ଖୁବଶୀଘ୍ର ହୋଇପାରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ: ଓଡ଼ିଶାରୁ କିଏ ହେବେ, କିଏ ପଡିବେ ବାଦ ? ସସପେନ୍ସ ଜାରି...
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ମନ୍ତ୍ରୀ ପରିଷଦ ବୈଠକ ପରେ ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ବଢ଼ିଲା ଚର୍ଚ୍ଚା । ୫ଟି ରାଜ୍ୟର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ମନ୍ତ୍ରୀ ମଣ୍ଡଳରେ ବଡ଼ ଧରଣର ଅଦଳବଦଳ କରିପାରନ୍ତି ।
ବିଶ୍ବସ୍ତ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଚଳିତ ସପ୍ତାହ ଅଦଳବଦଳର ସମ୍ଭାବନା ରହିଛି। ଏଥିପାଇଁ ବିଚାରବିମର୍ଶ ଆରମ୍ଭ ହୋଇଯାଇଛି। ପ୍ରଧାନମନ୍ତ୍ରୀ ଗତକିଛି ଦିନ ଧରି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ସଭାପତି ଜେପି ନଡ୍ଡାଙ୍କ ସହ ଆଲୋଚନା ଚଳାଇଛନ୍ତି। କେଉଁମାନଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦିଆଯିବ, କାହାକୁ ସାମିଲ କରାଯିବ ଏବଂ କାହାକୁ ସାଂଗଠନିକ ଦାୟିତ୍ବ ଦିଆଯିବ, ସେ ସମ୍ପର୍କରେ ତାଲିକା ପ୍ରସ୍ତୁତି ଚାଲିଛି ।

ଯଦି ଏହି ସୂତ୍ରକୁ ବିଶ୍ବାସ କରାଯାଏ, ତାହାହେଲେ ମୋଦୀ ତାଙ୍କ ମନ୍ତ୍ରିମଣ୍ଡଳରୁ ୧୫ ଜଣଙ୍କୁ ବାଦ୍ ଦେବେ। ମନ୍ତ୍ରିମଣ୍ଡଳରେ ଯେଉଁମାନଙ୍କୁ ସାମିଲ କରାଯିବ, ସେମାନଙ୍କ ମଧ୍ୟରେ ବିଜେପି ସହିତ ସହଯୋଗୀ ଦଳର ନେତା ରହିଛନ୍ତି । କିଛି ମନ୍ତ୍ରୀଙ୍କୁ ପଦୋନ୍ନତି ମଧ୍ୟ ମିଳିବ। ମନ୍ତ୍ରିମଣ୍ଡଳ ସଂପ୍ରସାରଣ ବେଳେ ବିଶେଷ କରି ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା ଓ ମିଜୋରାମ ଉପରେ ଫୋକସ୍ ରହିବ । କାରଣ ଏହି ୫ଟି ରାଜ୍ୟରେ ଚଳିତ ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଛି ।
ସେପଟେ ଓଡ଼ିଶାରୁ କେନ୍ଦ୍ରରେ କିଏ ହେବେ ମନ୍ତ୍ରୀ। ଚର୍ଚ୍ଚାରେ ଜୁଏଲ ଓରାମ, ସୁରେଶ ପୂଜାରୀ, ସଙ୍ଗୀତା ସିଂହଦେଓ ଓ ବସନ୍ତ ପଣ୍ଡାଙ୍କ ନାଁ ରହିଛି । ଏମାନେ ସମସ୍ତେ ପଶ୍ଚିମ ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଛନ୍ତି। ଗତ ନିର୍ବାଚନରେ ପଶ୍ଚିମ ଓଡ଼ିଶାର ୫ ଲୋକସଭା ଆସନରୁ ୫ ଆସନ ବିଜେପି ଜିତି ନେଇଥିଲା । ତେଣୁ କେନ୍ଦ୍ରରେ ମୋଦିଙ୍କ ମନ୍ତ୍ରିମଣ୍ଡଳ ଅଦଳ ବଦଳ ଚର୍ଚ୍ଚା ପରେ, ଓଡ଼ିଶାରୁ କିଏ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।
ସୂଚନାଯୋଗ୍ୟ ଯେ ଶେଷ ଥର ଲାଗି ୨୦୨୧ରେ ମୋଦୀ ମନ୍ତ୍ରିମଣ୍ଡଳରେ ବଡ଼ ଧରଣର ଅଦଳବଦଳ ହୋଇଥିଲା । ୧୨ ଜଣ ମନ୍ତ୍ରୀ ଇସ୍ତଫା ଦେବାପରେ ୪୩ ମନ୍ତ୍ରୀ ଶପଥ ନେଇଥିଲେ । ୩୬ ଜଣ ନୂଆ ମନ୍ତ୍ରୀ ହୋଇଥିବା ବେଳେ ୭ ଜଣଙ୍କୁ ପଦୋନ୍ନତି ମିଳିଥିଲା । ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିଥିବା ବରିଷ୍ଠ ମନ୍ତ୍ରୀମାନଙ୍କ ମଧ୍ୟରେ ଥିଲେ ରବିଶଙ୍କର ପ୍ରସାଦ, ହର୍ଷ ବର୍ଧନ ଏବଂ ପ୍ରକାଶ ଜାବଡେକର ।












Click it and Unblock the Notifications