ମୋଦି ସରକାର 3.0କୁ ଶହେ ଦିନ ପୂର୍ତ୍ତିରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦେଲେ ବଡ ସୂଚନା
ମୋଦି ସରକାର 3.0କୁ ଶହେ ଦିନ ପୂର୍ତ୍ତିରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସୂଚନା। ଭାରତକୁ ବିକଶିତ କରିବା ଲାଗି ୧୦୦ ଦିନରେ ଅନେକ କାମ ହୋଇଛି। ସେ କହିଛନ୍ତି, ଶେଷ ବର୍ଗରେ ଥିବା ଲୋକଙ୍କ ଲାଗି ସେବା ଭାବନା ରଖି କାମ କରୁଛୁ। ୧୫ ଲକ୍ଷ କୋଟି ଟଙ୍କାର କାମ ଆରମ୍ଭ କରାଯାଇଛି। ୩ କୋଟି ପିଏମ୍ ୱାଇ ଆବାସ ଦିଆଯାଉଛି। ୩ କୋଟି ବୟସ୍କଙ୍କୁ ଆୟୁଷ୍ମାନ ଭାରତରେ ସାମିଲ୍ ନିଷ୍ପତ୍ତି ହୋଇଛି। ପୂର୍ବୋଦୟ ବିକାଶ ଯୋଜନାରେ ଓଡ଼ିଶାକୁ ପ୍ରାଥମିକତା ଦିଆଯାଉଛି ବୋଲି ସେ କହିଛନ୍ତି।
ରେଳ ବିକାଶ ନେଇ ମନ୍ତ୍ରୀ କହିଛନ୍ତି, ରେଲୱେ କ୍ଷେତ୍ରରେ ଓଡ଼ିଶାରେ ବ୍ୟାପକ କାର୍ଯ୍ୟ ହାତକୁ ନିଆଯାଇଛି। ପ୍ରତି କ୍ଷେତ୍ରରେ ଓଡ଼ିଶାକୁ ଫୋକସ୍ ଦିଆଯାଉଛି। ଓଡ଼ିଶା ପାଇଁ ପ୍ରାୟ ୨୫ ହଜାର କୋଟିର ନୂଆ କାମକୁ ମଞ୍ଜୁରୀ ମିଳିଥିବା ବେଳେ, ଓଡ଼ିଶାରେ ରେଳ ପାଇଁ ମୋଟ ପ୍ରାୟ ୮୫ ହଜାର କୋଟିର କାମ ଚାଲିଛି ବୋଲି ସେ ସୂଚନା ଦେଇଛନ୍ତି।
ରେଳ ସୁରକ୍ଷା ପାଇଁ ସାରା ଦେଶରେ ଲଗାଯିବ କବଚ ସିଷ୍ଟମ। କବଚ ନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଆଗାମୀ ୬ ବର୍ଷ ଭିତରେ ସାରା ଦେଶରେ କବଚ ଲଗାଯିବ। କବଚ ଲଗାଇବା ନେଇ ଜୋରଦାର ଭାବେ କାମ ଚାଲୁ ରହିଛି। ୯୬୦୦ ଟ୍ରାକ୍ରେ କବଚ ଲଗାଇବା ପାଇଁ ଟେଣ୍ଡର ଡକାଯାଇଛି। ୧୦ ହଜାର ରେଳ ଇଂଜିନରେ କବଚ ଲଗାଇବା ବ୍ୟବସ୍ଥା ହେଉଛି। ୬୩୨ କିମି ଟ୍ରାକ୍ରେ କବଚ କାର୍ଯ୍ୟକାରୀ ହୋଇଯାଇଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।

ରେଳ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଉଥିବା ବୈଷ୍ଣବ କହିଛନ୍ତି। ସେ କହିଛନ୍ତି, ଉପା ସରକାର ବେଳେ ବର୍ଷକୁ ୧୭୧ଟି ଦୁର୍ଘଟଣା ଘଟୁଥିଲା। ଏବେ ଗତ ବର୍ଷ ୪୦ଟି ଘଟଣା ଘଟିଛି। ପ୍ରତି ଘଟଣାକୁ ଗମ୍ଭୀରତାର ସହ ନିଆଯାଇ ତଦନ୍ତ କରାଯାଉଛି। କେଉଁ ତ୍ରୁଟି କାରଣରୁ ଦୁର୍ଘଟଣା ଘଟିଲା ତଦନ୍ତ କରାଯାଇ ସୁଧାର ଅଣାଯାଉଛି। ୯୭ ହଜାର ସିଗ୍ନାଲ ପ୍ୟାନେଲ ଯାଞ୍ଚ କରାଯାଇଛି। ୨୫ ହଜାର କିମି ରେଳ ଲାଇନ ନବୀକରଣ କାର୍ଯ୍ୟ କରାଯାଇଛି। ୧ ଲକ୍ଷ ୮୬ ହଜାର କିମି ଟ୍ରାକ୍ ଅଲଟ୍ରାସାଉଣ୍ଡ ଟେଷ୍ଟ କରାଯାଇଛି। ୯୯୦ ରେଳ ସେତୁ ନବୀକରଣ ହୋଇଛି। ବାଲେଶ୍ୱର ବାହାନଗା ଭଳି ଦୁର୍ଘଟଣା ଏଡ଼ାଇବା ପାଇଁ ନୂଆ ବ୍ୟବସ୍ଥା ଅଣାଯାଇଛି। ପ୍ୟାନେଲ ଡାଇରେକ୍ଟ ଡ୍ରାଇଭ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ, ସେଥିରେ ପ୍ୟାନେଲ ରହିବ ନାହିଁ। ତେଣୁ ସେଥିରେ କିଛି ଗଡ଼ବଡ଼ି କରାଯାଇପାରିବନି। ମଧ୍ୟପ୍ରଦେଶ ରତ୍ନାମ୍ରେ ଏହି ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।












Click it and Unblock the Notifications