ପେଟ୍ରୋଲ ସହ ଟକ୍କର ଦେଉଛି ଟମାଟୋ, ୧୦୦ ପାର୍ ହେଲା ଦର
ପେଟ୍ରୋଲ ସହ ଟକ୍କର ଦେଉଛି ଟମାଟୋ । ପେଟ୍ରୋଲ ଭଳି ଟମାଟୋର କେଜି ପିଛା ଦାମ ୧୦୦ ଟଙ୍କା ପାର କରିଛି।
ନୂଆଦିଲ୍ଲୀ: ପେଟ୍ରୋଲ ସହ ଟକ୍କର ଦେଉଛି ଟମାଟୋ । ପେଟ୍ରୋଲ ଭଳି ଟମାଟୋର କେଜି ପିଛା ଦାମ ୧୦୦ ଟଙ୍କା ପାର କରିଛି। ପ୍ରତିବର୍ଷ ଶୀତ ଦିନେ ଟମାଟୋ କେଜି ପିଛା ୨୦ ଟଙ୍କାରେ ବିକ୍ରି ହୋଇଥାଏ। କିନ୍ତୁ ଏବର୍ଷ ସ୍ଥିତି ବଦଳି ଯାଇଛି। ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକା ଓ ତାମିଲନାଡୁରେ ବର୍ଷା ବିତ୍ପାତ୍ତ ଯୋଗୁ ଟମାଟୋ କେଜି ପିଛା ୧୦୦ ଟଙ୍କାରୁ ଅଧିକ ଦାମରେ ବିକ୍ରି ହେଉଛି।

ରାଜଧାନୀ ଦିଲ୍ଲୀରେ ଦେଢଶହ ଟଙ୍କା ଦରରେ ବିକ୍ରି ହେଉଛି। ଗତ କିଛି ଦିନ ହେଲା ବଜାରରେ ଟମାଟୋ ଦର ବଢିବଢି ଚାଲିଛି। ଏଥିରେ କେତେବେଳେ କେଜି ପିଛା ଦର ଶହେ ପାର କରି ଦେଢ ଶହରେ ପହଞ୍ଚିଲାଣି ଖାଉଟି ବି ଜାଣି ନାହାନ୍ତି। ଅଚାନକ ଦର ପଚାରିବା ବେଳେ କେଜି ଦେଢଶହ ଟଙ୍କା ଶୁଣି ଲୋକେ ଚମକୁଛନ୍ତି। ଚଳିତ ମାସରେ ଚେନ୍ନାଇରେ ଟମାଟୋର ଦାମ ୪୦ ଟଙ୍କା ଥିଲା। ହେଲେ ଏବେ ଏହା ୧୪୦ ଟଙ୍କାରେ ପହଞ୍ଚି ଯାଇଛି।
ଦିଲ୍ଲୀ ପରିବା ମଣ୍ଡିମାନଙ୍କରେ ଟମାଟୋ ପାଇକାରୀ ଦର କେଜି ପ୍ରତି ୧୨୦ ଟଙ୍କାରେ ବିକ୍ରି ହେଉଛି। ଏଣୁ ଖୁଚୁରା ଦର ସେହି ଅନୁସାରେ ୧୫୦ରୁ ୧୭୦ ଟଙ୍କାକୁ ପହଞ୍ଚିଛି। ସାଧାରଣତଃ ଶୀତଋତୁ ବେଳକୁ ଦେଶରେ ଟମାଟୋ ଦର ହ୍ରାସ ହୋଇଥାଏ। ହେଲେ ଏଥର ବିପରୀତ ପରିସ୍ଥିତି ଉପୁଜିଛି। ପ୍ରାକୃତିକ ଦୁର୍ବିପାକ ଟମୋଟୋ ଭଳି ପରିବା ଦରକୁ ଆକାଶରେ ଥୋଇଛି। କେବଳ ଦିଲ୍ଲୀ ନୁହେଁ ଚେନ୍ନାଇରେ ମଧ୍ୟ ଟମାଟୋ ଦର କେଜି ପିଛା ୧୬୦ ଟଙ୍କାରେ ବିକ୍ରି ହେଉଥିବା ଦେଖା ଯାଇଛି।
କେବଳ ଟମାଟୋ ନୁହେଁ କ୍ୟାପସିକମ ଓ ପିଆଜ ଭଳି ସାମଗ୍ରୀର ଦାମ ମଧ୍ୟ ହଠାତ୍ ବୃଦ୍ଧି ପାଇଛି। ଆନ୍ଧ୍ର ପ୍ରଦେଶରେ ସୁବଠାରୁ ଅଧିକ ଟମାଟୋ ଉତ୍ପାଦନ ହୁଏ। ହେଲେ ଏଠାରେ ଟମାଟୋର କେଜି ପିଛା ଦାମ ୧୦୦ ଟଙ୍କା ଛୁଇଁଛି। ଆଗକୁ ମଧ୍ୟ ଏହାର ଦାମ ଆହୁରି ବଢ଼ିବ ବୋଲି ବ୍ୟବସାୟୀମାନେ ଆଶଙ୍କା କରିଛନ୍ତି। ଟମାଟୋ ଅଧିକ ଉତ୍ପାଦିତ ହେଉଥିବା ସ୍ଥାନଗୁଡ଼ିକରେ ବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ସେହିପରି ଡିଜେଲର ଲିଟର ପିଛା ଦାମ ମଧ୍ୟ ଅଧିକ ରହିଛି। ଏଥିପାଇଁ ଟମାଟୋର ଦାମ ବୃଦ୍ଧି ପାଇଥିବା ବ୍ୟବସାୟୀମାନେ କହିଛନ୍ତି।












Click it and Unblock the Notifications