ଆଜି ପୃଥିବୀ ପୃଷ୍ଟରେ ପହଞ୍ଚିବେ ଶୁଭାଂଶୁ ଶୁକ୍ଳା, କାର୍ଲିଫଣ୍ଣିଆ ଉପକୂଳରେ ଅବତରଣ କରିବା ସମ୍ଭାବନା
ଆକ୍ସିଅମ୍-୪ ଅଭିଯାନରେ ମହାକାଶକୁ ଯାଇଥିବା ଭାରତର ଶୁଭାଂଶୁ ଶୁକ୍ଳା ଅନ୍ୟ ତିନି ମହାକାଶଚାରୀଙ୍କ ସହ ଆସନ୍ତାକାଲି ପୃଥିବୀ ପୃଷ୍ଠକୁ ଫେରିବେ ବୋଲି ଜଣାପଡିଛି। ଚାରି ମହାକାଶଚାରୀଙ୍କୁ ନେଇ ଆସୁଥିବା ଡ୍ରାଗନ କ୍ୟାପସୁଲ ସୋମବାର ଆଇଏସ୍ଏସ୍ (ଆନ୍ତର୍ଜାତିକ ମହାକାଶ ଷ୍ଟେସନ)ରୁ ବିଚ୍ଛିନ୍ନ ହୋଇ ପ୍ରତ୍ୟାବର୍ତ୍ତନ ଯାତ୍ରା ଆରମ୍ଭ କରିଛି। ଦୀର୍ଘ ୨୨ ଘଣ୍ଟାର ଯାତ୍ରା ପରେ ଡ୍ରାଗନ କ୍ୟାପସୁଲ ମଙ୍ଗଳବାର ଭାରତୀୟ ସମୟ ଅପରାହ୍ଣ ୩ଟା ସମୟରେ ଆମେରିକାର କାଲିଫର୍ଣ୍ଣିଆ ଊପକୂଳରେ ଜଳାବତରଣ କରିବ ବୋଲି ନାସା ପକ୍ଷରୁ କୁହାଯାଇଛି। ସୋମବାର ଅପରାହ୍ଣ ୨ଟା ୩୭ ମିନିଟ ସମୟରେ ଶୁୁଭାଂଶୁ ଓ ଅନ୍ୟ ତିନି ମହାକାଶଚାରୀ ସେମାନଙ୍କର ସ୍ପେସ୍ ସୁଟ୍ ପରିଧାନ କରି ଡ୍ରାଗନ କ୍ୟାପସୁଲରେ ପ୍ରବେଶ କରିଥିଲେ।

ସବୁ କିଛି ଯାଞ୍ଚ କରାଯିବାପରେ ଏହାକୁ ଆଇଏସ୍ଏସ୍ରୁ ବିଚ୍ଛିନ୍ନ କରାଯାଇଥିଲା। ରବିବାର ଆକ୍ସିଅମ୍-୪ ଅଭିଯାନର ଏହି ଚାରି ମହାକାଶଚାରୀଙ୍କୁ ଆଇଏସ୍ଏସ୍ରେ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏହି ଅବସରରେ ଶୁଭାଂଶୁ କହିଛନ୍ତି ଯେ ଆମେ ସମସ୍ତେ ବିଶ୍ବର ବିଭିନ୍ନ ଦେଶକୁ ପ୍ରତିନିଧିତ୍ବ କରୁଥିଲେ ସୁଦ୍ଧା ଆମର ଏକମାତ୍ର ଲକ୍ଷ୍ୟ ହେଉଛି ମହାକାଶକୁ ଆସି ଏକାଧିକ ବୈଜ୍ଞାନିକ ପରୀକ୍ଷା ନିରୀକ୍ଷା ଜରିଆରେ ମାନବ ସମାଜର କଲ୍ୟାଣ କରିବା।
ସୂଚନାଯୋଗ୍ୟ ଶୁଭାଂଶୁଙ୍କ ସମେତ ଅନ୍ୟ ତିନି ମହାକାଶଚାରୀ ଯଥା ପେଗି ହ୍ବିଟସନ (ଆମେରିକା), ସ୍ଲାଓଜ୍ ୱିସିନିଉସ୍କି (ପୋଲାଣ୍ଡ) ଓ ଟିବୋର କାପୁ (ହଙ୍ଗେରୀ) ସ୍ପେସ୍କ୍ସର ଫାଲକନ-୯ ରକେଟ ଯୋଗେ ଜୁନ ୨୫ରେ ଫ୍ଲୋରିଡାର କେନେଡି ମହାକାଶ କେନ୍ଦ୍ରରୁ ଯାତ୍ରାରମ୍ଭ କରିଥିଲେ। ଜୁନ ୨୬ରେ ଡ୍ରାଗନ କ୍ୟାପସୁଲ ଆଇଏସ୍ଏସ୍ ସହ ସଂଯୋଗ ହୋଇଥିଲା। ପ୍ରାୟ ଦୁଇ ସପ୍ତାହର ରହଣି ମଧ୍ୟରେ ଶୁଭାଂଶୁ ସାତଟି ପରୀକ୍ଷା ସମ୍ପାଦନ କରିଛନ୍ତି। ମହାକାଶରେ ଅବସ୍ଥାନ କାଳରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହୋଇଥିଲେ। ରାକେଶ ଶର୍ମାଙ୍କ ପରେ ମହାକାଶକୁ ଯିବାରେ ଶୁଭାଂଶୁ ହେଉଛନ୍ତି ଦ୍ବିତୀୟ ଭାରତୀୟ।












Click it and Unblock the Notifications