାଣନ୍ତୁ; ଭାରତୀୟ ରାଜନୀତିରେ ଅନାସ୍ଥା ପ୍ରସ୍ତାବର ଇତିହାସ...
ନୂଆଦିଲ୍ଲୀ: ମଣିପୁର ଯୌନ ହିଂସାକୁ ନେଇ ମୋଦି ସରକାର ମୁହଁ ଖୋଲୁ ନଥିବା ବେଳେ ବିରୋଧୀ ଗୃହରେ ଆଜି ସରକାରଙ୍କ ବିରୋଧରେ ଅନାସ୍ତା ପ୍ରସ୍ତାବ ଆଣିଛନ୍ତି । କଂଗ୍ରେସ ଦଳର ସଦସ୍ୟ ରଞ୍ଜନ ଗୋଗୋଇଙ୍କ ଦ୍ୱାରା ନିଆଯାଇଥିବା ଏହି ନିଷ୍ପତ୍ତିକୁ ସଂସଦରେ ବିତର୍କ ପାଇଁ ଅନୁମୋଦନ ମିଳିଛି । ଲୋକସଭା ବାଚସ୍ପତି ଓମ ବିର୍ଲା କହିଛନ୍ତି ଯେ, ସମସ୍ତ ଦଳର ନେତାଙ୍କ ସହ କଥାବାର୍ତ୍ତା ହେବା ପରେ ସେ ଏହା ଉପରେ ଆଲୋଚନା ତାରିଖ ସମ୍ପର୍କରେ ସୂଚନା ଦେବେ । ଆସନ୍ତା ୧୦ ଦିନ ମଧ୍ୟରେ ଏହା ଉପରେ ବିତର୍କ ହେବ ।
ଅନାସ୍ଥା ପ୍ରସ୍ତାବ କ'ଣ ? ଭାରତୀୟ ରାଜନୀତିରେ ଅନାସ୍ଥା ପ୍ରସ୍ତାବର ଇତିହାସ କଣ ରହିଛି ? ବିରୋଧୀଙ୍କ ଏହି ଅନାସ୍ଥା ପ୍ରସ୍ତାବ ମୋଦି ସରକାରଙ୍କୁ ଅଡ଼ୁଆରେ ପକାଇ କି ? ଅନାସ୍ଥା ପ୍ରସ୍ତାବ ପରେ କାହା ପାଖରେ ରହିଛି କେତେ ସାଂସଦ ? ଆସନ୍ତୁ, ଜାଣିବା ଆପଣଙ୍କ ମନରେ ଉଙ୍କି ମାରୁଥିବା ଏହି ସମସ୍ତ ପ୍ରଶ୍ନର ଉତ୍ତର ବିଷୟରେ...

ଅନାସ୍ଥା ପ୍ରସ୍ତାବ କ'ଣ ?
ସଂସଦୀୟ ଗଣତନ୍ତ୍ରରେ, ନିର୍ବାଚିତ ସରକାର ସେହି ପର୍ଯ୍ୟନ୍ତ କ୍ଷମତାରେ ରହିପାରିବେ, ଯେଉଁ ପର୍ଯ୍ୟନ୍ତି ନିର୍ବାଚିତ ସଦନ (ଲୋକସଭା) ସଂଖ୍ୟା ଗରିଷ୍ଠତା ହାସଲ କରିଥିବେ। ଆମ ସମ୍ବିଧାନର ଧାରା ୭୫ (୩)ରେ ନିୟମ ରହିଛି ଯେ, ମନ୍ତ୍ରୀ ପରିଷଦ ସାମୂହିକ ଭାବରେ ଲୋକସଭା ପାଇଁ ଉତ୍ତରଦାୟୀ ରୁହନ୍ତି । ଲୋକସଭାର ଯେକୌଣସି ସଦସ୍ୟ ଅନାସ୍ଥା ପ୍ରସ୍ତାବ ପାଇଁ ୫୦ ସାଂସଦଙ୍କ ସମର୍ଥନ ଜୁଟାଇ ନିଅନ୍ତି । ତେବେ ସେ ଯେକୌଣସି ସମୟରେ ମନ୍ତ୍ରୀ ପରିଷଦ ବିରୋଧରେ ଏକ ଅନାସ୍ଥା ପ୍ରସ୍ତାବ ଆଣି ପାରିବେ।
ତେବେ କୌଣସି ଅନାସ୍ଥା ପ୍ରସ୍ତାବ ମଞ୍ଜୁର ହେବା ପରେ ଏହାକୁ ସଂସଦରେ ଆଲୋଚନା କରାଯାଇଥାଏ । ଏହି ପ୍ରସ୍ତାବକୁ ସମର୍ଥନ କରୁଥିବା ସାଂସଦମାନେ ସରକାରଙ୍କ ତ୍ରୁଟିକୁ ସଂସଦରେ ଉଠାନ୍ତି । ଟ୍ରେଜେରୀ ବେଞ୍ଚ ସେମାନଙ୍କ ଦ୍ୱାରା ଉଠାଯାଇଥିବା ସମସ୍ୟାର ଜବାବ ଦିଅନ୍ତି । ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ପରେ ମତଦାନ କରାଯାଏ । ଯଦି ଲୋକସଭାର ଅଧିକାଂଶ ସଦସ୍ୟ ସରକାର ସପକ୍ଷରେ ଭୋଟ ଦିଅନ୍ତି, ତେବେ ସରକାର କ୍ଷମତାରେ ରହିଥାନ୍ତି । ଅନ୍ୟପକ୍ଷେ, ଯଦି ଅଧିକାଂଶ ସାଂସଦ ଏହି ଅନାସ୍ଥା ପ୍ରସ୍ତାବକୁ ଭୋଟ ଦିଅନ୍ତି, ତେବେ ସରକାର ଭାଙ୍ଗି ଯାଇଥାଏ ।
କାହା ପାଖରେ ରହିଛି କେତେ ସାଂସଦ ?
