ଉପରାଷ୍ଟ୍ରପତି ନିର୍ବାଚନ: ଦୌଡ଼ରେ 71 ବର୍ଷୀୟ ଅବସରପ୍ରାପ୍ତ କିରାଣୀ ଜଗତ ସିଂ
ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ସାରା ଦେଶରେ ରାଜନୈତିକ ମାହୋଲ ସରଗରମ ରହିଛି । ଶାସକ ଓ ବିରୋଧୀ ଦଳ ନିଜ ନିଜର ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ, କିଏ ଭାରତର ଆଗାମୀ ଉପରାଷ୍ଟ୍ରପତି ହେବ ସେନେଇ ରାଜନୈତିକ ଅଙ୍କକଷା ଆରମ୍ଭ ହୋଇଛି । ଏହାରି ଭିତରେ ଉପରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ହରିଆଣାର ଜଣେ ଅବସରପ୍ରାପ୍ତ କିରାଣୀ ମଧ୍ୟ ସାମିଲ ହୋଇଛନ୍ତି । ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ସେ ନାମାଙ୍କନ ପତ୍ର ଭରିଛନ୍ତି । ସରକାରୀ କର୍ମଚାରୀଙ୍କ ସମସ୍ୟାକୁ ସମାଧାନ କରିବା ପାଇଁ ସେ ଆଶାବାଦୀ ଅଛନ୍ତି ।
ହରିୟାଣା ବାସିନ୍ଦାଙ୍କ ନାମାଙ୍କନ:
ଜଗତ ସିଂ, ଜଣେ 71 ବର୍ଷୀୟ ଅବସରପ୍ରାପ୍ତ କିରାଣୀ । ସେ ହରିୟାଣାର ଭିୱାନୀ ଅନ୍ତର୍ଗତ ଚାଙ୍ଗ ଗ୍ରାମର ବାସିନ୍ଦା । ଆଗାମୀ ସେପ୍ଟେମ୍ବର 9 ତାରିଖରେ ହେବାକୁ ଥିବା ଉପରାଷ୍ଟ୍ରପତି ନିର୍ବାଚନ ଲଢିବା ପାଇଁ ସେ ନାମାଙ୍କନ ଭରିଛନ୍ତି ।
ପୂର୍ବରୁ ମଧ୍ୟ ଭରିଛନ୍ତି ନାମାଙ୍କନ:
ଜଗତ ସିଂ ଏପରି ନାମାଙ୍କନ ପ୍ରଥମଥର ପାଇଁ ଭରିନାହାଁନ୍ତି । ସେ ପୂର୍ବରୁ ମଧ୍ୟ ରାଷ୍ଟ୍ରପତି ନିର୍ବାଚନ ପାଇଁ 3 ଥର ନାମାଙ୍କନ ଭରିଛନ୍ତି । ହେଲେ ପ୍ରତ୍ୟେକ ଥର ତାଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଥିଲା । ଏପରିକି ଏଥର ମଧ୍ୟ ତାଙ୍କର ପ୍ରାର୍ଥୀପତ୍ର ନାକଚ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

ସରକାରୀ କର୍ମଚାରୀଙ୍କ ସମସ୍ୟାକୁ ପ୍ରାଥମିକତା:
