Kalkaji temple: ଦିଲ୍ଲୀର କାଲକାଜୀ ମନ୍ଦିରରେ ବଡ଼ ଦୁର୍ଘଟଣା; ଜଣେ ମୃତ, ୧୭ ଆହତ
Kalkaji temple: ଦିଲ୍ଲୀର କାଲକାଜୀ ମନ୍ଦିର କମ୍ପ୍ଲେକ୍ସରେ ଏକ ବଡ଼ ଦୁର୍ଘଟଣା ଘଟିଛି । କାଲକାଜୀ ମନ୍ଦିରର 'ଜାଗରଣ' ବା 'ଜାଗ୍ରତ' କାର୍ଯ୍ୟକ୍ରମ ସମୟରେ ମଞ୍ଚ ଭୁଶୁଡି ପଡିଥିଲା। ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୧୭ ଜଣ ଆହତ ହୋଇଛନ୍ତି ।
ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ତିନୋଟି ଅଗ୍ନିଶମ ବାହିନୀକୁ ତୁରନ୍ତ ଘଟଣାସ୍ଥଳକୁ ପଠାଯାଇଥିଲା। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୋଲିସ ଏ ବାବଦରେ ଏଫ୍ଆଇଆର୍ ପଞ୍ଜୀକୃତ କରି ତଦନ୍ତ ଆରମ୍ଭ କରିଛି ।
ପୋଲିସ କହିଛି ଯେ ମହିଳା ଜଣଙ୍କୁ ଅଟୋରେ ଡାକ୍ତରଖାନା ନିଆଯାଇଥିଲା, କିନ୍ତୁ ସେଠାରେ ପହଞ୍ଚିବା ପରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ବର୍ତ୍ତମାନ ମହିଳାଙ୍କ ପରିଚୟ ମିଳିପାରି ନାହିଁ ।

ସମସ୍ତ ୧୭ ଆହତଙ୍କୁ ଦିଲ୍ଲୀ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କାହାକୁ ଏମ୍ସରେ ତ କାହାକୁ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କିଛି ଆହତଙ୍କୁ ମ୍ୟାକ୍ସ ହସ୍ପିଟାଲରେ ମଧ୍ୟ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ କିଛି ଜଣଙ୍କ ହାଡ଼ ଭାଙ୍ଗି ଥିବା ଜଣାପଡ଼ିଛି। ତେବେ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି ।
ଗତକାଲି କାଲକାଜୀ ମନ୍ଦିରରେ 'ଜାଗରଣ' ବା 'ଜାଗ୍ରତ' କାର୍ଯ୍ୟକ୍ରମ ଚାଲିଥିଲା। ଏହାକୁ ଘରୋଇ ଭାବେ ଆୟୋଜିତ କରାଯାଇଥିଲା। ମୁଖ୍ୟ ମଞ୍ଚରେ ଭଜନ ଚାଲିଥିଲା। ଭଜନର ତାଳେ ତାଳେ ଭକ୍ତମାନେ ନୃତ୍ୟ କରୁଥିଲେ। ଭଜନ ଚାଲିଥିବା ବେଳେ ଅନେକ ଶ୍ରଦ୍ଧାଳୁ ଉତ୍ସାହିତ ହୋଇ ମୁଖ୍ୟ ମଞ୍ଚ ଉପରକୁ ମଧ୍ୟ ଚଢ଼ି ଯାଇଥିଲେ ।
1500-1600 ଲୋକ ଅଂଶଗ୍ରହଣ କରିଥିଲେ
ଦକ୍ଷିଣ ପୂର୍ବ ଦିଲ୍ଲୀର ଡିସିପି ରାଜେଶ ଦେବ କହିଛନ୍ତି ଯେ 26 ବର୍ଷ ଧରି କଲକାଜୀ ମନ୍ଦିରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ଆୟୋଜକମାନେ ସମ୍ପ୍ରସାରଣ କରିଛନ୍ତି। ଶନିବାର ମଧ୍ୟରାତ୍ରିରେ ପ୍ରାୟ 1,500 ରୁ 1600 ଲୋକ ଏକତ୍ରିତ ହୋଇଥିଲେ ଏବଂ ଏହି କାର୍ଯ୍ୟକ୍ରମ ଆୟୋଜନ ପାଇଁ କୌଣସି ଅନୁମତି ଦିଆଯାଇ ନଥିଲା। ତେବେ ଆଇନ ଶୃଙ୍ଖଳା ରକ୍ଷା ପାଇଁ ମନ୍ଦିର ପରିସରରେ ପର୍ଯ୍ୟାପ୍ତ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।












Click it and Unblock the Notifications