ଉପସ୍ଥାପନା ହେଲା ୟୁସିସି ବିଲ୍
ନୂଆଦିଲ୍ଲୀ: ମଙ୍ଗଳବାର ଉତ୍ତରାଖଣ୍ଡ ବିଧାନ ସଭାରେ ୟୁନିଫର୍ମ ସିଭିଲ କୋଡ (ୟୁସିସି) ବିଲ୍ ଆଗତ କରାଯାଇଛି । ବିଧାନସଭାର ସ୍ୱତନ୍ତ୍ର ଅଧିବେଶନର ଦ୍ୱିତୀୟ ଦିନରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଏହି ବିଲ୍ ଉପସ୍ଥାପନ କରିଥିଲେ । ଏହି ବିଲ୍ ଉପସ୍ଥାପନ କରିବା ପରେ ସିଏମ୍ ଧାମି ସୋସିଆଲ ମିଡିଆ ସାଇଟ୍ ଏକ୍ସ ରେ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି- ବିଧାନସଭାରେ ଐତିହାସିକ "ୟୁନିଫର୍ମ ସିଭିଲ୍ କୋଡ୍ ବିଲ୍" ଉପସ୍ଥାପନ କରାଯାଇଛି ।

ମୁଖ୍ୟମନ୍ତ୍ରୀ ଏହି ବିଲ୍ ଉପସ୍ଥାପନ କରିବା ସମୟରେ ଶାସକ ଦଳର ବିଧାୟକମାନେ ମଧ୍ୟ "ଭାରତ ମାତା କି ଜୟ, ବନ୍ଦେ ମାତାରାମ ଏବଂ ଜୟ ଶ୍ରୀ ରାମ" ସ୍ଲୋଗାନ ଦେଇଥିଲେ । ରବିବାର ରାଜ୍ୟ କ୍ୟାବିନେଟ୍ ୟୁସିସି ଡ୍ରାଫ୍ଟକୁ ଗ୍ରହଣ କରି ଏହାକୁ ବିଲ୍ ଭାବରେ ଗୃହରେ ଉପସ୍ଥାପନା କରିବାକୁ ଅନୁମୋଦନ ଦେଇଥିଲେ । ଅନ୍ୟପକ୍ଷରେ ବିଧାନସଭାରେ ବିରୋଧୀ ଦଳର ନେତା ଯଶପାଲ ଆର୍ଯ୍ୟ କହିଛନ୍ତି ଯେ ସରକାରଙ୍କ ଉଦ୍ଦେଶ୍ୟ ଉପରେ ସନ୍ଦେହ ରହିଛି । ବିଲ୍ର କପି ଅଧା ଅସମ୍ପୂର୍ଣ୍ଣ ବୋଲି ଜଣାପଡିଛି ।
ଅନ୍ୟପକ୍ଷରେ ହାଲଦୱାନୀରେ ବହୁ ସଂଖ୍ୟାରେ ପୋଲିସ ଏବଂ ସୁରକ୍ଷା ବାହିନୀ ମୁତୟନ କରାଯାଇଛି । ୟୁସିସି ସମ୍ବନ୍ଧରେ ମୁସଲମାନ ପ୍ରାଧାନ୍ୟ ଅଞ୍ଚଳରେ ପ୍ରବଳ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବାନବୁଲପୁରା, ଇନ୍ଦିରା ନଗର, ଗାନ୍ଧୀ ନାଗର, ଶନି ବଜାରରେ ପୋଲିସ ମୁତୟନ କରାଯାଇଛି । ଏସପି ସିଟି, ସିଓ ନିଜେ ଏହି ଅଞ୍ଚଳରେ ପାଟ୍ରୋଲିଂ କରୁଛନ୍ତି ।
ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ରବିବାର ଦିନ ୟୁସିସି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଏକ କ୍ୟାବିନେଟ ବୈଠକ ଡାକିଥିଲେ ଯେଉଁଥିରେ ୟୁସିସିର ଡ୍ରାଫ୍ଟ ଅନୁମୋଦନ କରାଯାଇଥିଲା । ବିଧାନସଭା ଅଧିବେଶନ ୫ ରୁ ୮ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ ।












Click it and Unblock the Notifications