Get Updates
Get notified of breaking news, exclusive insights, and must-see stories!

ଆଜି ପବିତ୍ର ଓଡ଼ିଆ ନବବର୍ଷ ତଥା ପଣା ସଂକ୍ରାନ୍ତି, ଜାଣନ୍ତୁ କ'ଣ ରହିଛି ଏହା ପଛର ପୌରାଣିକ କଥା..

ଓଡ଼ିଶାର ସଂସ୍କୃତି ପ୍ରଥା ପରମ୍ପରା ସ୍ବତନ୍ତ୍ର ଆଉ ଭିନ୍ନ । ଆମେ ବାର ମାସେ ତେର ପର୍ବ ଆଉ ପାଳନ କରୁ । ସେହିପରି ଓଡ଼ିଆମାନେ ଆଜିର ଦିନକୁ ନବ ବର୍ଷ ଭାବେ ପାଳନ କରନ୍ତି । ଏହାକୁ ମହାବିଷୁବ ସଂକ୍ରାନ୍ତି ବୋଲି କୁହାଯାଏ ଏବଂ ଆଜି ବୀର ବଜରଙ୍ଗୀ ହନୁମାନଙ୍କର ଜନ୍ମ ଜୟନ୍ତୀ ଦିବସ ମଧ୍ୟ ।

ଆଜିର ଦିନର ଅନେକ ମହତ୍ୱ ଏବଂ ବିଶେଷତ୍ୱ ରହିଛି । ପଣା ସଂକ୍ରାନ୍ତି ଅବସରରେ ଆଜି ଓଡ଼ିଶାର ଘରେ ଘରେ ବୃନ୍ଦାବତୀଙ୍କ ମୂଳରେ ପୂଜାର୍ଚ୍ଚନା କରାଯାଏ । ପଣା ଛତୁଆ ଭୋଗ ହେବା ସହ ବୃନ୍ଦାବତୀଙ୍କ ପାଖରେ ପାଣି ଓ ପଣା ଘଡି ବନ୍ଧାଯାଏ । ଯାହା ବର୍ଷାକୁ ସୂଚାଇଥାଏ । ଏହି ଠେକିକୁ ବସୁନ୍ଧରା ଠେକି ବୋଲି କୁହାଯାଏ । ଦହି, କଦଳୀ, ଛେନା, ନଡ଼ିଆରେ ପ୍ରସ୍ତୁତ ପଣା ତୁଳସୀ ଚଉରା ପାଖରେ ଭୋଗ ଲାଗି କରାଯାଏ ।

ବୈଶାଖ ସଂକ୍ରାନ୍ତି (ସୂର୍ଯ୍ୟଙ୍କର ମେଷ ରାଶିକୁ ସଂକ୍ରମଣ ଦିନ) ବା ପଣା ସଂକ୍ରାନ୍ତିଠାରୁ ସୌରମାନ ବର୍ଷର ପ୍ରଥମ ଗଣନା ଆରମ୍ଭ ହୁଏ । ଏହା ସୌର ବୈଶାଖର ପ୍ରଥମ ଦିବସ । ଏହିଦିନଠାରୁ ନୂତନ ଶକାବ୍ଦ ଗଣନାର ଆରମ୍ଭ ହୁଏ । ଓଡ଼ିଆ ନବବର୍ଷର ଆରମ୍ଭ ପ୍ରଣାଳୀ ବିଜ୍ଞାନ ସମ୍ମତ ଓ ଯୁକ୍ତିଯୁକ୍ତ ଏହାର ଗଣନା ନିରୟଣ ସୂର୍ଯ୍ୟ ମେଷରାଶିରେ ପ୍ରବେଶ କରିବାଠାରୁ ହୋଇଥାଏ । ଏହି ପଦ୍ଧତି ଓଡ଼ିଶାର ପ୍ରଥମ ଜ୍ୟୋତିର୍ବିଜ୍ଞାନୀ ଶତାନନ୍ଦାଚାର୍ଯ୍ୟଙ୍କଠାରୁ ଚଳିଆସୁଥିବାର ଅନୁମାନ କରାଯାଏ ।