ଜଗତ ସିଂ ସରକାରୀ କର୍ମଚାରୀଙ୍କ ସମସ୍ୟାକୁ ପ୍ରାଥମିକତା ଦେଇଛନ୍ତି । ସେ କହିଛନ୍ତି, "ନିର୍ବାଚନ ସମୟରେ ସରକାରୀ କର୍ମଚାରୀଙ୍କୁ ନେଇ ଅଧିକାଂଶ ଅସୁବିଧା ଦେଖା ଦେଇଥାଏ ।" ତାଙ୍କର ବିଶ୍ବାସ ଯେଉଁ ପର୍ଯ୍ୟନ୍ତ କର୍ମଚାରୀଙ୍କୁ କ୍ଷମତା ଦିଆଯାଇ ନାହିଁ, ସେପର୍ଯ୍ୟନ୍ତ ପ୍ରଶାସନ ଯେତେ ଚେଷ୍ଟା କରିଲେ ମଧ୍ୟ ଉନ୍ନତି କରିପାରିବ ନାହିଁ । ସେ ସରକାରଙ୍କ ସମସ୍ତ ବିଭାଗରେ ଖାଲିଥିବା ପଦବୀକୁ ଭରିବାକୁ ଲକ୍ଷ୍ୟ ରଖିଛନ୍ତି । ଏହା ସହିତ ସତଲେଜ ଓ ଜମୁନାର ସଂଯୋଗକାରୀ କେନାଲରେ ସମ୍ପୁର୍ଣ୍ଣ ମାତ୍ରାରେ ଜଳ ଆଣିବା ପାଇଁ ଆଶାବାଦୀ ଅଛନ୍ତି ।
ଚାକିରୀକାଳ:
ଜଗତ ସିଂ ଇଲେକ୍ଟ୍ରି ବିଭାଗର ଏକ ମିଟର ରିଡ଼ର ଭାବେ ନିଜର ଚାକିରୀ ଜୀବନ ଆରମ୍ଭ କରିଥିଲେ । ସେ ରାଜ୍ୟ ବିଦ୍ୟୁତ ବିଭାଗରେ ବିଭିନ୍ନ ପଦପଦବୀରେ 36 ବର୍ଷ ଧରି କାର୍ଯ୍ୟ କରିଛନ୍ତି । ସେ 2012 ମସିହାରେ ଏକ ବିଭାଗୀୟ ବରିଷ୍ଠ କିରାଣୀ(Upper Division Clerk) ଭାବେ ଅବସର ଗ୍ରହଣ କରିଥିଲେ ।
ରାଷ୍ଟ୍ରପତି ନିର୍ବାଚନରେ ନାମାଙ୍କନ:
ଅବସର ପରେ ଜଗତ ସିଂ 2012 ମସିହାରେ ରାଷ୍ଟ୍ରପତି ନିର୍ବାଚନରେ ପ୍ରଥମଥର ପାଇଁ ନାମାଙ୍କନ ପତ୍ର ଭରିଥିଲେ । ଏହା ପରେ ସେ 2017 ଓ 2022 ମସିହାରେ ମଧ୍ୟ ରାଷ୍ଟ୍ରପତି ନିର୍ବାଚନ ପାଇଁ ମଧ୍ୟ ନାମାଙ୍କନ ଭରିଥିଲେ । 2012 ମସିହାରେ ପ୍ରଣବ ମୁଖାର୍ଜୀ, ପିଏ ସାଙ୍ଗମାଙ୍କ ବିରୋଧରେ ନିର୍ବାଚନରେ ଲଢିଥିଲେ । 2017 ମସିହାରେ ରାମନାଥ କୋବିନ୍ଦ, ମୈରା କୁମାରଙ୍କ ବିରୋଧରେ ନିର୍ବାଚନରେ ଠିଆ ହୋଇଥିଲେ । 2022 ମସିହାରେ ଯଶୋବନ୍ତ ସିହ୍ନାଙ୍କ ବିପକ୍ଷରେ ଦ୍ରୌପଦୀ ମୁର୍ମୁ ବିଜୟ ହାସଲ କରିଥିଲେ । ମାତ୍ର ଆଞ୍ଚଳିକ ସାଂସଦଙ୍କ ପ୍ରୋତ୍ସାହନ ଅଭାବରୁ ଜଗତ ସିଂଙ୍କ ନାମାଙ୍କନ ସର୍ବଦା ନାକଚ ହୋଇଆସିଛି ।
ତେବେ ଚଳିତବର୍ଷ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡିଏ ତରଫରୁ ମହାରାଷ୍ଟ୍ରର ପୂର୍ବତନ ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ ପ୍ରାର୍ଥୀ ରହିଥିବା ବେଳେ ବିପକ୍ଷ ଇଣ୍ଡି ମେଣ୍ଟ ପକ୍ଷରୁ ଜଷ୍ଟିସ୍ ବି ସୁଦର୍ଶନ ରେଡ୍ଡିଙ୍କୁ ପ୍ରାର୍ଥୀ ଭାବେ ଚୟନ କରାଯାଇଛି । ଉଭୟ ନାମାଙ୍କନ ଭରିସାରିଛନ୍ତି ।












Click it and Unblock the Notifications