ଆମେରିକା-ଇରାନ୍ ଯୁଦ୍ଧ; ଡ୍ରୋନ୍ ମାଡରେ ଜଣେ ଭାରତୀୟଙ୍କ ମୃତ
ଆମେରିକା-ଇରାନ୍ ଯୁଦ୍ଧରେ ଜଣେ ଭାରତୀୟଙ୍କ ମୃତ୍ୟୁ । ମଧ୍ୟପ୍ରାଚ୍ୟର ସାନି ଯୁଦ୍ଧରେ ଏହା ପ୍ରଥମ ଭାରତୀୟ ମୃତ୍ୟୁ ବୋଲି କୁହାଯାଇଛି । ଆମେରିକା ଏବଂ ଇସ୍ରାଏଲ୍ର ଇରାନ ଆକ୍ରମଣ ଏବଂ ଇରାନ୍ର ପ୍ରତିଆକ୍ରମଣ ଜନୀତ ଯୁଦ୍ଧରେ ଏହି ଭାରତୀୟ ମୃତ୍ୟୁର ଶିକାର ହୋଇଥିବା ଖବର ଆସିଛି । ମୃତକ ଜଣକ ଜଣେ ଜାହାଜ କର୍ମଚାରୀ । ତେବେ ଇରାନ୍ କିମ୍ବା ଇସ୍ରାଏଲ୍ର ନୁହେଁ, ଓମାନ ସଂଲଗ୍ନ ସମୁଦ୍ରରେ ତାଙ୍କର ମୃତ୍ୟୁ ହୋଇଛି । ଓମାନର ସରକାରୀ ଖବର ସରବରାହ ସଂସ୍ଥା ପକ୍ଷରୁ ଏହି ଖବର ଦିଆଯାଇଛି । ଡ୍ରୋନ୍ ଆକ୍ରମଣରେ ସେ ନିହତ ହୋଇଥିବା କୁହାଯାଇଛି ।

ମସ୍କାଟ ଉପକୂଳରେ ଯାଉଥିବା ତୈଳ ଜାହାଜରେ ଡ୍ରୋନ ମାଡ ଫଳରେ ସଂପୃକ୍ତ ଭାରତୀୟ ଜାହାଜ କର୍ମଚାରୀ ନିହତ ହୋଇଛନ୍ତି । ତୈଳ ଜାହାଜ ଏମ୍କେଡି ଭାୟମ ଟି ମାର୍ସାଲ ଦ୍ବୀପର ମାଲିକାନାରେ ଥିବା କିମ୍ବା ସେହି ଦ୍ୱୀପକୁ ଯାଉଥିବା ଜଣାଯାଇଛି । ଓମାନ ସରକାରୀ ଖବର ଅନୁଯାୟୀ ଆରବ ସାଗର ଏବଂ ପାରସ୍ୟ ଉପସାଗରକୁ ସଂଯୋଗ କରୁଥିବା ତଥା ହର୍ମୁଜ ପ୍ରଣାଳୀ ନିକଟ ଓମାନ ସାଗରରେ ଜାହାଜଟି ଥିବାବେଳେ ସେଥିରେ ଡ୍ରୋନ୍ ମାଡ ହୋଇଥିଲା । ସେଥିରେ ସଂପୃକ୍ତ ଜାହାଜ କର୍ମଚାରୀ କାର୍ଯ୍ୟରତ ଥିଲେ । ସେ ଜଣେ ଭାରତୀୟ ନାଗରିକ ବୋଲି ଓମାନର ସରକାରୀ ଖବର ସରବରାହ ସଂସ୍ଥା ସ୍ପଷ୍ଟ କରିଥିଲେ ବି ତାଙ୍କ ନାମ, ପରିଚୟ ଇତ୍ୟାଦି ନେଇ ସବିସ୍ତୃତ ରିପୋର୍ଟ ଆସିନାହିଁ।