holy Odia New Year and Pana Sankranti

ଆଜିର ଦିନକୁ ମହାବିଷୁବ ସଂକ୍ରାନ୍ତି ମଧ୍ୟ କୁହାଯାଏ । ପାଞ୍ଜି ଗଣନାରେ ବିଷୁବ ସଂକ୍ରାନ୍ତିର ଖାସ ବିଶେଷତ୍ୱ ରହିଛି । ଆଜିର ଦିନରେ ସୂର୍ଯ୍ୟ ପୃଥିବୀର ଠିକ୍ ମଧ୍ୟଭାଗରେ ଥିବା ବିଷୁବ ରେଖା ଉପରେ ଅବସ୍ଥିତ ଥାନ୍ତି । ସେହିପରି ଓଡ଼ିଆ ପରମ୍ପରା ଅନୁସାରେ ମହାବିଷୁବ ସଂକ୍ରାନ୍ତିକୁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବରେ ଗଣନା କରାଯାଏ ଏବଂ ଓଡ଼ିଆ ନବବର୍ଷ ଭାବେ ପାଳନ କରାଯାଏ । ବର୍ଷ ଆରମ୍ଭ ହେଉଥିବାରୁ ଓଡ଼ିଆ ପରିବାରରେ ଦେବାଦେବୀଙ୍କ ପାଖରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ପଣା ଲାଗି କରାଯାଏ ।

ଆଜି ଦିନର ବୈଜ୍ଞାନିକ ଦୃଷ୍ଟି କୋଣ ମଧ୍ୟ ରହିଛି । ଏହି ମାସରେ ସୂର୍ଯ୍ୟକିରଣ ବୃଦ୍ଧି ପାଇବା ସହ ହଜମ ଶକ୍ତି ମଧ୍ୟ ବଢିଥାଏ । ଅତ୍ୟଧିକ ଖରାରୁ ଦେହର ତାପମାତ୍ରାକୁ ନିୟନ୍ତ୍ରଣ କରିବା ପାଇଁ ଏହି ଦିନରେ ପଣା ପାନ କରାଯାଏ । ଆଜିର ଦିନରେ ଅନେକ ସ୍ଥାନରେ ବେଲ ପଣା ମଧ୍ୟ ଭୋଗ ଲାଗି କରାଯାଏ । ମହାବିଷୁବ ସଂକ୍ରାନ୍ତି ଦିନରେ ବିଭିନ୍ନ ମନ୍ଦିରରେ ବେଲ ପଣା ଏବଂ ଛତୁ ପଣା ଭୋଗ କରାଯାଏ । ସେହିପରି ଆଜିର ଦିନରେ ଖୁସି ବାଣ୍ଟିବା ପାଇଁ ସାହିପଡ଼ିଶା, ବୁନ୍ଧୁବାନ୍ଧବଙ୍କୁ ପଣା ଦିଆଯାଏ ।

ଆଜି ମହାବୀର ହନୁମାନଙ୍କର ଜୟନ୍ତୀ । ରାଜ୍ୟର ବିଭିନ୍ନ ସ୍ଥାନରେ ବେଶ୍ ଧୂମଧାମରେ ବଜରଙ୍ଗବଲିଙ୍କ ଜନ୍ମତ୍ସୋବକୁ ପାଳନ କରାଯାଏ । ଆଜି ହନୁମାନଙ୍କ ଦର୍ଶନ ପାଇଁ ମନ୍ଦିରମାନଙ୍କରେ ଶ୍ରଦ୍ଧାଳୁ ମାନଙ୍କର ନାହିଁ ନଥିବା ଭିଡ଼ି ଦେଖିବା ପାଇଁ ମିଳିଥାଏ । ସେହିପରି ଆଜିର ଦିନରେ ପବିତ୍ର ଝାମୁ ବ୍ରତର ଉଦଯାପନ ମଧ୍ୟ କରାଯାଏ।

ପଣା ସଂକ୍ରାନ୍ତିକୁ କାହିଁକି ଓଡ଼ିଆ ନୂଆ ବର୍ଷ କୁହାଯାଏ ? ଜାଣନ୍ତୁ କ'ଣ ରହିଛି ଏହା ପଛର ପୌରାଣିକ କଥା...

