ଜାତିଭେଦ ଉପରେ ମୁଖ୍ୟମନ୍ତ୍ରୀ ଯୋଗୀ ସରକାରଙ୍କ ବଡ଼ ନିର୍ଦ୍ଦେଶ, ଯାନବାହନରେ ଜାତି ଲେଖାଗଲେ.....
ଉତ୍ତରପ୍ରଦେଶ ସରକାର ସୋମବାର ରାଜ୍ୟରେ ଜାତିଗତ ବୈଷମ୍ୟ ରୋକିବା ପାଇଁ ଆଲାହାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ପୋଲିସ ରେକର୍ଡ ଓ ସାର୍ବଜନୀନ ସ୍ଥାନରେ ଜାତିଗତ ଉଲ୍ଲେଖ ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଇଛନ୍ତି। ମୁଖ୍ୟ ସଚିବ ଦୀପକ କୁମାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଏଫଆଇଆର, ଗିରଫ ମେମୋ ଓ ଅନ୍ୟାନ୍ୟ ପୁଲିସ ଦଲିଲରେ ଜାତିର ଉଲ୍ଲେଖ କରାଯିବ ନାହିଁ। ଏହା ପରିବର୍ତ୍ତେ ପରିଚୟ ପାଇଁ ପିତାମାତାଙ୍କ ନାମ ବ୍ୟବହାର କରାଯିବ। ପୋଲିସ ଷ୍ଟେସନ ନୋଟିସବୋର୍ଡ, ଗାଡ଼ି ଓ ସାଇନବୋର୍ଡରୁ ଜାତିଗତ ପ୍ରତୀକ, ସ୍ଲୋଗାନ ଓ ଉଲ୍ଲେଖ ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଜାତିଗତ ରାଜନୈତିକ ସମାବେଶ ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି, ଏବଂ ସାମାଜିକ ଗଣମାଧ୍ୟମରେ କଡ଼ା ନଜର ରଖିବାକୁ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଛି।

ତଥାପି, ଅନୁସୂଚିତ ଜାତି ଓ ଜନଜାତି (ନିର୍ଯାତନା ନିବାରଣ) ଆଇନ ଅଧୀନରେ ଦାୟର ମାମଲାରେ ଜାତିଗତ ପରିଚୟ ଆବଶ୍ୟକ ହେଉଥିବାରୁ ଏହାକୁ ବ୍ୟତିକ୍ରମ ରଖାଯାଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ ପାଇଁ ପୁଲିସ ମାନୁଆଲ ଓ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର (ଏସଓପି)ରେ ସଂଶୋଧନ କରାଯିବ। ଏହି ନିର୍ଦ୍ଦେଶକୁ ନେଇ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ପ୍ରଶ୍ନ ଉଠାଇ କହିଛନ୍ତି, "୫,୦୦୦ ବର୍ଷରୁ ଚାଲିଆସୁଥିବା ଜାତିଗତ ପୂର୍ବାଗ୍ରହ ଦୂର କରିବା ପାଇଁ ସରକାର କ'ଣ କରିବେ?
ଜାତିଗତ ପୋଷାକ, ସାଜସଜ୍ଜା ଓ ପ୍ରତୀକରୁ ଉତ୍ପନ୍ନ ବୈଷମ୍ୟ ରୋକିବା ପାଇଁ କି ପଦକ୍ଷେପ ନିଆଯିବ? କାହାର ନାମ ପୂର୍ବରୁ ଜାତି ପଚାରିବାର ମାନସିକତା ଓ ଜାତିଗତ ପୂର୍ବାଗ୍ରହ ଯୋଗୁଁ ଘର ଧୋଇବାକୁ ବାଧ୍ୟ କରାଯିବାର ପ୍ରଥାକୁ କିପରି ବନ୍ଦ କରାଯିବ? ଜାତିଗତ ପୂର୍ବାଗ୍ରହରେ ଭରା ଷଡ଼ଯନ୍ତ୍ର ଓ ଅପମାନଜନକ ଅଭିଯୋଗ ରୋକିବା ପାଇଁ କ'ଣ କରାଯିବ?" ସେ ଏକ୍ସରେ ଏହା ଲେଖିଛନ୍ତି।












Click it and Unblock the Notifications