ବିହାରରେ ସରିଲା ମତଦାନ: ଦ୍ବିତୀୟ ପର୍ଯ୍ୟାୟରେ 68.79% ଭୋଟ୍, ଇଭିଏମ୍ ରେ ସିଲ୍ ପ୍ରାର୍ଥୀଙ୍କ ଭାଗ୍ୟ
2025 ବିହାର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଦାନ ଶେଷ ହୋଇଛି। ଦ୍ବିତୀୟ ପର୍ଯ୍ୟାୟରେ ବମ୍ପର ଭୋଟିଂର ଖବର ମିଳୁଛି । 68.79 ପ୍ରତିଶତ ମତଦାନ ରେକର୍ଡ କରାଯାଇଛି । ଏହି ପର୍ଯ୍ୟାୟରେ 20ଟି ଜିଲ୍ଲାର 122ଟି ଆସନ ପାଇଁ ମତଦାନ ହୋଇଥିଲା। ଭୋଟ ଦେବା ପାଇଁ ସକାଳ ୭ଟାରୁ ମତଦାତାଙ୍କ ଭିଡ଼ ମତଦାନ କେନ୍ଦ୍ରରେ ଦେଖିବାକୁ ମିଳିଥିଲା।
ଦ୍ବିତୀୟ ପର୍ଯ୍ୟାୟରେ 68.79 ପ୍ରତିଶତ ମତଦାନ
ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ଭୟଙ୍କର ବିସ୍ଫୋରଣ ପରେ ରାଜ୍ୟବ୍ୟାପୀ କଡ଼ା ସୁରକ୍ଷା ମଧ୍ୟରେ, ବିହାରରେ ଆଜି (11 ନଭେମ୍ବର) ଦ୍ୱିତୀୟ ଏବଂ ଶେଷ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ 20ଟି ଜିଲ୍ଲାର 122ଟି ନିର୍ବାଚନମଣ୍ଡଳୀରେ ମତଦାନ ହୋଇଯାଇଛି। ଏହି ପର୍ଯ୍ୟାୟରେ ମୋଟ୍ 68.79 ପ୍ରତିଶତ ମତଦାନ ରେକର୍ଡ କରାଯାଇଛି। ଗୟା, ବାଗଲପୁର, ମଧୁବନୀ, କଟିହାର, ପୂର୍ଣ୍ଣିଆ, ପଶ୍ଚିମ ଚମ୍ପାରଣ ସମେତ 20 ଜିଲ୍ଲାରେ ମତଦାନ ଅନୁଷ୍ଠିତ ହୋଇଛି । 122 ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ 101 ସାଧାରଣ, 19 ଅନୁସୂଚିତ ଜାତି (ଏସସି) ଏବଂ 2 ଅନୁସୂଚିତ ଜନଜାତି(ଏସଟି) ପାଇଁ ସଂରକ୍ଷିତ ରହିଛି । ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ, କଟିହାରରେ ସର୍ବାଧିକ 78.39 ପ୍ରତିଶତ ମତଦାନ ହୋଇଥିବା ବେଳେ ନୱାଦାରେ ସର୍ବନିମ୍ନ 57.80 ପ୍ରତିଶତ ମତଦାନ ହୋଇଛି। ସମସ୍ତ ନିର୍ବାଚନମଣ୍ଡଳୀରେ ମତଦାନ ସକାଳ 7ଟାରୁ ଆରମ୍ଭ ହୋଇ ସନ୍ଧ୍ୟା 6ଟାରେ ଶେଷ ହୋଇଛି।

ଦ୍ୱିତୀୟ ପର୍ଯ୍ୟାୟରେ ମୋଟ 1302 ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍ରେ ସିଲ୍ ହୋଇଛି। ଏଥିସହ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟକୁ ମିଶାଇ ମୋଟ୍ 243 ଆସନ ପାଇଁ 2616 ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍ ରେ ସିଲ୍ ହୋଇଯାଇଛି। ଏବେ ଅପେକ୍ଷା ନଭେମ୍ବର ୧୪ ତାରିଖକୁ। ଯେଉଁ ଦିନ ଭୋଟ୍ ଗଣତି ହେବାସହ ଫଳାଫଳ ପ୍ରକାଶ ପାଇବ। ଚଳିତ ବିଧାନସଭା ନିର୍ବାଚନରେ 14 ଲକ୍ଷ ପ୍ରାଥମିକ ଭୋଟରଙ୍କ ସମେତ ମୋଟ୍ 7 କୋଟି 43 ଲକ୍ଷ ଭୋଟର ଅଂଶଗ୍ରହଣ କରିଛନ୍ତି । ତେଣୁ ଯୁବ ଭୋଟର ଏହି ନିର୍ବାଚନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ଆଶା କରାଯାଉଛି।
ପ୍ରଥମ ପର୍ଯ୍ୟାୟରେ ହୋଇଥିଲା 65.08 ପ୍ରତିଶତ ମତଦାନ
