ଏହି ଦେଶଗୁଡ଼ିକ କଡ଼ା ଚେତାବନୀ ଦେଲା ଆମେରିକା, କହିଲା.....
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ଷମତାକୁ ଆସିବା ପରେ ରୁଷ୍-ୟୁକ୍ରେନ ଯୁଦ୍ଧ ମାସକ ମଧ୍ୟରେ ବନ୍ଦ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ବର୍ତ୍ତମାନ ସୁଦ୍ଧା ସେ ଏହା କରିବାରେ ସଫଳ ହୋଇନାହାନ୍ତି। ଏଭଳି ସ୍ଥିତିରେ ରୁଷ୍ ସହିତ ବ୍ୟବସାୟ କରୁଥିବା ଦେଶଗୁଡ଼ିକ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଆମେରିକା ଉଦ୍ୟମ ଆରମ୍ଭ କରିଛି। ସିନେଟ୍ରେ ଏକ ବିଲ୍ ଆଗତ କରାଯାଇଛି ଯେଉଁଥିରେ ରୁଷ୍ଠାରୁ ତେଲ କିଣି ବିଦେଶକୁ ରପ୍ତାନି କରୁଥିବା ଦେଶଗୁଡ଼ିକ ଉପରେ ୫୦୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ଲଗାଇବା ପ୍ରସ୍ତାବ ରହିଛି। ଅର୍ଥାତ୍ ରୁଷ୍ଠାରୁ ତେଲ କିଣି ମସ୍କୋକୁ ଆର୍ଥିକ ସହାୟତା ଦେଉଥିବା ଦେଶଗୁଡ଼ିକ ଉପରେ ଶୁଳ୍କ ଅସ୍ତ୍ର ଆମେରିକା ପ୍ରୟୋଗ କରିବ।
ଏପରି କଠୋର କଟକଣାକୁ ଟ୍ରମ୍ପ ସମର୍ଥନ କରିଛନ୍ତି। ଫ୍ଲୋରିଡ଼ାରୁ ହ୍ବାଇଟ୍ ହାଉସ୍କୁ ଯିବା ସମୟରେ ସାମ୍ବାଦିକମାନଙ୍କୁ ଟ୍ରମ୍ପ କହିଛନ୍ତି ରୁଷ୍ ଏବଂ ଭ୍ଲାଦିମିର ପୁଟିନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ସିନେଟ୍ର ପଦକ୍ଷେପକୁ ସେ ସମର୍ଥନ କରୁଛନ୍ତି। ଏହି କଟକଣାରେ ସେମାନେ ଇରାନକୁ ମଧ୍ୟ ସାମିଲ କରିପାରନ୍ତି। ଏ ନେଇ ମଧ୍ୟ ମୁଁ ପରାମର୍ଶ ଦେଇଛି ବୋଲି ଟ୍ରମ୍ପ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇଛନ୍ତି। ଏଥିରେ ୨୫ ପ୍ରତିଶତ ଶୁଳ୍କ ଭାରତ ରୁଷ୍ଠାରୁ ଅଶୋଧିତ ତେଲ କିଣୁଥିବା କାରଣରୁ ଲଗାଯାଇଛି।

ସିନେଟ୍ ସଦସ୍ୟ ଲିଣ୍ଡସେ ଗ୍ରାହାମଙ୍କ ପକ୍ଷରୁ ଆଗତ ବିଲ୍ରେ ୫୦୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କର ପ୍ରସ୍ତାବ ରହିଛି। ସିନେଟ୍ର ବିଦେଶ ସମ୍ପର୍କ କମିଟି ଆପାତତଃ ଏହି ବିଲ୍କୁ ସମର୍ଥନ କରିଛି। ଗ୍ରାହାମ ଏବଂ ସିନେଟ୍ ସଦସ୍ୟ ରିଚାର୍ଡ ବ୍ଲୁମେନ୍ଥାଲ ରୁଷ୍ ବିରୋଧରେ କଟକଣା ବିଲ୍ ୨୦୨୫ ଆଗତ କରିଛନ୍ତି। ଭାରତ ସମେତ ଚୀନ ଓ ବ୍ରାଜିଲ ଭଳି ଦେଶ ରୁଷ୍ରୁ ଶସ୍ତାରେ ତେଲ କିଣି ପୁଟିନଙ୍କ ଯୁଦ୍ଧ ମେସିନଙ୍କୁ ସହଯୋଗ ଦେଉଛନ୍ତି ବୋଲି ପୂର୍ବରୁ ଆମେରିକା ଅଭିଯୋଗ କରି ଆସୁଛି।












Click it and Unblock the Notifications