ଓଡ଼ିଆ ପଞ୍ଜିକାର ଗଣନା ଅନୁସାରେ ମହାବିଷୁବ ସଂକ୍ରାନ୍ତି ହିଁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବରେ ଗ୍ରହଣ କରାଯାଏ। ଏହି ଦିନଟିକୁ ଓଡ଼ିଆ ନବବର୍ଷ ଭାବରେ ପାଳନ କରାଯାଏ। ବର୍ଷ ଆରମ୍ଭ ହେଉଥିବାରୁ ଓଡ଼ିଆ ପରିବାରରେ ଦେବଦେବୀଙ୍କଠାରେ ସ୍ୱତନ୍ତ୍ର ପୂଜା, ଭୋଗ, ହୋମ ଆଦି କରାଯାଇଥାଏ।

କିପରି ହୁଏ ପାଳନ: ମହାବିଷୁବ ସଂକ୍ରାନ୍ତି ଦିନ ବୃନ୍ଦାବତୀଙ୍କୁ ବିଶେଷ ପ୍ରାଧାନ୍ୟ ଦିଆଯାଇଥାଏ । ଏହି ଦିନ ଏକ ଛୋଟ ମାଠିଆ ବା ଠେକିରେ କଣା କରି, ତା' ଭିତରେ ପଣା ରଖି ତୁଳସୀ ଚଉରା ଉପରେ ବାନ୍ଧିଦିଆଯାଏ । ମାଠିଆରେ ଥିବା ଛୋଟ କଣାରୁ ଧିରେ ଧିରେ ପାଣି ଝରେ ଯାହା ବର୍ଷାକୁ ସୂଚାଇଥାଏ । ଏହି ଠେକିକୁ ବସୁନ୍ଧରା ଠେକି ବା ଘଡି ବୋଲି କହାଯାଏ ।

ଏହି ସଂକ୍ରାନ୍ତି ପରଠାରୁ ପବନର ଗତି ମଧ୍ୟ ପ୍ରଖର ହୁଏ । ଉଭୟ ଅଗ୍ନି ଓ ବାୟୁଙ୍କ ପ୍ରକୋପରୁ ରକ୍ଷାପାଇବା ପାଇଁ ଏହି ସମୟରେ ପବନ ପୁତ୍ର ହନୁମାନଙ୍କୁ ମଧ୍ୟ ପୂଜା କରାଯାଏ । ତେଣୁ ଏହିଦିନ ମଧ୍ୟ ହନୁମାନ ଜୟନ୍ତୀ ପଡେ ।

ଚଣ୍ଡୀ, ସାରଳା, ବିରଜା ଆଦି ଠାକୁରାଣୀ ମନ୍ଦିରମାନଙ୍କରେ ଏହି ଦିନ ଝାମୁ ଯାତ ପାଳନ କରାଯାଏ । ଯେଉଁମାନେ ଏହି ବ୍ରତ ପାଳନ କରନ୍ତି ତାଙ୍କୁ ପାଟୁଆ ବୋଲି କୁହାଯାଏ । ଘଣ୍ଟ ପାଟୁଆମାନେ ଘଣ୍ଟ ମୁଣ୍ଡେଇ, କାଠ ଗୋଡ଼ ପିନ୍ଧି ଠାକୁରାଣୀ ମନ୍ଦିର ଆଗରେ ନିଆଁ ଉପରେ ଚାଲିବାର ପ୍ରଥା ରହିଛି ।

ଦକ୍ଷିଣ ଓଡ଼ିଶାରେ ମାସାଧିକ କାଳ ଚାଲିଥିବା ଦଣ୍ଡ ନାଟକୁ ଏହି ଦିନ ଶେଷ କରାଯାଏ । ଏହି ଦିନ ମେରୁ ଯାତ ପାଳନ କରାଯାଏ । ଲୋକେ ବେଲ ପଣା ଓ ଛତୁଆ ସହ ଏହାକୁ ପାଳନ କରନ୍ତି । ଉତ୍ତର ଓଡ଼ିଶାରେ ଏହି ଦିନକୁ ଚଡ଼କପର୍ବ ନାମରେ ପାଳନ କରାଯାଏ ।

ବୈଜ୍ଞାନିକ ଦୃଷ୍ଟିକୋଣ: ଏହି ସମୟରେ ସୂର୍ଯ୍ୟ କିରଣ ବୃଦ୍ଧି ପାଇବା ସହ ହଜମ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ । ଗରିଷ୍ଠ ଖାଦ୍ୟ ସହଜରେ ହଜମ ହେଉଥିବାରୁ ବୁଟ ଛତୁଆ ପରି ଗରିଷ୍ଠ ଖାଦ୍ୟ ପଦାର୍ଥ ଗ୍ରହଣ ପାଇଁ ଆୟୋଜନ ହୋଇଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+