ଧାମି ସରକାରଙ୍କ ବଡ଼ ନିଷ୍ପତ୍ତି, ମଦ୍ରାସା ଛାତ୍ର ପଢ଼ିବେ 'ଅପରେସନ୍ ସିନ୍ଦୂର'
ଅପରେସନ 'ସିନ୍ଦୂର'କୁ ନେଇ ଉତ୍ତରାଖଣ୍ଡ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଣିକି ରାଜ୍ୟର ମଦ୍ରାସାଗୁଡ଼ିକର ପାଠ୍ୟକ୍ରମରେ ଅପରେସନ 'ସିନ୍ଦୂର'କୁ ସାମିଲ କରାଯିବ। ଯେଉଁଥିରେ ଭାରତୀୟ ସେନାର ବୀରତା ଏବଂ ଦେଶ ପ୍ରତି ସମର୍ପଣର ପ୍ରେରଣାଦାୟକ କାହାଣୀ ସାମିଲ ରହିବ। ରାଜ୍ୟର ୪୫୧ ପଞ୍ଜୀକୃତ ମଦ୍ରାସାରେ ବର୍ତ୍ତମାନ ୫୦ ହଜାରରୁ ଅଧିକ ଛାତ୍ର ଅଧ୍ୟୟନ କରୁଛନ୍ତି। ଜାତୀୟତାବାଦ ଏବଂ ସେନାର ଗୌରବକୁ ଶିକ୍ଷା ସହିତ ଯୋଡ଼ିବା ଦିଗରେ ସରକାରଙ୍କର ଏହା ଏକ ମହତ୍ଵପୂର୍ଣ୍ଣ ପ୍ରୟାସ ବୋଲି କୁହାଯାଉଛି।
ଅପରେସନ ସିନ୍ଦୂର ଅଧୀନରେ, ଭାରତୀୟ ସେନା ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଧ୍ୱଂସ କରିଥିଲା। ମେ ୬ ଏବଂ ୭ ରାତିରେ ସାହସିକ ସାମରିକ ଅପରେସନ୍ 'ସିନ୍ଦୂର' କରି ପୁଣିଥରେ ବିଶ୍ୱ ସମ୍ମୁଖରେ ଆତଙ୍କବାଦ ବିରୋଧରେ ନିଜର ମତ ସ୍ପଷ୍ଟ କରିଛି ଭାରତ। ଏହି ଅପରେସନ୍ ଅଧୀନରେ ଭାରତୀୟ ବାୟୁସେନା ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀର (PoK)ର ମୋଟ ୯ଟି ସ୍ଥାନରେ ସଠିକ୍ ବିମାନ ଆକ୍ରମଣ କରିଥିଲା। ଏହି ସମସ୍ତ ଆଡ୍ଡାଗୁଡ଼ିକ ଜୈଶ-ଏ-ମହମ୍ମଦ, ଲସ୍କର-ଏ-ତଇବା ଏବଂ ହିଜବୁଲ ମୁଜାହିଦ୍ଦିନ ଭଳି ଭାରତ ବିରୋଧୀ ଆତଙ୍କବାଦୀ ସଂଗଠନ ସହିତ ଜଡିତ ଥିଲା।

ଏହି ଅପରେସନରେ ୧୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ। ଏହି ସମସ୍ତ ଆତଙ୍କବାଦୀ ଗୋଷ୍ଠୀ ଭାରତ ବିରୁଦ୍ଧରେ ଆତଙ୍କବାଦୀ ଆକ୍ରମଣ ଯୋଜନା କରୁଥିଲେ। ସେମାନଙ୍କୁ ଏହି ଘାଟିଗୁଡ଼ିକରୁ ତାଲିମ, ଅସ୍ତ୍ରଶସ୍ତ୍ର ଦିଆଯାଉଥିଲା। ଭାରତୀୟ ଗୁଇନ୍ଦା ସଂସ୍ଥାଗୁଡ଼ିକଠାରୁ ମିଳିଥିବା ଠୋସ୍ ସୂଚନା ଆଧାରରେ ଏହି ସ୍ଥାନଗୁଡ଼ିକୁ ଚିହ୍ନଟ କରାଯାଇଥିଲା। ଅପରେସନ ସମୟରେ ଭାରତୀୟ ସେନା ପାକିସ୍ତାନର ଏକାଧିକ ଆତଙ୍କବାଦୀ ଆଡ୍ଡାକୁ ଧ୍ବଂସ କରିଥିଲା। ଯାହାକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିଲା।












Click it and Unblock the Notifications