ସମୁଦ୍ରାୟନ ମିଶନ ପାଇଁ ୬୦୦ କୋଟି ଆବଣ୍ଟନ
ସ୍ୱତନ୍ତ୍ର ଭାବେ ନିର୍ମିତ ବୁଡ଼ାଜାହାଜ 'ସମୁଦ୍ରଯାନ' ସହାୟତାରେ ଗଭୀର ସମୁଦ୍ର ମଧ୍ୟକୁ ବୈଜ୍ଞାନିକମାନଙ୍କୁ ପଠାଇ ସାମୁଦ୍ରିକ ଅଧ୍ୟୟନ କରିବାର ସ୍ୱତନ୍ତ୍ର ପରିକଳ୍ପିତ ଅଭିଯାନ ସଫଳ ହେବାକୁ ଯାଉଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କଦ୍ୱାରା ଗତକାଲି ଉପସ୍ଥାପିତ ହୋଇଥିବା କନ୍ଦ୍ରୀୟ ବଜେଟ୍ରେ ଗଭୀର ସମୁଦ୍ର ଅଭିଯାନପାଇଁ 600 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।
ଏହି ଅଭିଯାନରେ ବୈଜ୍ଞାନିକମାନଙ୍କୁ ଗଭୀର ସମୁଦ୍ରକୁ ପଠାଯାଇ ସମୁଦ୍ର ଚଟାଣର ମାନଚିତ୍ରଣ, ସମୁଦ୍ରର ୬ ହଜାର ମିଟର ଗଭୀରକୁ ମାନବଯୁକ୍ତ ବୁଡ଼ାଜାହାଜ ପଠାଇବା ଲାଗି ଉନ୍ନତ ପ୍ରଯୁକ୍ତିବିଦ୍ୟା ପାଇଁ ବଜେଟ୍ରେ ଏହି ବ୍ୟବସ୍ଥା କରାଯାଇଛି । ଏତଦ୍ବ୍ୟତୀତ ଏହି ଅଭିଯାନରେ ଗଭୀର ସମୁଦ୍ରର ଜୈବସମ୍ବଳର ସ୍ଥାୟୀ ଉପଯୋଗିତା ସହ ଉପତଟୀୟ ତାପଜଶକ୍ତି ଚାଳିତ ଲୁଣିପାଣିରୁ ମଧୁର ଜଳ ସଂଗ୍ରହ ନିମନ୍ତେ କାରଖାନା ବିକଶିତ ପାଇଁ ଇଞ୍ଜିନିୟରିଂ ଡିଜାଇନ ବିକାଶ କରିବା ଲକ୍ଷ୍ୟ ରହିଛି ।

ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ ମିଶନ ମୌସମପାଇଁ ମଧ୍ୟ ୧ ହଜାର ୩୨୯ କୋଟି ଟଙ୍କା ଆବଣ୍ଟିତ କରିଛନ୍ତି । ଭୂ-ବିଜ୍ଞାନ ମନ୍ତ୍ରଣାଳୟଦ୍ୱାରା ଏହି ଅଭିଯାନ ଅନ୍ତର୍ଗତ ଦେଶରେ ଜଳବାୟୁ ପୂର୍ବାନୁମାନ କ୍ଷମତାକୁ ଅଧିକ ସୁଦୃଢ଼ କରାଯାଇପାରିବ । ଭୂ-ବିଜ୍ଞାନ ମନ୍ତ୍ରଣାଳୟ ଗଭୀର ସମୁଦ୍ର ଅଭିଯାନ କ୍ଷେତ୍ରରେ ଅଗ୍ରସର ହେଉଥିବାବେଳେ କେନ୍ଦ୍ରୀୟ ବଜେଟ୍ରେ ପ୍ରାୟ ୩ ହଜାର ୬୫୦ କୋଟି ଟଙ୍କା ପ୍ରଦାନ କରାଯାଇଛି ।












Click it and Unblock the Notifications