ସୂଚନାଥାଉ କି, ସଂଖ୍ୟା ଖେଳରେ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ଫେଲ ମାରିବା ଏକ ପ୍ରକାରର ସୁନିଶ୍ଚିତ । କାରଣ ଲୋକସଭାରେ ଏନଡିଏର ସାଂସଦଙ୍କ ସଂଖ୍ୟା ୩୩୧ ରହିଛି । ଏକାକୀ ବିଜେପି ପାଖରେ ୩୦୩ ଜଣ ସଦସ୍ୟ ଅଛନ୍ତି । ବିରୋଧୀ ଇ.ଣ୍ଡି.ଆର ସାଂସଦଙ୍କ ସଂଖ୍ୟା ୧୪୪ । ସେହିପରି କେସିଆର, ବିଜେଡି ଓ ୱାଇଏସ୍ଆର କଂଗ୍ରେସ ପାଖରେ ୭୦ ଜଣ ସାଂସଦ ରହିଛନ୍ତି । ତେଣୁ ଅନାସ୍ଥା ପ୍ରସ୍ତାବକୁ ମାତ୍ ଦେବାକୁ ମୋଦି ସରକାର ସକ୍ଷମ । ତଥାପି ଏହା ଉପରେ ଆଲୋଚନା ହେବ । ସବୁ ଦଳର ସାଂସଦ ନିଜ ନିଜ ପକ୍ଷ ରଖିବେ ।
ଅନାସ୍ଥା ପ୍ରସ୍ତାବର ଇତିହାସ କଣ ରହିଛି ?
ଭାରତ ଇତିହାସରେ ଏପର୍ଯ୍ୟନ୍ତ ୨୭ଟି ଅନାସ୍ଥା ପ୍ରସ୍ତାବ ଅଣାଯାଇଛି । ମୋଦି ସରକାରଙ୍କ ବିରୋଧରେ ଶେଷ ଅନାସ୍ଥା ପ୍ରସ୍ତାବ ଜୁଲାଇ ୨୦୧୮ରେ ଅଣା ଯାଇଥିଲା । ଏହି ପ୍ରସ୍ତାବ ମଧ୍ୟ ସେତେବେଳେ ବିଫଳ ହୋଇଥିଲା । ସେତେବେଳେ ଏନଡିଏ ୩୨୫ ଭୋଟ ପାଇଥିବା ବେଳେ ବିରୋଧୀ ୧୨୬ ଭୋଟ ପାଇଥିଲେ । ୧୯୬୩ ମସିହାରେ ପଣ୍ଡିତ ନେହେରୁଙ୍କ ବିରୋଧରେ ଦେଶରେ ପ୍ରଥମ ଅନାସ୍ଥା ପ୍ରସ୍ତାବ ଅଣା ଯାଇଥିଲା । ଏହି ପ୍ରସ୍ତାବକୁ କଂଗ୍ରେସ ନେତା ଆଚାର୍ଯ୍ୟ କୃପାଳିନୀ ଆଣିଥିଲେ । କିନ୍ତୁ ସେତେବେଳେ ମଧ୍ୟ ଏହା ବିଫଳ ହୋଇଥିଲା । ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ ୧୫ ଥର ଅନାସ୍ଥା ପ୍ରସ୍ତାବ ଅଣା ଯାଇଥିଲା ଏବଂ ସେ ପ୍ରତ୍ୟେକ ଥର ନିଜ ସରକାରକୁ ବଞ୍ଚାଇବାରେ ସଫଳ ହୋଇଥିଲେ । ତେବେ ମୋରାଜୀ ଦେଶାଇ, ଚରଣ ସିଂହ, ଭିପି ସିଂହ ଓ ଅଟଳ ବିହାରୀ ବାଜପେୟୀଙ୍କ ସରକାର ଅନାସ୍ଥା ଭୋଟରେ ଫେଲ ମାରିଥିଲେ ।












Click it and Unblock the Notifications