ରାଜ୍ୟସଭାରେ ବି ପାସ୍ ହେଲା ୱାକଫ ବିଲ୍: ସପକ୍ଷରେ ୧୨୮, ବିପକ୍ଷରେ ୯୫ଟି ଭୋଟ୍, ସପକ୍ଷରେ ଭୋଟ୍ ଦେଲେ ସସ୍ମିତ ପାତ୍ର
ଲୋକସଭା ପରେ ରାଜ୍ୟସଭାରେ ପାସ୍ ହେଲା ୱାକଫ ବିଲ୍ । ବିଲ୍ ସପକ୍ଷରେ ୧୨୮ଟି ଭୋଟ୍ ପଡ଼ିଥିବା ବେଳେ ବିପକ୍ଷରେ ୯୫ଟି ଭୋଟ୍ ପଡ଼ିଥିଲା।
ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହା ଆଇନରେ ପରିଣତ ହେବ। ରାଜ୍ୟସଭା ପୂର୍ବରୁ ବୁଧବାର ଲୋକସଭାରେ ଏହି ବିଲ୍ ଆଗତ ହୋଇଥିଲା। ୧୨ ଘଣ୍ଟାର ଆଲୋଚନା ପରେ ସରକାର ଏହାକୁ ପାରିତ କରିବାରେ ସଫଳ ହୋଇଛନ୍ତି।
ଏଥିସହ ୱାକଫ୍ ଏବେ ଆଇନରେ ପରିଣତ ହେବାରୁ ମାତ୍ର ଗୋଟିଏ ପାଦ ଦୂରରେ। ବିଲକୁ ଏବେ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯିବ।

ଲୋକସଭାରେ ଏହି ବିଲ୍ ସପକ୍ଷରେ ୨୮୮ଟି ଭୋଟ୍ ପଡ଼ିଥିବା ବେଳେ ବିପକ୍ଷରେ ୨୩୨ଟି ଭୋଟ୍ ପଡ଼ିଛି। ରାଜ୍ୟସଭାରେ ଆଲୋଚନା ବେଳେ ବିରୋଧୀ ଦଳ ସଦସ୍ୟମାନେ ଏହାକୁ ତୀବ୍ର ବିରୋଧ କରିଥିଲେ। କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳମାନେ ଏହାକୁ ଅସାମ୍ବିଧାନିକ ବୋଲି କହିଥିଲେ।
ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି, ବିଲରେ ଅନେକ ତ୍ରୁଟି ରହିଛି। ମୁସଲିମ୍ ସମ୍ପ୍ରଦାୟକୁ ହଇରାଣ କରିବା ପାଇଁ ସରକାର ଏହି ବିଲ୍ ଆଣିଛନ୍ତି। ୱାକଫ ବୋର୍ଡକୁ ନେଇ ଆଇନ ପୂର୍ବରୁ ରହିଛି ଏବଂ ଏଥିରେ ପରିବର୍ତ୍ତନ କରାଯାଇପାରିବ। ଏଥିପାଇଁ ନୂଆ ବିଲର ଆବଶ୍ୟକତା ନାହିଁ। ଏହି ବିଲକୁ ପ୍ରତ୍ୟାହାର କରିବାକୁ ସରକାରଙ୍କୁ ଅନୁରୋଧ କରିଥିଲେ।
ସେପଟେ ସଂଖ୍ୟାଲଘୁ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, ୱାକଫ ବୋର୍ଡ ଏକ ସାମ୍ବିଧାନିକ ସଂସ୍ଥା ଏବଂ ଏହା ଧର୍ମନିରପେକ୍ଷ ହେବା ଉଚିତ। ଜଣେ ବି ମୁସଲମାନ ଏହି ବିଲ୍ ଦ୍ୱାରା ପ୍ରଭାବିତ ହେବେ ନାହିଁ। ଏହାଦ୍ୱାରା କୋଟି କୋଟି ମୁସଲମାନ ଉପକୃତ ହେବେ ବୋଲି କହିଛନ୍ତି ।
ଉଭୟ ଲୋକସଭା ଓ ରାଜ୍ୟସଭାରେ ପାରିତ ହୋଇଛି ୱାକଫ୍ ବିଲ୍ । ଆଉ ଏହି ବିଲ୍ ସପକ୍ଷରେ ଭୋଟ୍ ଦେଇଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର। ଏଏନଆଇକୁ ପ୍ରତିକ୍ରିୟା ଦେଇ ଏହି ସୂଚନା ଦେଇଛନ୍ତି ବିଜେଡି ସାଂସଦ। କହିଛନ୍ତି ଯେ, ସେ ବିଲକୁ ସମର୍ଥନ କରିଛନ୍ତି। ତେବେ ବିଜେଡିର ବାକି ସାଂସଦଙ୍କ ସମ୍ପର୍କରେ ଏନେଇ କୌଣସି ଆଲୋଚନା କରିନାହାନ୍ତି।
ୱାକଫ୍ ବିଲକୁ ନେଇ ପୂର୍ବରୁ ଜୋରଦାର ବିରୋଧ କରିଥିଲା ବିଜେଡି। ତେବେ ଭୋଟିଂରେ ଦଳର ସାଂସଦମାନେ ଭାଗ ନେବେ କି ନାହିଁ, ସେ ନେଇ ଦେଖା ଦେଇଥିଲା ଦ୍ବନ୍ଦ୍ବ। କିନ୍ତୁ ଗତକାଲି ସସ୍ମିତ ତାଙ୍କ ଟ୍ବିଟରରେ ଉଲ୍ଲେଖ କରିଥିଲେ ଯେ, ଭୋଟିଂରେ ଭାଗ ନେବା ନେଇ କୌଣସି ହ୍ବିପ ଜାରି କରାଯାଇନାହିଁ। ତେଣୁ ସଦସ୍ୟମାନେ ନିଜ ବିବେକ ଅନୁସାରେ ଭୋଟ ଦେଇପାରିବେ। ସେପଟେ କିନ୍ତୁ ବିଜେଡିର ଅନ୍ୟତମ ସାଂସଦ ମୁନ୍ନା ଖାଁ ବିଲ୍ ବିରୋଧରେ ନିଜର ମତ ରଖିଥିଲେ। ଏପରିକି ତାଙ୍କ ଦଳ ବିଲ୍ ବିରୋଧରେ ଭୋଟ୍ କରିବ ବୋଲି କହିଥିଲେ। ଏବେ ପ୍ରଶ୍ନ ଉଠୁଛି, ଯଦି ସସ୍ମିତ ବିଲ୍ ସପକ୍ଷରେ ଭୋଟ୍ ଦେଇଛନ୍ତି। ତା ହେଲେ ବାକି ସାଂସଦମାନେ ସପକ୍ଷରେ, କି ବିପକ୍ଷରେ ଭୋଟ୍ ଦେଇଛନ୍ତି, ତାହା ଏବେ ବି ସସପେନ୍ସ।












Click it and Unblock the Notifications