୮୨୦ କୋଟି ଟଙ୍କାର ଅର୍ଥ ନେଣଦେଣ ଦୁର୍ନୀତିର ପର୍ଦ୍ଦାଫାସ କଲା ସିବିଆଇ
ଆର୍ଥିକ ଅପରାଧ ତଥା ଶହ ଶହ କୋଟି ଟଙ୍କାର ସନ୍ଦେହଜନକ କାରବାର ମାମଲାରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ରାଜସ୍ଥାନ ଏବଂ ମହାରାଷ୍ଟ୍ରରେ ଏକକାଳୀନ ୬୭ ଟି ସ୍ଥାନରେ ସର୍ଚ୍ଚ ଅପରେସନ ଜାରି ରଖିଛି । ପ୍ରାୟ ୮୨୦ କୋଟି ଟଙ୍କା ମୂଲ୍ୟର ସନ୍ଦେହଜନକ ଆଇଏମପିଏସ୍ (ଇମିଡ଼େଟ ପେମେଣ୍ଟ ସର୍ଭିସ) କାରବାର ସହିତ ଏହି ମାମଲାରେ ୟୁକୋ ବ୍ୟାଙ୍କର ଅନେକ ଆକାଉଣ୍ଟ ମଧ୍ୟ ଯାଞ୍ଚ କରାଯାଉଛି ।
ଏହି ମାମଲାରେ ୮୨୦ କୋଟି ଟଙ୍କାର କାରବାର ସମ୍ପର୍କରେ ସିବିଆଇ ଏକ ବିବୃତ୍ତି ଜାରି କରିଛି । ଏହି ଅନୁଯାୟୀ ମାର୍ଚ୍ଚ ୬ ରେ ରାଜସ୍ଥାନର ଯୋଧପୁର, ଜୟପୁର, ଜାଲୋର, ନାଗୋର, ବାଡ଼ମେର, ଫାଲୋଡି ସମେତ ଅନେକ ସହରରେ ସର୍ଚ୍ଚ ଅପରେସନ କରାଯାଇଥିଲା । ସୂଚନା ଅନୁସାରେ ୟୁକୋ ବ୍ୟାଙ୍କର ବିଭିନ୍ନ ଆକାଉଣ୍ଟରୁ ୮୨୦ କୋଟି ଟଙ୍କାର ସନ୍ଦେହଜନକ କାରବାର ହୋଇଥିଲା । ୟୁକୋ ବ୍ୟାଙ୍କର ଅଭିଯୋଗ ପରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (ସିବିଆଇ) ୨୦୨୩ ନଭେମ୍ବର ୨୧ରେ ଏକ ମାମଲା ରୁଜୁ କରିଥିଲା ।

ଅଭିଯୋଗ ଅନୁଯାୟୀ, ୨୦୨୩ ନଭେମ୍ବର ୧୦ରୁ ୨୦୨୩ ନଭେମ୍ବର ୧୩ ମଧ୍ୟରେ ୭ଟି ଘରୋଇ ବ୍ୟାଙ୍କର ୧୪,୬୦୦ ଆକାଉଣ୍ଟଧାରୀ ୟୁକୋ ବ୍ୟାଙ୍କର ୪୧,୦୦୦ ଆକାଉଣ୍ଟଧାରୀଙ୍କ ଆକାଉଣ୍ଟରେ ଭୁଲ ଭାବେ ଆଇଏମପିଏସ୍ କାରବାର କରିଛନ୍ତି । ଫଳରେ ଅସଲି ଆକାଉଣ୍ଟରୁ ଡେବିଟ୍ ନକରି ୟୁକୋ ବ୍ୟାଙ୍କ ଆକାଉଣ୍ଟକୁ ୮୨୦ କୋଟି ଟଙ୍କା ଜମା କରାଯାଇଥିଲା । ବିଭିନ୍ନ ବ୍ୟାଙ୍କିଙ୍ଗ ଚ୍ୟାନେଲ୍ ଜରିଆରେ ବ୍ୟାଙ୍କରୁ ଟଙ୍କା ଉଠାଇ ସମସ୍ତ ଆକାଉଣ୍ଟଧାରୀ ବେଶ୍ ଫାଇଦା ଉଠାଇଥିଲେ ।
ରାଜସ୍ଥାନ ବ୍ୟତୀତ ମହାରାଷ୍ଟ୍ରର ପୁଣେରେ ୟୁକୋ ବ୍ୟାଙ୍କ ଆକାଉଣ୍ଟରୁ ସନ୍ଦେହଜନକ କାରବାର ସଂପର୍କରେ ଏକ ବିଶାଳ ସର୍ଚ୍ଚ ଅପରେସନ ମଧ୍ୟ କରାଯାଇଥିଲା । ଏହି ଅପରେସନ୍ ସମୟରେ, ୟୁକୋ ବ୍ୟାଙ୍କ ଏବଂ ଆଇଡ଼ିଏଫସି ସହିତ ଜଡିତ ପ୍ରାୟ ୧୩୦ ଟି ଦସ୍ତାବିଜ ଜବତ କରାଯାଇଥିଲା । ମାର୍ଚ୍ଚ ୬ ଅପରେସନ୍ ସମୟରେ ସିବିଆଇ ଅଧିକାରୀମାନେ ୪୩ ଟି ଡିଜିଟାଲ୍ ଉପକରଣ, ୪୦ ଟି ମୋବାଇଲ୍ ଫୋନ୍, ୨ ଟି ହାର୍ଡ ଡିସ୍କ ଏବଂ ୧ ଟି ଇଣ୍ଟରନେଟ୍ ଡଙ୍ଗଲ୍ ଏବଂ ଅନ୍ୟାନ୍ୟ ଅପରାଧୀ ସାମଗ୍ରୀ ଜବତ କରିଛି ।












Click it and Unblock the Notifications