ଆଜି ଧନ୍ତେରାସ: ଧନଧାନ୍ୟର ଦେବୀ ମାଆ ଲକ୍ଷ୍ମୀଙ୍କୁ କରାଯାଉଛି ଆରାଧନା, ଭଲ ବେପାର ଆଶାରେ ବ୍ୟବସାୟୀ
ଆଜି ଧନ୍ତେରାସ। ଏହି ଦିନକୁ ଲୋକେ ଧନଧାନ୍ୟର ଦିନ ଭାବେ ପାଳନ କରନ୍ତି । ଧନ୍ତେରାସ ପୂଜାରେ ମାଆ ଲକ୍ଷ୍ମୀଙ୍କ ଆରାଧନା କରାଯାଇଥାଏ। ଏହିଦିନଟିକୁ କେହି କେହି ଛୋଟ ଦିପାବଳୀ ବୋଲି ବି କହିଥାନ୍ତି । ଏହି ଦିନରେ କିଛି ନା କିଛି ବସ୍ତୁ କିଣିଲେ ମାଆ ଲକ୍ଷ୍ମୀଙ୍କୁ ଖୁସି ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି ।
ଧନ୍ତେରାସ ପାଇଁ ରାଜ୍ୟରେ ଥିବା ସୋ'ରୁମ୍ଗୁଡ଼ିକ ଚଳଚଞ୍ଚଳ । ଏହି ଦିନ ସୁନା କିମ୍ବା ରୁପା ଭଳି ଧାତୁ କିଣିଲେ ଘରକୁ ସମୃଦ୍ଧି ଆସେ ବୋଲି ରହିଛି ବିଶ୍ୱାସ । ଏଥର ଉଭୟ ଧାତୁ ଦର ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଯାଇଛି । ୧୦ ଗ୍ରାମ ପିଛା ୨୨ କ୍ୟାରେଟ୍ ସୁନା ଦର ଲକ୍ଷେ ୨୧ ହଜାର ଉପରେ । ଏହା ସତ୍ତେ୍ୱ ଚଳିତ ବର୍ଷ ଧନ୍ତେରାସ୍ରେ ଭଲ ବେପାର ଆଶା ରଖିଛନ୍ତି ବ୍ୟବସାୟୀ । ଉଚ୍ଚ ଦର ଯୋଗୁ ଲୋକଙ୍କୁ ଟାଣିବାକୁ ସୋ'ରୁମ୍ଗୁଡ଼ିକ ଆଣିଛନ୍ତି ଲୋଭନୀୟ ଅଫର । ଗଢ଼ା ମଜୁରିରେ ରହିଛି ଆଖିଦୃଶିଆ ରିହାତି । ଟ୍ରେଣ୍ଡ୍ରେ ହାଲୁକା ଗହଣା । କମ୍ ଓଜନରେ ଆସିଛି ଭଳିକି ଭଳି ଡିଜାଇନ୍ ।

ଲୋକେ ନିବେଶ ପାଇଁ ମଧ୍ୟ ସୁନା କିଣୁଛନ୍ତି । କଏନ୍ ଏବଂ ବାର୍ର ଚାହିଦା ବଢ଼ିଛି । କାରଣ ପୁଞ୍ଜି ବଜାରଠାରୁ ବହୁ ଗୁଣା ଅଧିକ ରିଟର୍ଣ୍ଣ ଦେଉଛି । ବର୍ଷକରେ ସବୁଠାରୁ ଅଧିକ ସୁନା ଧନ୍ତେରାସରେ ବିକ୍ରି ହୋଇଥାଏ । ବର୍ଷକୁ ବର୍ଷ ଧନ୍ତେରାସ୍ରେ ସୁନା ଅତି ମାତ୍ରାରେ ମହଙ୍ଗା ହୋଇଚାଲିଛି । ପୂର୍ବବର୍ଷ ଧନ୍ତେରାସ୍ରୁ ବର୍ତ୍ତମାନ ମଧ୍ୟରେ ନିବେଶକ ଲାଭ କରିଛନ୍ତି ମୋଟା ରିଟର୍ଣ୍ଣ । ବର୍ଷକରୁ କମ୍ ସମୟ ମଧ୍ୟରେ ସୁନା ୬୭% ମହଙ୍ଗା ହୋଇଛି ।
ଗତବର୍ଷ ଧନ୍ତେରାସ ଅର୍ଥାତ୍ ୨୦୨୪ ଅକ୍ଟୋବର ୨୯ରେ ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍ ସୁନା ଦର ଥିଲା ୭୮,୪୯୩ ଟଙ୍କା । ଆଜି ଏହା ଲକ୍ଷେ ୩୨ ହଜାର ଟଙ୍କା ଉପରେ । ଉକ୍ତ ଦୃଷ୍ଟିରୁ ଦରକୁ ଖାତିର ନ କରି ଲୋକେ ଏଥିରେ ନିବେଶ କରୁଛନ୍ତି । ଧନ୍ତେରାସ ଅଫର୍ରେ ଗ୍ରାହକ ସୁନା କିଣି ଭଲ ରିଟର୍ଣ୍ଣ ପାଇବାକୁ ଜୋର ଦେଉଥିବା କୁହନ୍ତି ଗହଣା ବ୍ୟବସାୟୀ । ଯଦିଓ ଏଥର ବିକ୍ରି ପରିମାଣ କମିଯାଇପାରେ, ବେପାର ପୂର୍ବବର୍ଷଠାରୁ ଭଲ ରହିବ । ଲୋକେ ୫ ଗ୍ରାମ ସ୍ଥାନରେ ଦୁଇ ଗ୍ରାମରେ କାମ ଚଳାଇପାରନ୍ତି । କିନ୍ତୁ ଉଚ୍ଚ ଦର ଯୋଗୁ ବେପାର କମିବ ନାହିଁ ବୋଲି ପ୍ରକାଶ କରିଛନ୍ତି ବଜାର ବିଶେଷଜ୍ଞ ।
ଆଗକୁ ରହିଛି ବିବାହ ଋତୁ । ବର୍ତ୍ତମାନର ଦରବୃଦ୍ଧି ଟ୍ରେଣ୍ଡ୍କୁ ଦେଖିଲେ ସୁନା ଦରରେ ନିକଟ ଭବିଷ୍ୟତରେ ବଡ଼ ହ୍ରାସ ସମ୍ଭାବନା ଜଣାପଡୁନାହିଁ । ଏଣୁ ଏବେଠୁ ବିବାହ ପାଇଁ ଗହଣା କିଣିଦେଉଛନ୍ତି ଗ୍ରାହକ । ଉଚ୍ଚ ଦର ସତ୍ତେ୍ୱ ଗ୍ରାହକଙ୍କ ଉତ୍ସାହ କମିନାହିଁ । ଲୋକେ ନିବେଶ-ଗ୍ରେଡ୍ ଧାତୁ ଏବଂ ହାଲୁକା ଡିଜାଇନ୍ ଗହଣା ଉପରେ ଜୋର ଦେଉଛନ୍ତି । ଚଳିତ ବର୍ଷ ଧନ୍ତେରାସ୍ରେ ବିକ୍ରିରେ ୧୨ରୁ ୧୫% ଅଭିବୃଦ୍ଧି ଆଶା ରଖିଛନ୍ତି ରାଜ୍ୟର ବ୍ୟବସାୟୀ ।












Click it and Unblock the Notifications