ଦୁଇଟି ରାଜପଥ ପ୍ରକଳ୍ପକୁ କେନ୍ଦ୍ରର ମଞ୍ଜୁରୀ,ଓଡ଼ିଶାରେ ୩୨୬ ନମ୍ବର ଜାତୀୟ ରାଜପଥ ପାଇଁ ଖର୍ଚ୍ଚ ହେବ ୧୫୨୬ କୋଟି ଟଙ୍କା
କେନ୍ଦ୍ର କ୍ୟାବିନେଟ୍ ଆଜି ଦୁଇଟି ରାଜପଥ ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରିଛନ୍ତି। ସେଗୁଡ଼ିକ ମଧ୍ୟମରେ ୬ ଲେନ୍ ବିଶିଷ୍ଟ ନାସିକ୍-ସୋଲାପୁର କରିଡର ଏବଂ ଓଡ଼ିଶାର ୩୨୬ ନମ୍ବର ଜାତୀୟ ରାଜପଥର ପ୍ରଶସ୍ତିକରଣ ରହିଛି। ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍ କମିଟି ମହାରାଷ୍ଟ୍ରର ନାସିକ- ସୋଲାପୁର-ଅକ୍କଲକୋଟ କରିଡର ନିର୍ମାଣକୁ ମଞ୍ଜୁରି ଦେଇଛନ୍ତି।
୩୭୪ କିଲୋମିଟର ଏହି ରାଜପଥ ପାଇଁ ୧୯ ହଜାର ୧୪୨ କୋଟି ଟଙ୍କା ବିନିଯୋଗ କରାଯିବ। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଏହି ପ୍ରକଳ୍ପ ନାସିକ, ଅହଲ୍ୟାନଗର, ସୋଲାପୁର ଭଳି ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ସହରଗୁଡ଼ିକୁ କୁର୍ଣ୍ଣୁଲ ସହ ସଂଯୋଗ କରିବ। ପ୍ରଧାନମନ୍ତ୍ରୀ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ୍ ନୀତି ଅନୁଯାୟୀ, ସମନ୍ୱିତ ପରିବହନ ଭିତ୍ତିଭୂମି ବିକାଶ କରିବା କ୍ଷେତ୍ରରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।

୬ ଲେନ୍ ବିଶିଷ୍ଟ ନାସିକ୍-ସୋଲାପୁର-ଅକ୍କଲକୋଟ କରିଡର ନିର୍ମାଣ ହେଲେ ଯାନବାହନଗୁଡ଼ିକ ଘଣ୍ଟା ପ୍ରତି ୬୦ରୁ ୧୦୦ କିଲୋମିଟର ବେଗରେ ଗତି କରିପାରିବ। ଯାହା ଯାତ୍ରା ସମୟକୁ ୧୭ ଘଣ୍ଟା ହ୍ରାସ କରିବ। ଏହି ପ୍ରକଳ୍ପ ପ୍ରାୟ ୨୫୧ ଦଶମିକ ୦/୬ ଲକ୍ଷ ପ୍ରତ୍ୟକ୍ଷ ମାନବ ଦିବସ ନିଯୁକ୍ତି ପ୍ରଦାନ କରିବା ସହ ୩୧୩ ଦଶମିକ ୮/୩ ଲକ୍ଷ ପରୋକ୍ଷ ନିଯୁକ୍ତି ସୃଷ୍ଟି କରିବ ବୋଲି ଆଶା କରାଯାଉଛି।
ପ୍ରସ୍ତାବିତ କରିଡର ନିକଟବର୍ତ୍ତୀ ଅଞ୍ଚଳରେ ଆର୍ଥିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ଫଳରେ ଆହୁରି ଅତିରିକ୍ତ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେବ। ସେହିପରି ସରକାର ଓଡ଼ିଶାରେ ୩୨୬ ନମ୍ବର ଜାତୀୟ ରାଜପଥର ପ୍ରଶସ୍ତିକରଣ ପାଇଁ ମଧ୍ୟ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି ପ୍ରକଳ୍ପ ପାଇଁ ମୋଟ୍ ୧ ହଜାର ୫୨୬ କୋଟି ୨୧ ଲକ୍ଷ ଟଙ୍କା ପୁଞ୍ଜିବିନିଯୋଗ ହେବ। ଶ୍ରୀ ବୈଷ୍ଣବ କହିଛନ୍ତି, ୩୨୬ ନମ୍ବର ଜାତୀୟ ରାଜପଥର ଯାତ୍ରାକୁ ଦ୍ରୁତ, ସୁରକ୍ଷିତ ଏବଂ ଅଧିକ ନିର୍ଭରଯୋଗ୍ୟ କରିବା କ୍ଷେତ୍ରରେ ଏହି ପ୍ରକଳ୍ପ ସହାୟକ ହେବ।
ଏଥିସହ ଦକ୍ଷିଣ ଓଡ଼ିଶାର ସାମଗ୍ରୀକ ବିକାଶ ହେବ। ଗଜପତି, ରାୟଗଡ଼ା ଏବଂ କୋରାପୁଟର ଆକାଂକ୍ଷୀ ଓ ଆଦିବାସୀ ଜିଲ୍ଲାଗୁଡ଼ିକ ଏହାଦ୍ୱାରା ଉପକୃତ ହେବେ ବୋଲି ମନ୍ତ୍ରୀ କହିଛନ୍ତି। ଉନ୍ନତ ସଡ଼କ ସଂଯୋଗୀକରଣ, ସ୍ଥାନୀୟ ଜନସାଧାରଣଙ୍କୁ ଲାଭ ପହଁଞ୍ଚାଇବା ସହ ଶିଳ୍ପ, ଶିକ୍ଷାନୁଷ୍ଠାନ ଏବଂ ପର୍ଯ୍ୟଟନ କେନ୍ଦ୍ରଗୁଡ଼ିକୁ ବଜାର, ସ୍ୱାସ୍ଥ୍ୟସେବା ଏବଂ ନିଯୁକ୍ତି ସୁଯୋଗ ବୃଦ୍ଧି କରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।












Click it and Unblock the Notifications