ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ ସାଇବର ଠକେଇର ଶିକାର; SBI ଆକାଉଣ୍ଟରୁ ଠକ ନେଇଗଲେ 56 ଲକ୍ଷ ଟଙ୍କା
ପୁଣି ସାଇବର ଠକେଇ। ଏଥର ସାଇବର ଠକାମୀର ଶିକାର ହୋଇଛନ୍ତି ଲୋକସଭାର ଜଣେ ସାଂସଦ। ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସି(TMC)ର ଲୋକସଭା ସାଂସଦ କଲ୍ୟାଣ ବାନାର୍ଜୀଙ୍କ ବ୍ୟାଙ୍କ ଆଉକାଉଣ୍ଟରୁ ସାଇବର ଠକମାନେ ନେଇ ଯାଇଛନ୍ତି ୫୬ ଲକ୍ଷ ଟଙ୍କା।
ଏସ୍ବିଆଇର କୋଲକାତା ସ୍ଥିତ ହାଇକୋର୍ଟ ବ୍ରାଞ୍ଚରେ ଥିବା କଲ୍ୟାଣ ବାନାର୍ଜୀଙ୍କ ଆକାଉଣ୍ଟରୁ ଏପରି ଲୁଟ ହୋଇଛି। ଅନଲାଇନ ଠକାମୀ ସମ୍ପର୍କରେ କଲ୍ୟାଣ ବାନାର୍ଜୀ କିଛି କରିବା ପୂର୍ବରୁ ବ୍ୟାଙ୍କ କର୍ତ୍ତୃପକ୍ଷ ଏନେଇ ବିଧିବଦ୍ଧ ଅଭିଯୋଗ କରିଛନ୍ତି। କୋଲାକତା ପୁଲିସ୍ର ସାଇବର କ୍ରାଇମ ସେଲରେ ଏସ୍ବିଆଇ କର୍ତ୍ତୃପକ୍ଷ ଅଭିଯୋଗ ଦାଖଲ କରିବା ପରେ ଘଟଣା ସମ୍ପର୍କରେ ସୂଚନା ମିଳିଛି।

ଏସ୍ବିଆଇର କୋଲାକତା ସ୍ଥିତ ହାଇକୋର୍ଟ ବ୍ରାଞ୍ଚରେ ବାନାର୍ଜୀଙ୍କ ଆକାଉଣ୍ଟ ରହିଛି। ଏହି ଆକାଉଣ୍ଟରୁ ଅନାଧିକୃତ ଟଙ୍କା ଉଠାଣ ଚାଲିଥିବା କର୍ତ୍ତୃପକ୍ଷ ଜାଣିବା ପରେ ତୁରନ୍ତ ସାଇବର ପୁଲିସ୍ର ଦ୍ୱାରସ୍ଥ ହୋଇଛନ୍ତି। କର୍ତ୍ତୃପକ୍ଷ ଅନାଧିକୃତ ଉଠାଣ ସମ୍ପର୍କରେ ଜାଣିବା ପୂର୍ବରୁ ବାନାର୍ଜୀଙ୍କ ଆକାଉଣ୍ଟରୁ ୫୬ ଲକ୍ଷ ଟଙ୍କା ଲୁଟ(Online Fraud) ହୋଇ ସାରିଥିଲା।
ବ୍ୟାଙ୍କ କର୍ତ୍ତୃପକ୍ଷ ଚୋରି ସମ୍ପର୍କରେ ଅଭିଯୋଗ କରିବାରୁ ପୁଲିସ୍ ଏହାର ତଦନ୍ତ ଆରମ୍ଭ କରିଛି। ବାନାର୍ଜୀଙ୍କ ଆକାଉଣ୍ଟରୁ କେବେ ଠାରୁ ଅନାଧିକୃତ ଉଠାଣ ଚାଲିଛି ଓ ଏହି ଟଙ୍କା କେଉଁଠିକୁ ଯାଇଛି, ତା'ର ଯାଞ୍ଚ ପୁଲିସ୍ କରୁଛି। ତେବେ ସାଇବର ପୁଲିସ୍ ପକ୍ଷରୁ ଏଯାଏ ଘଟଣା ସମ୍ପର୍କରେ କୌଣସି ପ୍ରକାରର ବିସ୍ତୃତ ତଥ୍ୟ ଦିଆଯାଇ ନାହିଁ।
ସେହିପରି ବାନାର୍ଜୀଙ୍କ ଭୁଲ ପାଇଁ ଏପରି ଟଙ୍କା ଲୁଟ ହୋଇଛି ନା ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସୁରକ୍ଷାରେ ତ୍ରୁଟି ଥିଲା, ତା'ର ମଧ୍ୟ ଖୋଳତାଡ଼ ପୁଲିସ୍ ପକ୍ଷରୁ କରାଯାଉଛି। ସେରାମପୁର ଲୋକସଭା ଆସନରୁ ଜିତିଥିବା ବାନାର୍ଜୀ ଏପରି ଚୋରି ସମ୍ପର୍କରେ ମୁହଁ ଖୋଲି ନାହାନ୍ତି। ଘଟଣାର ଅଧିକ ତଦନ୍ତ ଚାଲିଥିବାରୁ ପୁଲିସ୍ କର୍ତ୍ତୃପକ୍ଷ ମଧ୍ୟ ଅଧିକ ତଥ୍ୟ ଶେୟାର କରି ନାହାନ୍ତି।
ଅନେକ ସଚେତନା ଓ ବିଜ୍ଞାପନ ସତ୍ତ୍ୱେ ସାଇବର ଠକମାନେ ବିଭିନ୍ନ ଉପାୟରେ ଲୋକମାନଙ୍କ ଠାରୁ ଟଙ୍କା ଲୁଟ କରିବା ଏବେ ପୂରା ଦେଶର ଚିନ୍ତା ବଢ଼ାଇ ଦେଇଛି।












Click it and Unblock the Notifications