କଳା ସମୃଦ୍ଧ ହେଲେ ଭାରତର ପରିଚୟ ଦୁନିଆ ସାମ୍ନାରେ ପ୍ରତିଫଳିତ ହେବ: ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ ଠାରେ ବୁଧବାର ଖଦି ହମାରା ମନ୍ତ୍ର ଫାଉଣ୍ଡେସନ ଦ୍ୱାରା ଆୟୋଜିତ ‘କଳା ଭାରତ ଆତ୍ମନିର୍ଭର ଅଭିଯାନ’ର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ନୂଆଦିଲ୍ଲୀ: ନୂଆଦିଲ୍ଲୀ ଠାରେ ବୁଧବାର ଖଦି ହମାରା ମନ୍ତ୍ର ଫାଉଣ୍ଡେସନ ଦ୍ୱାରା ଆୟୋଜିତ 'କଳା ଭାରତ ଆତ୍ମନିର୍ଭର ଅଭିଯାନ'ର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଏହି ଅଭିଯାନ କାର୍ଯ୍ୟକ୍ରମକୁ ଦେଶର ସବୁ ରାଜ୍ୟର ରାଜଧାନୀ ପର୍ଯ୍ୟନ୍ତ ପହଁଚାଇବା ନେଇ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଭାରତର ସମୃଦ୍ଧ ସଂସ୍କୃତି ଏବଂ ସୃଜନଶୀଳ କଳା ଦକ୍ଷତା ଏବଂ ବିଶ୍ୱ ବଜାରରେ ଭାରତ ପାଇଁ ଥିବା ସମ୍ଭାବନା ଉପରେ ବିସ୍ତୃତ ଆଲୋଚନା କରିବା ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଥାନୀୟ ସାମଗ୍ରୀକୁ ପ୍ରୋତ୍ସାହନ ଦେବା ଦିଗରେ ଭୋକାଲ୍ ଫର୍ ଲୋକାଲ୍ ଅଭିଯାନ ଆରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ କଳା ଭାରତ ଆତ୍ମନିର୍ଭର ଅଭିଯାନକୁ ଦେଶର ସମସ୍ତ ରାଜ୍ୟ, ସବୁ ରାଜଧାନୀ ପର୍ଯ୍ୟନ୍ତ ପହଁଚାଯାଇ ପାରିଲେ ହିଁ ଲୋକମାନଙ୍କର ସ୍ଥାନୀୟ କଳା ଏବଂ କୌଶଳ ପ୍ରତି ଆଗ୍ରହ ଆସିବ ।

ଏହି ପଦକ୍ଷେପ ପର୍ଯ୍ୟଟନ କ୍ଷେତ୍ରକୁ ବଢ଼ାଇବା ସହ ଭାରତର ସମୃଦ୍ଧ ଇତିହାସ ଏବଂ ସାଂସ୍କୃତିକ ପରିଚୟ ଦୁନିଆ ସାମ୍ନାରେ ପ୍ରତିଫଳିତ କରିପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । 'ଖଦି ହମାରା ଫାଉଣ୍ଡେସନ' ଆତ୍ମନିର୍ଭର ଭାରତ ଅଭିଯାନକୁ ସଫଳ କରିବା ଦିଗରେ କାମ କରୁଛି । ଏହି ଫାଉଣ୍ଡେସନ ଦେଶର କାରିଗରଙ୍କ କଳା ଏବଂ ସେମାନଙ୍କ ପ୍ରତିଭାକୁ ବିଶ୍ୱ ବଜାର ପର୍ଯ୍ୟନ୍ତ ପହଁଚାଇବାରେ ମଧ୍ୟ ସାହାଯ୍ୟ କରୁଛି । ଉଲ୍ଲେଖନୀୟ ଯେ, ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ, କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନିତୀନ ଗଡକରୀ, ରାଜ୍ୟସଭା ସାଂସଦ ସରୋଜ ପାଣ୍ଡେ ପ୍ରମୁଖ ଉପସ୍ଥିତ ଥିଲେ ।












Click it and Unblock the Notifications