243 ଆସନ ବିଶିଷ୍ଟ ବିହାର ବିଧାନସଭାରେ, ନଭେମ୍ବର 6 ତାରିଖରେ ପ୍ରଥମ ପର୍ଯ୍ୟାୟରେ 121 ବିଧାନସଭା କ୍ଷେତ୍ରରେ ମତଦାନ ସରିଥିଲା । ପ୍ରଥମ ପର୍ଯ୍ୟାୟରେ 65.08 ପ୍ରତିଶତ ମତଦାନ ହୋଇଥିଲା।ପ୍ରଥମ ପର୍ଯ୍ୟାୟରେ 1314 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ମତଦାତା।
ସୀମାଞ୍ଚଳ, ମିଥିଳା, ମଗଧ ଏବଂ ପଶ୍ଚିମ ବିହାର ସମେତ 243ଟି ନିର୍ବାଚନମଣ୍ଡଳୀ ମଧ୍ୟରୁ 122ଟି ପାଇଁ ମତଦାନ କରାଯାଉଛି। 3.7 କୋଟିରୁ ଅଧିକ ଭୋଟର 12 ଜଣ ରାଜ୍ୟ ମନ୍ତ୍ରୀଙ୍କ ସମେତ 1,302 ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍ ରେ ସିଲ୍ କରିଛନ୍ତି । ଭୋଟଦାନ ସକାଳ 7ଟାରୁ ଆରମ୍ଭ ହୋଇ ସନ୍ଧ୍ୟା 5ଟାରେ ଶେଷ ହୋଇଛି। ମାତ୍ର କିଛି ନିର୍ବାଚନମଣ୍ଡଳୀରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ଜାରି ରହିଥିଲା।
ବିହାର- ନେପାଳ ସୀମା ସମେତ ଉତ୍ତର ପ୍ରଦେଶ ଓ ଝାଡ଼ଖଣ୍ଡ ରାଜ୍ୟକୁ ଲାଗିଥିବା ସୀମାବର୍ତ୍ତୀ 20 ଜିଲ୍ଲାର 122ଟି ଆସନରେ ଆଜି (ମଙ୍ଗଳବାର) ହାଇଆଲର୍ଟରେ ଭୋଟ ପଡିଥିଲା। 45 ହଜାର 399 ପୋଲିଂ ବୁଥରେ ଭୋଟ୍ ଦେଇଛନ୍ତି ଭୋଟର ।
7ଟି ରାଜ୍ୟ/ କେନ୍ଦ୍ରଶାସିତ ଅଞ୍ଚଳରେ ଉପନିର୍ବାଚନ ଶେଷ:
243 ଆସନ ବିଶିଷ୍ଟ ବିହାର ବିଧାନସଭାର ନିର୍ବାଚନ ସମେତ ଆଜି (ମଙ୍ଗଳବାର) 7ଟି ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳର 8ଟି ବିଧାନସଭା ଆସନ ପାଇଁ ମଧ୍ୟ ଉପନିର୍ବାଚନ ଶେଷ ହୋଇଛି । ଜମ୍ମୁ- କାଶ୍ମୀରର ବଜଗାମ ଓ ନଗରୋଟା, ରାଜସ୍ଥାନର ଅନ୍ତା, ଝାଡ଼ଖଣ୍ଡର ଘାଟଶିଲା, ତେଲଙ୍ଗାନାର ଜୁବଲି ହିଲ୍ସ, ପଞ୍ଜାବର ତରନତାରନ, ମିଜୋରାମର ଡମ୍ପା ଓ ଓଡ଼ିଶାର ନୂଆପଡ଼ାରେ ଭୋଟ୍ ଦେଇଛନ୍ତି ଭୋଟର।
14ରେ ବିହାର ସମେତ ସମସ୍ତ ଉପନିର୍ବାଚନର ରେଜଲ୍ଟ:
ଆସନ୍ତା 14 ତାରିଖରେ ଭୋଟ ଗଣତି ସହିତ ପ୍ରକାଶ ପାଇବ ବିହାର ବିଧାନସଭା ନିର୍ବାଚନ ଫଳାଫଳ । ସରକାର ଗଢିବା ପାଇଁ ଆରଜେଡି ନେତୃତ୍ବାଧୀନ ମହାମେଣ୍ଟ ଏବଂ ବିଜେପି ନେତୃତ୍ବାଧୀନ ଏନଡିଏ ପୂରା ବଳ ଖଟାଇ ଦେଇଛନ୍ତି । ବିହାର ବିଧାନସଭାର କାର୍ଯ୍ୟକାଳ 2025 ନଭେମ୍ବର 22 ତାରିଖରେ ଶେଷ ହେଉଛି ।
2020 ନିର୍ବାଚନ ଫଳାଫଳ:
2020 ବିଧାନସଭା ନିର୍ବାଚନରେ ବିଜେପି ସମର୍ଥିତ ଏନଡିଏ (ବିଜେପି+ଜେଡି(ୟୁ) 125ଟି ଆସନ ପାଇଥିଲା ବେଳେ କଂଗ୍ରେସ ସମର୍ଥିତ ମହାଗଠବନ୍ଧନ (ଆରଜେଡି+କଂଗ୍ରେସ) 110ଟି ଆସନ ଜିତିଥିଲା। ସେଥି ମଧ୍ୟରୁ ଆରଜେଡି 75, ବିଜେପି ୭୪ ଏବଂ ଜେଡିୟୁ ୪୩ ଆସନ ହାସଲ କରିଥିଲା।












Click it and Unblock the Notifications