ଆମେରିକା ଏବଂ ଇସ୍ରାଏଲ୍ର ଆକ୍ରମଣର ଜବାବରେ ଇସ୍ରାଏଲ୍ର ବିଭିନ୍ନ ସ୍ଥାନ ସହ ପାରସ୍ୟ ଉପସାଗରୀୟ ଅଞ୍ଚଳର ବିଭିନ୍ନ ଦେଶର ଥିବା ଆମେରିକୀୟ ସାମରିକ ଘାଟୀରେ ଇରାନ୍ ଆକ୍ରମଣ ଜାରି ରଖିଛି । କ୍ଷେପଣାସ୍ତ୍ର ଓ ଡ୍ରୋନ୍ରେ ଆକ୍ରମଣ କରୁଛି ଇସଲାମିକ୍ ରିପବ୍ଲିକର ସେନା । ଏଥିସହ ତୈଳ ପରିବହନରେ ବିଶେଷ ଭୂମିକା ରଖିଥିବା ହର୍ମୁଜ୍ ପ୍ରାଣାଳୀ ଏବଂ ତାର ଆଖପାଖ ଅଞ୍ଚଳକୁ ଟାର୍ଗେଟ କରୁଛି । ଫଳରେ ମଧ୍ୟପ୍ରାଚ୍ୟ ଯୁଦ୍ଧ ସମୟ ବଢିବା ସହ ଅଧିକ ବ୍ୟାପକ ହେବାରେ ଲାଗିଛି । ସେପଟେ ଆମେରିକାର ବନ୍ଧୁ ରାଷ୍ଟ୍ର ବ୍ରିଟେନ୍, ଫ୍ରାନ୍ସ ଏବଂ ଜର୍ମାନୀ ଯଦିଓ ସିଧାସଳଖ ଯୁଦ୍ଧରେ ସାମିଲ ହୋଇନାହାନ୍ତି, କିନ୍ତୁ ସେମାନଙ୍କ ସାମରିକ ଘାଟୀକୁ ଆମେରିକାର ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି ।
ଓମାନ ଏହି ଯୁଦ୍ଧରୁ ଦୂରରେ ଥିବା ବେଳେ ଏବଂ ଇସଲାମିକ ରିପବ୍ଲିକ୍ ଇରାନ୍ ତାହାକୁ ଟାର୍ଗେଟ୍ କରୁନଥିବା ବେଳେ ମସ୍କାଟ ତଟ କିନ୍ତୁ ବାଦ ଯାଇନି । ସେପଟେ ଇରାନ୍ର ସର୍ବୋଚ୍ଚ ନେତା ଆୟୋତୋଲ୍ଲା ଅଲ୍ଲି ଖାମେନିଙ୍କ ସହ କେଇ ଡଜନ ଶୀର୍ଷ ନେତାଙ୍କୁ ହତ୍ୟା କରିଥିବା ଦାବି କରୁଥିବା ଆମେରିକା ମଧ୍ୟ ଲମ୍ବା ଯୁଦ୍ଧ ଲକ୍ଷ୍ୟରେ ରହିଛି । ଏପରି ସମୟରେ ସଦା ଶାନ୍ତି ସପକ୍ଷରେ ଥିବା ଜଣେ ଭାରତୀୟଙ୍କ ମୃତ୍ୟୁ ଖବର ଚିନ୍ତା ସୃଷ୍ଟି କରିଛି । ତେବେ ମଧ୍ୟପ୍ରାଚ୍ୟର ଅନେକ ଦେଶରେ ଲକ୍ଷଲକ୍ଷ ଭାରତୀୟ ଜୀବିକା ନିର୍ବାହ ଲାଗି ଅବସ୍ଥାନ କରୁଥିବା ବେଳେ ସୁରକ୍ଷା ନେଇ ମଧ୍ୟ ଚିନ୍ତିତ । ଯୁଧ୍ୟ ଲାଗି ବିମାନ ସେବା ପ୍ରଭାବିତ ହୋଇଥିବା ବେଳେ ଏବଂ ଅନେକ ଦେଶ ବିମାନ ବନ୍ଦର ବନ୍ଦ ସହ ସୁରକ୍ଷା କାରଣରୁ ବିମାନ ଉଡାଣ ବାତିଲ କରିଥିବାରୁ ଚିନ୍ତା ବଢିଛି । ମଧ୍ୟପ୍ରାଚ୍ୟରେ ଅନେକ ଭାରତୀୟ ସୁରକ୍ଷିତ ଭାରତ ଫେରିବା ଲାଗି ସହାୟତା ପାଇଁ ଭାରତ ସରକାର ଏବଂ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ।












Click it and Unblock the Notifications