ପହଲଗାମ ଆକ୍ରମଣକୁ ନେଇ ବଡ଼ ଖୁଲାସା, ପାକିସ୍ତାନର ହେଉଛନ୍ତି ଆତଙ୍କୀ, ମିଳିଲା ଏହିସବୁ ପ୍ରମାଣ
ଜୁଲାଇ ୨୮ରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଥିଲେ ୩ ଲସ୍କର ଆତଙ୍କବାଦୀ। ଅପରେସନ ମହାଦେବ ଜରିଆରେ ଏହି ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ାଇଥିଲେ ସୁରକ୍ଷାକର୍ମୀ। ଏହି ୩ ଜଣ ପହଲଗାମ ନରସଂହାରରେ ସାମିଲ ଥିଲେ ଓ ସମସ୍ତେ ପାକିସ୍ତାନ ନାଗରିକ। ଏକଥା ପୂର୍ବରୁ ସରକାର ସ୍ପଷ୍ଟ କରି ସାରିଛନ୍ତି। ଏମାନଙ୍କ ପାକିସ୍ତାନ ଲିଙ୍କର ପ୍ରମାଣ ସେମାନଙ୍କ ପାଖରୁ ମିଳିଥିବା ଜିନିଷରୁ ସ୍ପଷ୍ଟ ହୋଇଛି। ନିହତ ୩ ଆତଙ୍କବାଦୀଙ୍କ ପାଖରୁ ମିଳିଥିବା ପାକିସ୍ତାନୀ ଭୋଟ ପରିଚୟପତ୍ର, କରାଚି ନିର୍ମିତ ଚକୋଲେଟ ଓ ବାୟୋମେଟ୍ରିକ ରେକର୍ଡ ସଂରକ୍ଷିତ ଗୋଟିଏ ମାଇକ୍ରୋ ଏସ୍ଡି ଚିପ୍ ସେମାନଙ୍କ ପାକିସ୍ତାନ ଲିଙ୍କର ସବୁ ଗୁମର ଉପରୁ ପରଦା ହଟାଇ ଦେଇଛି।

ସେମାନଙ୍କ ଠାରୁ ଜବତ AK-103 ରାଇଫଲ ମଧ୍ୟ ପହଲଗାମ ଆକ୍ରମଣରେ ବ୍ୟବହାର ହୋଇଥିଲା । ଜୁଲାଇ ୨୮ ତାରିଖରେ ଶ୍ରୀନଗରରେ ଅପରେସନ ମହାଦେବରେ ୩ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଥିଲେ ସୁରକ୍ଷାକର୍ମୀ । ଆକ୍ରମଣକାରୀମାନେ ମେ ୨୦୨୨ରେ ନିୟନ୍ତ୍ରଣ ରେଖା (LoC)ର ଗୁରେଜ୍ ସେକ୍ଟର ଦେଇ ପ୍ରବେଶ କରିଥିଲେ। ୨୧ ଏପ୍ରିଲ ୨୦୨୫ରେ ସେମାନେ ବୈସାରଣରୁ ୨ କିଲୋମିଟର ଦୂର ହିଲ୍ ପାର୍କରେ ଏକ ଋତୁକାଳୀନ କୁଡ଼ିଆରେ ରହିଥିଲେ। ପରଦିନ ସକାଳେ ସେମାନେ ବୈସାରଣ ମଇଦାନରେ ପହଞ୍ଚିଲେ। ଅପରାହ୍ନ ୨:୩୦ ସମୟରେ ଗୁଳିଚାଳନା ହୋଇଥିଲା। ଆକ୍ରମଣକାରୀଙ୍କ ବିରୁଦ୍ଧରେ ଫରେନ୍ସିକ୍ ଏବଂ ବୈଷୟିକ ପ୍ରମାଣ ମିଳିଛି।












Click it and Unblock the Notifications