୨୦୨୬ ତାମିଲନାଡୁ ନିର୍ବାଚନ ପାଇଁ TVK ପାର୍ଟିର ବଡ଼ ଘୋଷଣା: TVK ପାର୍ଟିର ମୁଖ୍ୟମନ୍ତ୍ରୀ ଚେହେରା ହେବେ ଅଭିନେତା ବିଜୟ
୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ତମିଲଗା ଭେଟ୍ଟ୍ରୀ କଜଗମ (TVK) ଶୁକ୍ରବାର ଆନୁଷ୍ଠାନିକ ଭାବେ ଏହାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଦଳର ମୁଖ୍ୟ ତଥା ପ୍ରତିଷ୍ଠାତା ବିଜୟଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରାଯାଇଛି। ଅଭିନେତାରୁ ରାଜନେତା ପାଲଟିଥିବା ବିଜୟ ସ୍ପଷ୍ଟ କରି ଦେଇଛନ୍ତି ଆସନ୍ତା ବିଧାନସଭା ନିର୍ବାଚନରେ ତାଙ୍କ ଦଳ ବିଜେପି ସହିତ ମେଣ୍ଟ କରିବ ନାହିଁ।
ବିଜୟ କହିଛନ୍ତି ଯେ ତାଙ୍କ ଦଳର ଆଦର୍ଶ ସହିତ ବିଜେପିର ଆଦର୍ଶ ମିଶୁନାହିଁ। ବିଜେପି ଅନ୍ୟ କୌଣସି ସ୍ଥାନରେ ବିଷର ମଞ୍ଜି ବୁଣିପାରେ, କିନ୍ତୁ ତାମିଲନାଡୁରେ ନୁହେଁ। ଆପଣ ଅନ୍ନା ଓ ପେରିୟରଙ୍କୁ ବିରୋଧ କିମ୍ବା ଅପମାନିତ କରିପାରିବେ ନାହିଁ କି ତାମିଲନାଡୁରେ ଜିତି ପାରିବେ ନାହିଁ। 'ଟିଭିକେ' ଡିଏମ୍କେ ବା ଏଆଇଏଡିଏମ୍କେ ନୁହେଁ ଯେ ବିଜେପି ସହିତ ହାତ ମିଶାଇବ। ଟିଭିକେ ସର୍ବଦା ଡିଏମ୍କେ ଓ ବିଜେପିକୁ ବିରୋଧ କରିବ।

ଆଗକୁ ନିର୍ବାଚନ ଥିବା ବେଳେ ଦଳ କାହା ସହିତ ମେଣ୍ଟ କରିବ ବା ନକରିବ, ସେ ନେଇ ନିଷ୍ପତ୍ତି ନେବାର ସମସ୍ତ କ୍ଷମତା ସଂପୂର୍ଣ୍ଣ ଭାବେ ବିଜୟଙ୍କୁ ଦିଆଯାଇଛି। ନିର୍ବାଚନ ପୂର୍ବରୁ ଦଳ ତା'ର ସଦସ୍ୟ ସଂଗ୍ରହ ଅଭିଯାନକୁ ଜୋରଦାର କରିବାକୁ ନିଷ୍ପତ୍ତି ନେଇଛି। ଦଳ ରାଜ୍ୟରେ ୨ କୋଟି ସଦସ୍ୟ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛି।
ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ବିଜୟ ପୂରା ତାମିଲନାଡୁ ଭ୍ରମଣ କରିବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମ ଚଳିତ ବର୍ଷ ସେପ୍ଟେମ୍ବର ମାସରୁ ଆରମ୍ଭ ହୋଇ ଡିସେମ୍ବର ମାସରେ ଶେଷ ହେବ। ଦଳର ଦ୍ୱିତୀୟ ରାଜ୍ୟ ସ୍ତରୀୟ ସମାବେଶ ଆସନ୍ତା ମାସ (ଅଗଷ୍ଟ)ରେ ଅନୁଷ୍ଠିତ ହେବ। ଏହି ସମାବେଶରେ ବିଧାନସଭା ନିର୍ବାଚନ ନେଇ ଦଳର ରଣକୌଶଳ କ'ଣ ରହିବ, ସେ ସଂପର୍କରେ ଅଧିକ ଜଣାପଡ଼ିବ ବୋଲି ଆଶା କରାଯାଉଛି।












Click it and Unblock the Notifications